ଭୁବନେଶ୍ବର/ପ୍ରୟାଗରାଜ: କାଶୀ-ତାମିଲ ସଙ୍ଗମ ହେଉଛି ଦେଶର ସାଂସ୍କୃତିକ ଐତିହ୍ୟ ଓ ଏକତାର ଅନନ୍ୟ ନିଦର୍ଶନ । ଆମେ ସମସ୍ତେ ମହାଭାରତୀୟ ସାଂସ୍କୃତିକ ଐତିହ୍ୟର ଗୋଟିଏ ଗୋଟିଏ ଅଂଶ । ଏହା କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାଶୀ-ତାମିଲ ସଙ୍ଗମ ୩.୦ରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
କାଶୀ-ତାମିଲ ସଙ୍ଗମ ୩.୦ କାର୍ଯ୍ୟକ୍ରମ:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାରାଣାସୀଠାରେ ଆୟୋଜିତ କାଶୀ-ତାମିଲ ସଙ୍ଗମ ୩.୦ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀକହିଛନ୍ତି, "କାଶୀ-ତାମିଲ ସଙ୍ଗମ ହେଉଛି ଦେଶର ସାଂସ୍କୃତିକ ଐତିହ୍ୟ ଓ ଏକତାର ଅନନ୍ୟ ନିଦର୍ଶନ । ଭାରତର ପ୍ରତ୍ୟେକ ଅଞ୍ଚଳର ଭାଷା, ରୀତିନୀତି ଓ ପ୍ରଥା ଅଲଗା ହୋଇପାରେ । କିନ୍ତୁ ଆମ ସମସ୍ତଙ୍କର ପାରସ୍ପରିକ ସ୍ନେହ, ସୌହାର୍ଦ୍ଦ୍ୟ ଓ ଆଧ୍ୟାତ୍ମିକ ଚିନ୍ତାଧାରା ସମାନ । ଆମର ଏହି ସାଂସ୍କୃତିକ ଏକତା ଭାରତକୁ ଅନ୍ୟ ସବୁ ରାଷ୍ଟ୍ରମାନଙ୍କ ଠାରୁ ସ୍ୱତନ୍ତ୍ର କରିଛି । ଆମେ ସମସ୍ତେ ମହାଭାରତୀୟ ସାଂସ୍କୃତିକ ଐତିହ୍ୟର ଗୋଟିଏ ଗୋଟିଏ ଅଂଶ । ଆମେ ସମସ୍ତେ ଏହି ମହାଭାରତୀୟ ଚେତନାରେ ବାନ୍ଧି ହୋଇ ରହିଛୁ । ଆମର ଏହି ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବର ଆଦାନ ପ୍ରଦାନ ଦେଶର ଭବିଷ୍ୟତର ପିଢ଼ିକୁ ପ୍ରେରଣା ଦେଇ ଏକତାର ବନ୍ଧନରେ ବାନ୍ଧି ରଖିବ ।"
ଶ୍ରୀଜଗନ୍ନାଥ ସଂସ୍କୃତି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଆଲୋକପାତ:
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଁ ନିଜକୁ ଖୁବ୍ ଗୌରବାନ୍ୱିତ ମନେ କରୁଛି । କାଶୀ ଓ ତାମିଲନାଡ଼ୁ ମଧ୍ୟରେ ଆଧ୍ୟାତ୍ମିକ ସମ୍ପର୍କ ଖୁବ ପ୍ରାଚୀନ । କାଶୀ କେବଳ ଏକ ସହର ନୁହେଁ, ଏହା ଭାରତର ଶାସ୍ବତ, ଆଧ୍ୟାତ୍ମିକ ପରମ୍ପରାର ପ୍ରତୀକ । ସେହିପରି ତାମିଲନାଡୁର ଶାସ୍ତ୍ରୀୟ ଭାଷା, ସାହିତ୍ୟ, ଭବ୍ୟମନ୍ଦିର ଓ ଦାର୍ଶନିକ ପରମ୍ପରା ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିଛି । କାଶୀ-ତାମିଲ ସଙ୍ଗମ ହେଉଛି ବିବିଧତା ମଧ୍ୟରେ ଆମ ଏକତାର ପ୍ରତୀକ । ଓଡ଼ିଶା ମଧ୍ୟ ସେହି ଭାରତୀୟ ସାଂସ୍କୃତିକ ଭାବଧାରାର ପରିଚୟ ବହନ କରେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ଦେଶର ସବୁକୋଣରୁ ଭକ୍ତମାନେ ଆସିଥାନ୍ତି । ମହାପ୍ରଭୁଙ୍କ ରଥଯାତ୍ରାରେ ସବୁ ଧର୍ମ, ସବୁ ସଂସ୍କୃତିର ଲୋକ ଯୋଗ ଦେଇଥାନ୍ତି । ଏହି ମହାଭାରତୀୟ ଐଶ୍ୱରିକ ଚିନ୍ତାଧାରାର ପ୍ରସାରରେ ଶ୍ରୀଜଗନ୍ନାଥ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି ।"