ନିମାପଡା:କଥାରେ ଅଛି ଦଇବ ଯଦି ଦାଉ ସାଧେ ତେବେ ଦୋଷ ଦେବା କାହାକୁ । ଦଇବର ଲୀଳା ବଡ଼ ବିଚିତ୍ର । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏହି ପରିବାର । ସରକାର ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରୁଥିଲେ ମଧ୍ୟ ତାହା ସଠିକ ଭାବେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ସେମିତି ଜଣେ ଅସହାୟ ବ୍ୟକ୍ତି ହେଉଛନ୍ତି ପୁରୀ ଜିଲ୍ଲା କାକଟପୁର ବ୍ଲକ ଜଳେଶ୍ୱରପଡା ପଞ୍ଚାୟତ ତରତ ଗ୍ରାମର ବାବୁଲି ମହାନ୍ତି । ଦିନେ ବାବୁଲି ବାହାର ରାଜ୍ୟରେ ଠିକା ଶ୍ରମିକ ଭାବେ କାମ କରି ଘର ଚଳାଉଥିଲେ । ସ୍ତ୍ରୀ ଓ ପରିବାରକୁ ନେଇ ହସଖୁସିରେ ଚାଲିଥିଲା ଅଭାବୀ ସଂସାର । ହେଲେ ଦିନେ ଦୁଃଖର ପାହାଡ ତାଙ୍କ ଉପରେ ଛିଡିପଡିଲା । ଗତ କିଛି ବର୍ଷ ପୂର୍ବେ ଲିଭର କ୍ୟାନ୍ସରର ଶିକାର ହେଲେ ବାବୁଲି । ବର୍ତ୍ତମାନ ବାବୁଲି ଜୀବନ ମରଣ ସହ ଲଢୁଥିବା ବେଳେ ଚିକିତ୍ସା ପାଇଁ ଆଉ ସମ୍ବଳ ନାହିଁ ।
ଜିଲ୍ଲାର ତରତ ଗ୍ରାମର 35 ବର୍ଷୀୟ ବାବୁଲି ମହାନ୍ତିଙ୍କ ପରିବାର କହିଲେ ସ୍ତ୍ରୀ ଓ ୬ ବର୍ଷର ପୁଅ । ତାଙ୍କର ନା ଅଛି ଚାଷ କରିବାକୁ ଜମିବାଡ଼ି ନା ଟଙ୍କା । ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ଅଟନ୍ତି ବାବୁଲି । ଏନେଇ ପଶ୍ଚିମବଙ୍ଗ ରାଜ୍ୟରେ ଫେବ୍ରିକେସନ କାମରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଆଉ ସେହି ପଇସାରେ ଗାଁରେ ତିନି ପ୍ରାଣୀ କୁଟୁମ୍ବ ବେଶ ଭଲରେ ଚଳିଯାନ୍ତି । କିନ୍ତୁ ବର୍ତ୍ତମାନ ବାବୁଲି ରୋଗ ଶଯ୍ୟାରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଯେଉଁ ରୋଗରେ କୌଣସି ଅସ୍ତ୍ରୋପଚାର ହେଇପାରିବନି ବୋଲି କହିଛନ୍ତି ବିଶେଷଜ୍ଞ । କେବଳ ଔଷଧ ଆଉ ମାସକୁ ରକ୍ତ ନେଲେ ବାବୁଲି କିଛି ବର୍ଷ ବଞ୍ଚିଯିବେ । ହେଲେ ବର୍ତ୍ତମାନ ବାବୁଲିଙ୍କ ଘରେ ମୁଠେ ଚାଉଳ କିଣିବାକୁ ପଇସା ନାହିଁ ଏତେ ବଡ଼ ରୋଗ ପାଇଁ ମାସିକ ଦଶ ହଜାର ଟଙ୍କାର ଚିକିତ୍ସା କରିବେ ବା କିପରି ।