ରାଉରକେଲା: ସୁନ୍ଦରଗଡ଼ ଲୋକସଭା ପାଇଁ ଜୋର ଧରିଛି ନିର୍ବାଚନ ମାହୋଲ । ନିର୍ବାଚନ ପାଇଁ ମାତ୍ର ଆଉ ଦେଢ଼ ମାସ ସମୟ ରହିଥିବା ବିଭିନ୍ନ ଦଳଗୁଡ଼ିକ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ସ୍ବତନ୍ତ୍ର ରଣକୌଶଳ ପ୍ରସ୍ତୁତ କରିଛନ୍ତି । ତେବେ ସୁନ୍ଦରଗଡ଼ ଲୋକସଭା ଆସନରେ ଏଥର ପ୍ରଥମ ଥର ପାଇଁ କ୍ଷମତାକୁ ଆସିବା ପାଇଁଁ ଆପ୍ରାଣ ଉଦ୍ୟମ କରୁଛି ଦଳ । ଏଥିପାଇଁ ବିଜେଡି ପକ୍ଷରୁ ମୈଦାନକୁ ଓହ୍ଲାଇଛନ୍ତି ହକି ତରକା ଦିଲ୍ଲୀପ ତିର୍କୀ । ସେ ଆଜି(ଶୁକ୍ରବାର) ଦିନ ବଣାଇରେ ଦଳୀୟ ସଂଗଠନକୁ ସୁଦୃଢ କରୁଛନ୍ତି ।
ଏଠାରେ ଆଜି ପର୍ଯ୍ୟନ୍ତ ଗୋଟିଏ ଥର ମଧ୍ୟ ବିଜେଡି ଲୋକସଭା ପ୍ରାର୍ଥୀ ଜିତିବାର ଅସମର୍ଥ ହୋଇଥିବା ବେଳେ ଏଥର କିନ୍ତୁ ଏହାକୁ ହାତେଇବା ଲକ୍ଷ୍ୟରେ ଦଳ । ତେବେ ବର୍ତ୍ତମାନ ଦିଲ୍ଲୀପ ତିର୍କୀ ସମ୍ପୂର୍ଣ୍ଣ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରି ନିଜର ସଂଗଠନ ସୁଦୃଢ କରିବା ସହ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି । ଲୋକଙ୍କୁ ନିଜ ଆଡକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବଣାଇ ବିଧାନସଭା ମଣ୍ଡଳୀକୁ ଯାଇ ସେଠାକାର ସମସ୍ୟା ସମ୍ପର୍କରେ କର୍ମୀଙ୍କ ସହ ଆଲୋଚନା କରିଥିଲେ । ଏବଂ ନେତା କର୍ମୀ ସହ ବରିଷ୍ଠ ନେତୃମଣ୍ଡଳୀକୁ କିଭଳି ଏକାଠି କରି ସଂଗଠିତ କରି ହେବ ତାହା ନେଇ ବୈଠକ କରିଥିଲେ ।
ତେବେ ବଣାଇରେ ଏଥର ଭଲ ଜନ ସମର୍ଥନ ମିଳିବ ଏବଂ ବିଜେଡି ରାଜ୍ୟରେ ସରକାର କରିବା ସହ ସୁନ୍ଦରଗଡ଼ ଲୋକସଭା ସିଟ ଏଥର ବିଜେଡି ହାତେଇବା ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି ଦିଲ୍ଲୀପ ତିର୍କୀ । ସୁନ୍ଦରଗଡ଼ ଲୋକସଭା ଆସନରେ ଶାସକ ଏବଂ ବିରୋଧୀଙ୍କ ପ୍ରାର୍ଥୀ ଘୋଷଣା ପରେ ରାଜନୈତିକ ଦଳ ଗୁଡ଼ିକର ଶିବିର ଚଳ ଚଞ୍ଚଳ ହୋଇ ଉଠିଛି । ଏହାରି ମଧ୍ୟରେ ପ୍ରଚାର ମଧ୍ୟ ଆରମ୍ଭ କରି ଦେଇଛନ୍ତି ତିନି ଦଳର ପ୍ରାର୍ଥୀ । ପ୍ରଥମ ଥର ପାଇଁ ବିଜେଡି ସାଂସଦ ବିଜୟ ହେବା ଲକ୍ଷ୍ୟରେ ରହିଛନ୍ତି ଦିଲ୍ଲୀପ ତିର୍କୀ ।ତେବେ ନୂଆ ପ୍ଲାନିଂ କରି ହକି ଇଣ୍ଡିଆ ସଭାପତି ତଥା ପୂର୍ବତନ ରାଜ୍ୟ ସଭା ସଂସଦ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ଟିକେଟ ଦେବା ପରେ କେତେ ସଫଳ ହେବେ ଦିଲ୍ଲୀପ ତାହାକୁ ନେଇ ବର୍ତ୍ତମାନ ପ୍ରଶ୍ନ ।