ରାଇରଙ୍ଗପୁର: ମେଡିକାଲ କୋଠାରେ ଲାଗିଥିଲା ନିଆଁ । ଅନ୍ୟପଟେ ଚାଲିଥିଲା ଜଣେ ଗର୍ଭବତୀଙ୍କ ଅସ୍ତ୍ରୋପଚାର । ସାହସିକତା ଦେଖାଇଲେ ଡାକ୍ତର । ଅପରେସନ ଅଧାରୁ ଉକ୍ତ ମହିଳା ଓ ନବଜାତକୁ ଉଦ୍ଧାର କଲେ । ଏବେ ରାଷ୍ଟ୍ରପତିଙ୍କ ଭବନରୁ ଆସିଛି ଚିଠି, ହେବେ ସମ୍ମାନିତ । ନିଜର କର୍ତ୍ତବ୍ୟ ଓ ସାହସିକତା ଲାଗି ରାଷ୍ଟ୍ରପତିଙ୍କ ହାତରୁ 'ଜୀବନ ରକ୍ଷକ ପଦକ ପୁରସ୍କାର' ପାଇବାକୁ ଯାଉଛନ୍ତି ବାରିପଦାର ଡାକ୍ତର ରଞ୍ଜନା ଭଣ୍ଡାରୀ ।
- ରାଷ୍ଟ୍ରପତି ଭବନରୁ ଆସିଲା ଡ଼ାକରା :
ଡ଼ାକ୍ତରଙ୍କୁ କୁହାଯାଏ ଦ୍ଵିତୀୟ ଭଗବାନ । କାରଣ ସବୁଠାରୁ ଜଟିଳ ସମୟରେ ଜୀବନକୁ ସେମାନେ ହିଁ ରକ୍ଷା କରନ୍ତି । ସେହିଭଳି ଜଣେ ବିରଳ ବ୍ୟକ୍ତିତ୍ବ ହେଉଛନ୍ତି ବରିଷ୍ଠ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜନା ଭଣ୍ଡାରୀ । ସେ ନିଜ ଜୀବନକୁ ବାଜି ଲଗେଇ ହସ୍ପିଟାଲରେ ଲାଗିଥିବା ନିଆଁ କବଳରୁ ଜଣେ ଅସ୍ତ୍ରପୋଚାର ଗର୍ଭବତୀକୁ ରକ୍ଷା କରିଥିଲେ । ୨୦୨୩ ମସିହା ଅଗଷ୍ଟ ୧୮ ତାରିଖରେ ବାରିପଦା ପିଆରଏମ୍ ମେଡିକାଲରେ ଭୟାବହ ନିଆଁ ଲାଗିଥିଲା । ଏହା ସତ୍ତ୍ୱେ ନିଜ ଜୀବନକୁ ବାଜି ଲଗାଇ ଜଣେ ଗର୍ଭବତୀଙ୍କ ପ୍ରସବ ପାଇଁ ଅସ୍ତ୍ରୋପଚାର ଚାଲିଥିବା ବେଳେ ଉଦ୍ଧାର କରିଥିଲେ ଡାକ୍ତର ରଞ୍ଜନା ଭଣ୍ଡାରୀ । ଏପରି ଦୁଃସାହସିକତା କାର୍ଯ୍ୟ ପାଇଁ ଏବେ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ହେବାକୁ ଯାଉଛନ୍ତି ସେ ।
- ବଖାଣିଲେ ସେଦିନର ହୃଦୟ ବିଦାରକ ଦୃଶ୍ୟ:
ତେବେ ରାଷ୍ଟ୍ରପତି ଭବନରୁ ଡ଼ାକରା ଆସିବା ପରେ ପୂରା ମୟୂରଭଞ୍ଜ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ସେପଟେ ସେହି ଦିନର ଘଟଣା କିପରି ଥିଲା ? ତାହା ବର୍ଣ୍ଣନା କରିଛନ୍ତି ଡାକ୍ତର ରଞ୍ଜନା ଭଣ୍ଡାରୀ । ସେ କହିଛନ୍ତି," ସେହି ଦିନ ଥିଲା ୨୦୨୩ ମସିହା ଅଗଷ୍ଟ ୯ ତାରିଖ । ମୁଁ ବାରିପଦା ପିଆରଏମ ମେଡିକାଲ କଲେଜର ସପ୍ତମ ମହଲାରେ ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ଗର୍ଭବତୀଙ୍କ ଅସ୍ତ୍ରୋପଚାର କରିବା ସମୟରେ ହଠାତ୍ ଅଗ୍ନିକାଣ୍ଡ ହୋଇଥିଲା । ନିଆଁର ପ୍ରକୋପ ଏତେ ଜୋର ଥିଲା ଯେ ଓଟି ସମ୍ପୂର୍ଣ୍ଣ ଜଳି ଛାରଖାର ହୋଇ ଯାଇଥିଲା । ସେହି ସମୟରେ ପ୍ରସୂତି ମହିଳାଙ୍କୁ ଆନାସ୍ଥାସିଆ ଦିଆ ସରିଥିଲା । ଶିଶୁଟି ଜନ୍ମ ନେଇ ସାରିଥିଲା । ହେଲେ ପେଟ ସିଲେଇ ହୋଇନଥିଲା । ନିଆଁ କାରଣରୁ ସମସ୍ତେ ନିଜ ଜୀବନ ବଞ୍ଚାଇବାକୁ ଏଣେ ତେଣେ ଦୌଡ଼ି ଥିଲେ । ଏହି ସମୟରେ ଭଗବାନ ମୋତେ ଶକ୍ତି ଦେଲେ । ମୁଁ ଓଟି ଟେବୁଲକୁ ଟାଣି ଟାଣି ବାହାରକୁ ଆଣି ଅନ୍ୟ ଏକ ଅପରେସନ ଥିଏଟରରେ ମହିଳାଙ୍କ ଅପରେସନ ସାରିଥିଲେ । ଉଭୟ ମହିଳା ଏବଂ ନବଜାତ ସୁରକ୍ଷିତ ଆଉ ସୁସ୍ଥ ହୋଇ ଘରକୁ ଫେରିଥିଲେ ।"