ବ୍ରହ୍ମପୁର: ଦକ୍ଷିଣ ଓଡିଶାବାସୀ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁରର ଏମ୍କେସିଜି ମେଡିକାଲରେ ସ୍ବତନ୍ତ୍ର ବର୍ଣ୍ଣ କେୟାର ୟୁନିଟ ଖୋଲିବାକୁ ତେଜିଲା ଦାବି । ଆମରଣ ଅନଶନରେ ବସିଛନ୍ତି ବିଜେପି ନେତା ରାମକୁମାର ପାତ୍ର । ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା ଉପସଭାପତି ରାମକୁମାର ପାତ୍ର ବ୍ରହ୍ମପୁର ଏମକେସିଜିର ବିଭିନ୍ନ ସମସ୍ୟା ସହିତ ରୋଗୀଙ୍କ ପାଇଁ ଅତ୍ୟାବଶ୍ୟକ ରହିଥିବା ସ୍ବତନ୍ତ୍ର ବର୍ଣ୍ଣ କେୟାର ୟୁନିଟ୍ ଖୋଲିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ନିକଟରେ ଅନେକ ଥର ଜଣାଇଛନ୍ତି । ହେଲେ ତାହାକୁ କାର୍ଯ୍ୟକାରୀ କରାନଯିବାରୁ ଶେଷରେ ମେଡିକାଲର ମୁଖ୍ୟ ଫାଟକ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ଏହି ବିଜେପି ନେତା ।
ଗତ 4 ବର୍ଷ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନମଣ୍ଡଳୀର ଡଙ୍ଗଲପାଡୁ ଅଞ୍ଚଳରେ ଏକ ନିର୍ବନ୍ଧ ଭୋଜିକୁ ଯୋଗ ଦେବାକୁ ଯାଉଥିବା ସମୟରେ ଘରୋଇ ବସ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଅନେକ ଗୁରୁତର ହୋଇଥିଲେ । ସେତେବେଳେ ଏମକେସିଜିର ବର୍ଣ୍ଣ କେୟାର ୟୁନିଟ୍ ଖୋଲିବା ଦାବି କରି ବିଜେପି ପକ୍ଷରୁ ଆନ୍ଦୋଳନ ମଧ୍ୟ କରାଯାଇଥିଲା । ସେହି ସମୟରେ ରାଜ୍ୟର ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଏମକେସିଜିରେ ବର୍ଣ୍ଣ କେୟାର ୟୁନିଟ ଖୋଲାଯିବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଇତିମଧ୍ୟରେ 4 ବର୍ଷ ବିତିଯାଇଥିଲେ ମଧ୍ୟ ତାହା ପୂରଣ ହୋଇପାରିଲା ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ରୂପାନ୍ତରିକରଣ ମାଧ୍ୟମରେ ସ୍ବ୍ୟାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତିକରଣ କରାଯାଉଥିବାର ଅନେକ ପ୍ରଚାର କରାଯାଉଛି । ହେଲେ ଏମ୍କେସିଜିରେ ଦୀର୍ଘ ବର୍ଷ ଏହି ଦାବିକୁ ପୂରଣ କରାନଯିବା ଘଟଣାକୁ ନିନ୍ଦା କରାଯିବା ସହିତ ସରକାରଙ୍କୁ ଏନେଇ ସମାଲୋଚନା କରିଛନ୍ତି ବିଜେପି ନେତୃବୃନ୍ଦ ।