କଟକ: ଉଦଘାଟିତ ହେଲା ଐତିହାସିକ କଟକ ବାଲିଯାତ୍ରା । ନୌବାଣିଜ୍ୟ ପରମ୍ପରାର ଗାଥା ବହନ କରୁଥିବା ତଥା ଏସିଆ ମହାଦେଶର ସର୍ବବୃହତ ବାଣିଜ୍ୟ ମେଳା ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଐତିହାସିକ ବାଲିଯାତ୍ରାକୁ ଉଦ୍ଘାଟନ କରିଛନ୍ତି । ଚଳିତବର୍ଷ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରୀୟ ଆୟୋଜନ କରାଯାଇଛି । ଉଭୟ ଉପର ଓ ତଳ ପଡ଼ିଆରେ ପାଖାପାଖି ୨୫୦୦ରୁ ଅଧିକ ଷ୍ଟଲ କରାଯାଇଛି ।
ବାଲିଯାତ୍ରା ଉଦଘାଟିତ:
କମ୍ପୁଛି କଟକ ବାଲିଯାତ୍ରା ପଡ଼ିଆ । ଉଦଘାଟିତ ହେଲା ଐତିହାସିକ ବାଲିଯାତ୍ରା । ଉତ୍କଳିୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ହେଉଛି ଏହି ଐତିହାସିକ ବାଲିଯାତ୍ରା । ପ୍ରତିବର୍ଷ ଭଳି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅର୍ଥାତ ଆଜିଠାରୁ କଟକରେ ଆରମ୍ଭ ହୋଇଛି ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉପସ୍ଥିତ ରହି ଏହି ଐତିହାସିକ ମୁକ୍ତ ଆକାଶ ବାଣିଜ୍ୟ ମେଳାକୁ ଶୁଭ ଉଦ୍ଘାଟନ କରିଛନ୍ତି । ପରମ୍ପରା ଅନୁଯାୟୀ ମହାନଦୀ ଜଳରେ ବୋଟ ସାହାଯ୍ୟରେ ଆସି ବୈଷ୍ଣବ ପାଣି ମଞ୍ଚରେ ଯାତ୍ରାର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ୧୪ ଦେଶର ରାଷ୍ଟ୍ରଦୂତ ମଧ୍ୟ ଏହି ଭବ୍ୟ ଉଦ୍ଘାଟନରେ ସାମିଲ ହୋଇଥିଲେ ।
୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା :
ଐତିହାସିକ ବାଲିଯାତ୍ରା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜିର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ, କଟକ ସାଂସଦ ଭର୍ତ୍ତୁହରି ମହତାବ, ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, କଟକ ମେୟର ସୁବାସ ସିଂ, କଟକ ଚୌଦ୍ବାର ବିଧୟାକ ସୌଭିକ ବିଶ୍ବଳ ଓ କଟକ ସଦର ବିଧାୟକ ପ୍ରକାସ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।