ଭୁବନେଶ୍ବର: ମୋଦି ଗ୍ୟାରେଣ୍ଟି ନାରାକୁ ନେଇ ରାଜଧାନୀର ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପିର ବିଶାଳ ପଦଯାତ୍ରା । ଓଲ୍ଡ ଟାଉନ ସ୍ଥିତ ଗୋସାଗରେଶ୍ୱର ଛକରୁ ବାହାରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଦେଇ ବାବା କପିଳେଶ୍ୱର ମନ୍ଦିରଠାରେ ଏହି ପଦଯାତ୍ରା ପହଁଚିଥିବା ବେଳେ, ସାଧାରଣସଭା ସହ ପଦଯାତ୍ରା ସରିଛି । ଏହି ବିଶାଳ ପଦଯାତ୍ରାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳୀୟ କର୍ମୀଙ୍କ ସହ ମିଶି ପଦଯାତ୍ରାରେ ଚାଲିଥିଲେ । ମୋଦି ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ସହ ସିଧାସଳଖ କଥା ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ସଚେତନା କରିଥଲେ ।
ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲୋକଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ, ବିକାଶର ରାଜନୀତି ବିଜେପି ବିଶ୍ୱାସ କରଥିବା ବେଳେ ଓଡିଶାର ବିକାଶ ପାଇଁ ମୋଦି ଗ୍ୟାରେଣ୍ଟି ଏକମାତ୍ର ବିକଳ୍ପ । ଓଡିଶାବାସୀଙ୍କ ସମର୍ଥନ ବଳରେ ବିଜେପି ସମସ୍ତ ବାଧା ଦୂର କରିବାରେ ସଫଳ ହେବ ଓ ଓଡ଼ିଶାରେ ବିକାଶର ଧାରା ଅବ୍ୟାହତ ରହିବ । ଲୋକନୀତି, ଲୋକସେବା ଓ ବିକାଶ ବିଜେପି ରାଜନୀତିର ପରିଭାଷା ରହିଥିବା ବେଳେ ବିଜେପି କର୍ମୀ ଅହରହ ଲୋକଙ୍କ ସେବା କରୁଛନ୍ତି । ତେବେ ଏହି ପଦଯାତ୍ରାରେ ଏକ ବଡ ଘୋଷଣା କରିଛନ୍ତି ଅପରାଜିତା । ବାବା କପିଳେଶ୍ୱରଙ୍କ ଆଶୀର୍ବାଦ ନେଇ ଦୀର୍ଘଦିନରୁ ଏହି ମନ୍ଦିରର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଆର୍କୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ବା ଭାରତୀୟ ପ୍ରତ୍ନତତ୍ବ ବିଭାଗକୁ ଏହି ମନ୍ଦିର ହସ୍ତାନ୍ତର ହୋଇଛି ବୋଲି କହିଛନ୍ତି ଅପରାଜିତା ।
ଅପରାଜିତା କହିଛନ୍ତି, ବର୍ତ୍ତମାନ ବିଭାଗ ଏହାର ସମସ୍ତ ବିକାଶର ଦାୟିତ୍ୱ ନେଇଥିବା ବେଳେ ମନ୍ଦିର ପାଇଁ ୫୦ ଲକ୍ଷ ଟଙ୍କାର ମଞ୍ଜୁରୀ ହୋଇଛି । ଖୁବଶୀଘ୍ର ମନ୍ଦିର ବିକାଶକୁ ତ୍ଵରାନିତ୍ଵ କରାଯିବ । ବିକାଶର ଧାରାକୁ ନେଇ ଏଠାରେ ରାସ୍ତା ପ୍ରାସ୍ତାଟିକରଣ କାର୍ଯ୍ୟ ଆରମ୍ଭ ହେବ । ବସ୍ ସିଧାସଳଖ ଏଠାକୁ ଆସିବ ଓ ଶ୍ରଦ୍ଧାଳୁମାନେ ସୁବିଧାରେ ଆସି କପିଳେଶ୍ଵରଙ୍କ ଦର୍ଶନ କରିବେ । ଏହାସହ ଥଣ୍ଡା ପାନୀୟ ଜଳର ସୁବିଧା ଭୁବନେଶ୍ୱରର ୪୬୨ ମନ୍ଦିରରେ କରାଯାଉଥିବା ବେଳେ କପିଳେଶ୍ୱର ମନ୍ଦିରରେ ୭ ଦିନ ଭିତରେ ଶୁଦ୍ଧ ଓ ଥଣ୍ଡା ପାଣିର ବ୍ୟବସ୍ତା କରାଯିବ । ଏହି ସଭାରେ ରାଜ୍ୟ ସରକାର ଏକାମ୍ର ବିକାଶ ବିରୋଧି ବୋଲି କହି ସାଂସଦ ସମାଲୋଚନା କରିଛନ୍ତି । ରାଜନୈତିକ ଇଛାଶକ୍ତି ଅଭାବ ଯୋଗୁ ବହୁ ପୂରାତନ ମନ୍ଦିର ଭାବେ ପରିଚିତ ବାବା କପିଳେଶ୍ୱର ମନ୍ଦିରର ବିକାଶ ହୋଇପାରୁନାହିଁ ବୋଲି ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା ।