ଝାରସୁଗୁଡା: ନିର୍ବାଚନ ଜିତିବା ପରେ ଆକ୍ସନ ମୋଡ୍ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ । ଆଜି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ନବନିର୍ବାଚିତ ବିଧାୟକ । ତେବେ ଡାକ୍ତରଖାନାରେ ଉପୁଜିଥିବା ସମସ୍ୟା ଓ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଟଙ୍କଧର । ଡାକ୍ତରଖାନାର ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହ କିଭଳି ଚିକିତ୍ସା ଚାଲିଛି ଓ ରୋଗୀମାନଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।
ଝାରସୁଗୁଡାରେ ନବନିର୍ବାଚିତ ବିଧାୟକ ଟଙ୍କଧର ତ୍ରିପାଠୀ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର, କାଜୁଆଲିଟି ବିଭାଗ, ଶିଶୁ ବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଆଦି ପରିଦର୍ଶନ କରିବା ସହ ରାତିରେ କର୍ତ୍ତବ୍ୟରତ ଡାକ୍ତର, ନର୍ସ୍, ଫାର୍ମାସିଷ୍ଟ ଓ ସୁରକ୍ଷା କର୍ମୀମାନେ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତିି କି ନାହିଁ ତାର ଅନୁଧ୍ୟାନ କରିଛନ୍ତି । ରୋଗୀମାନଙ୍କ ସୁବିଧା ଅସୁବିଧା ବିସୟରେ ପଚାରି ବୁଝିଛନ୍ତି ବିଧାୟକ ଟଙ୍କଧର । ତେବେ ଚିକିତ୍ସାଳୟରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇବା ସହିତ ତୁରନ୍ତ ଏହାର ସମାଧାନ ପାଇଁ ସମ୍ପୃକ୍ତ ଠିକା ସଂସ୍ଥା ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି । ଅନେକ ଗୁଡ଼ିଏ ଶୌଚାଳୟ ଗୁଡିକରେ ତାଲା ବନ୍ଦ ଥିବା ସହିତ ପୁରୁଷ ଶୌଚାଳୟରେ ମହିଳାଙ୍କ ପ୍ରବେଶ ଦେଖି ଉଦ୍ବେଗ ପ୍ରକାଶ କରିଥିଲେ ବିଧାୟକ ତ୍ରିପାଠୀ । ଏହା ସହିତ ଡାକ୍ତରଖାନା ମ୍ୟାନେଜରଙ୍କୁ ଏହାର ସ୍ଥାୟୀ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।