ନିଆଳି: ସାଧାରଣ ନିର୍ବାଚନକୁ ଆଉ ମାସ ଦୁଇଟା ବାକି । ଏବେଠୁ ସରଗରମ ହେଲାଣି ରାଜନୀତି ପାଣିପାଗ । ଏହା ଭିତରେ ଚର୍ଚ୍ଚାରେ ରହିଛି ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀ । ରାଜଧାନୀକୁ ଲାଗି ରହିଥିବାରୁ ଏହାର ଗୁରୁତ୍ଵ ନିଆରା । ଅରବିନ୍ଦ ଢାଲି ଏହି ଆସନରୁ ଏବେ ପ୍ରତିନିଧିତ୍ଵ କରୁଛନ୍ତି । ଲଗାତାର ଭାବରେ ଏହି ଆସନରେ ବିଜେଡିର ବିଜୟ ଧାରା ଜାରି ରହିଥିବା ବେଳେ ପୁଣିଥରେ ଏହି ଆସନକୁ ଅକ୍ତିଆର କରିବାକୁ ପ୍ରୟାସ ଚଲାଇଛି ବିଜେଡି । କିନ୍ତୁ ବିଜେଡିରେ ଦୁଇ ଗୋଷ୍ଠୀ ଯୋଗୁଁ ଏଥର ଦଳ ପାଇଁ ନିର୍ବାଚନ ଲଢ଼ିବା ସେତଟା ସହଜ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି । ସେପଟେ ପ୍ରତିପକ୍ଷ ବିଜେପି ଏବଂ କଂଗ୍ରେସ ଏହା ମଧ୍ୟରେ ସକ୍ରିୟ ହୋଇଥିବା ବେଳେ ବିଜେଡି ଗୋଷ୍ଠୀ କନ୍ଦଳ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ବିଜେଡି, ବିଜେପି ଓ କଂଗ୍ରେସରେ ୨୦୨୪ ଜୟଦେବ ବିଧାନସଭା ଆସନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଲମ୍ବିଛି । କେଉଁ ଦଳରୁ କିଏ ଟିକେଟ ହାତେଇବ ଏବେ ଠୁ ଆକଳନ କରିବା କଷ୍ଟ ହୋଇପଡ଼ିଛି । ତଥାପି ତିନି ଦଳର ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି ।
୨୦୨୪ ନିର୍ବାଚନ ପୂର୍ବରୁ କିଭଳି ରହିଛି ଜୟଦେବ ନିର୍ବାଚନ ମଣ୍ଡଳୀ ରାଜନୀତି ନଜର ପକାନ୍ତୁ:
ରାଜଧାନୀ ଉତ୍ତର ଦିଗରେ ଅବସ୍ଥିତ ଖୋର୍ଦ୍ଧା ଜିଲ୍ଲା ଜୟଦେବ ବିଧାନସଭା ଆସନ । ଗୀତ ଗୋବିନ୍ଦ ରଚୟିତା କବି ଜୟଦେବଙ୍କ ନାଁରେ ୨୦୦୯ ମସିହାରେ ଏହି ନିର୍ବାଚନ ମଣ୍ଡଳୀକୁ ନାମିତ କରାଯାଇଛି । ବାଲିପାଟଣା ବିଧାନସଭା ନିର୍ବାଚନ ମଣ୍ତଳୀକୁ ସେବେଠାରୁ ଜୟଦେବ ନିର୍ବାଚନ ମଣ୍ଡଳୀ ବୋଲି କୁହାଯାଉଛି । ବାଲିପାଟଣା ଓ ବାଲିଅନ୍ତା ବ୍ଲକକୁ ନେଇ ଗଠିତ ଜୟଦେବ ଆସନ ଅନୁସୂଚିତ ଜାତି ବର୍ଗ ଲାଗି ସଂରକ୍ଷିତ । ଭୋଟର ସଂଖ୍ୟା ପ୍ରାୟ ୨ ଲକ୍ଷ ଉପରେ । ତେବେ କାଳନ୍ଦି ଚରଣ ପାଣିଗ୍ରାହୀ,ରବି ରାୟ ଏବଂ ନନ୍ଦିନୀ ଶତପଥୀଙ୍କ ଭଳି ବିଶିଷ୍ଟ ରାଜନେତାଙ୍କ ଜନ୍ମମାଟି ହେଉଛି ଜୟଦେବ ନିର୍ବାଚନ ମଣ୍ଡଳୀ । ରାଜ୍ୟ ରାଜନୀତିରେ ଏହାର ପ୍ରଭାବ ବେଶ ଅନୁମେୟ । ଏବେ ମଧ୍ୟ ଜୟଦେବ ନିର୍ବାଚନ ମଣ୍ଡଳୀର ଗୁରୁତ୍ବ କିଛି କମ୍ ନୁହେଁ ।ରାଜଧାନୀର ଅତି ନିକଟ ହୋଇଥିବାରୁ ରାଜନୈତିକ ଦୃଷ୍ଟିରୁ ଏଠାକାର ଭୋଟର ମଧ୍ୟ ବେଶ ସଚେତନ । ହେଲେ ଏହି ଆସନ ବିଜୁ ଜନତା ଦଳର ଗଡ ପାଲଟିଛି ।
ପୂର୍ବରୁ ବାଲିପାଟଣା ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ ଥିବା ଏହି ନିର୍ବାଚନ ମଣ୍ଡଳୀ ଦିନ କଂଗ୍ରେସୱ ହାତରେ ଥିଲା । କିନ୍ତୁ ୧୯୯୫ ମସିହା ଠାରୁ ଏଠାରୁ ଆଉ ଉଧେଇ ପାରନି କଂଗ୍ରେସ । ୧୯୯୫ରେ ଜନତା ଦଳ ଟିକେଟରୁ ହୃଷିକେଶ ନାୟକ ବିଧାୟକ ହେବା ପରେ ୨୦୦୦ ଠାରୁ ଏ ପର୍ଯ୍ୟନ୍ତ ଏହା ବିଜେଡି ଦଖଲରେ ରହିଛି । ୨୦୦୦ ମସିହା ବାଲିପାଟଣା ବିଧାନସଭା ଆସନ ପାଇଁ ବିଜେଡି ଦଳର ରାଘବ ସେଠି ଟିକେଟ ପାଇ ୪୭ ହଜାର ୨ ଶହ ୭୯ ଖଣ୍ତ ଭୋଟ ପାଇଥିବା ବେଳେ ଭୋଟର ହାର ୫୨.୪୫ ପ୍ରତିଶତ ଥିଲା । କଂଗ୍ରେସ ପ୍ରାର୍ଥୀ ବେଣୁଧର ଭୋଇ ୩୬ ହଜାର ୩ ଶହ ୫୨ ଖଣ୍ତ ଭୋଟ ହାତେଇଥିବା ବେଳେ ଭୋଟ ହାର ୪୦.୩୨ ପ୍ରତିଶତ ଥିଲା । ଅନ୍ୟ ଦଳ କିମ୍ବା ସ୍ବାଧୀନ ପ୍ରାର୍ଥୀଙ୍କ ସେଭଳି କିଛି ଦବଦବା ନଥିଲା । ସେହିପରି ୨୦୦୪ ବିଧାନସଭା ଆସନ ପାଇଁ ବିଜେଡି ଦଳରୁ ଶଶୀ ଭୂଷଣ ବେହେରା ନିର୍ବାଚନ ଲଢି ୫୪ ହଜାର ୨ ଶହ ୯୩ ଖଣ୍ତ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବେଣୁଧର ଭୋଇ ୪୧ ହଜାର ୬ ଶହ ୮୮ ଖଣ୍ତ ଭୋଟ ପାଇଥିଲେ । ଅନ୍ୟପକ୍ଷେ ସ୍ବାଧୀନ ପ୍ରାର୍ଥୀ ନରେନ୍ଦ୍ର ନାଥ ନାୟକ ୧୧ ହଜାର ୫ ଶହ ୬୩ ଖଣ୍ତ ଭୋଟ ପାଇଥିଲେ ।
୨୦୦୯ ନିର୍ବାଚନ ଫଳାଫଳ:
୨୦୦୯ ମସିହାରେ ବାଲିପାଟଣା ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ହୋଇ ଜନ୍ମ ଲାଭ କରିଥିଲା ଜୟଦେବ ନିର୍ବାଚନ ମଣ୍ଡଳୀ । ୨୦୦୯ ରେ ମାଲକାନଗିରି ଜିଲ୍ଲାରୁ ଆସି ଜୟଦେବ ଆସନ ପାଇଁ ବିଜେଡି ଦଳରୁ ଟିକିଏ ହାତେଇ ଥିଲେ ଅରବିନ୍ଦ ଢାଲି । ଅରବିନ୍ଦ ୫୯ ହଜାର ୮ ଶହ ୮୮ ଖଣ୍ତ ଭୋଟ ପାଇଥିବା ବେଳେ ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀମାନେ ୨୦ ହଜାର ମଧ୍ୟ ଟପିନଥିଲେ । କଂଗ୍ରେସ ପ୍ରାର୍ଥୀନୀ ନଳିନୀ ବେହେରା ୧୧ ହଜାର ୭ ଶହ ୮୬ ଖଣ୍ତ, ବିଜେପିରୁ ହୃଷିକେଶ ନାୟକ ୧୦ ହଜାର ୭ ଶହ ୪୯ ଖଣ୍ତ ଭୋଟ ପାଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ନରେନ୍ଦ୍ର ନାଥ ନାୟକ ୧୬ ହଜାର ୨ ଶହ ୮୪ ଖଣ୍ତ ଭୋଟ ପାଇଥିଲେ ।
୨୦୧୪ନିର୍ବାଚନ ଫଳାଫଳ: