ପୁରୀ:ଶେଷରେ ବିକ୍ରି ହେଲା ଅର୍ପଣ ଚାଉଳ । ବହୁ ବାଦ ବିବାଦ ପରେ ନିଲାମ ହେଲା ଅର୍ପଣ ଚାଉଳ । ନିଲାମ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସଂଗୃହିତ ଅର୍ପଣ ଚାଉଳ । କ୍ବିଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ ହୋଇଛି ଅର୍ପଣ ଚାଉଳ । ନିମାପଡାର ମା’ ରାଇସ ମିଲକୁ ବିକ୍ରି ହୋଇଛି ଅର୍ପଣ ଚାଉଳ ।
ଅର୍ପଣ ଚାଉଳ ନିଲାମ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ମୋଟ ୧୦ ହଜାର ୩୨୨ କ୍ବିଣ୍ଟାଲ ଅର୍ପଣ ଚାଉଳ ନିଲାମ ହୋଇଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ମୋଟ ୨ କୋଟି ୮୬ ଲକ୍ଷ ଟଙ୍କାରେ ଅର୍ପଣ ଚାଉଳକୁ ନିଲାମ କରାଯାଇଛି । ଏହି ଅର୍ଥକୁ ଶ୍ରୀ ମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ ଓ ଏହା ଶ୍ରୀ ମନ୍ଦିର ପାଣ୍ଠିରେ ରଖାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।
ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଅବସରରେ ରାଜ୍ୟର କୋଣ ଅନୁକୋଣରୁ ଅର୍ପଣ ଚାଉଳ ଭକ୍ତଙ୍କ ଠାରୁ ଆସିଥିଲା। ପ୍ରାୟ ୧୪ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ସଂଗ୍ରହ କରାଯାଇଥିଲା । ତେବେ ଏହି ଅର୍ପଣ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତି କରାଯାଇ ଶ୍ରୀ ମନ୍ଦିର ଚାରି ଦ୍ୱାରରେ ଭକ୍ତଙ୍କ ପାଇଁ ବଣ୍ଟନ କରାଯାଇଥିଲା । ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ଏହା ବନ୍ଦ ହୋଇଯାଇଥିଲା । ନୂଆ ସରକାର ଆସିବା ପରେ ଏହି ଅର୍ପଣ ଚାଉଳ ରୁ ମହାପ୍ରସାଦ ପ୍ରସ୍ତୁତି ଓ ଭକ୍ତ ଙ୍କୁ ବଣ୍ଟନ ନେଇ କୌଣସି ନିଷ୍ପତ୍ତି ହୋଇନଥିଲା। ତେବେ ଚାଉଳ ଧୀରେ ଧୀରେ ଖରାପ ହେବାରେ ଲାଗିବାରୁ ଏହାକୁ ନିଲାମ କରି ସଂଗୃହୀତ ଅର୍ଥକୁ ଶ୍ରୀ ମନ୍ଦିର ପାଣ୍ଠି ରେ ରଖିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।