ଲକ୍ଷ୍ନୌ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2025 ଆରମ୍ଭ ପୂର୍ବରୁ ଏକ ବଡ଼ ଅପ୍ଡେଟ୍ ସାମ୍ନାକୁ ଆସିଛି । ସଞ୍ଜୀବ ଗୋଏଙ୍କାଙ୍କ ମାଲିକାନାରେ ଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦଳ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନଙ୍କୁ ଦଳର ପରାମର୍ଶଦାତା ଭାବରେ ନିଯୁକ୍ତ କରିଛନ୍ତି । ଜାହିର ଖାନ ବର୍ତ୍ତମାନ LSGରେ ଗୌତମ ଗମ୍ଭୀରଙ୍କ ସ୍ଥାନ ନେଇଛନ୍ତି । ଆଜି LSG ଏହାର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛି । LSG ଅଫିସିଆଲ 'ଏକ୍ସ' ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରାଯାଇଛି, ଯେଉଁଥିରେ ଜହିର ଖାନଙ୍କୁ ଦେଖିବାକୁ ମିଳିଛି । ପୋଷ୍ଟ ହୋଇଥିବା ଏହି ଭିଡିଓର କ୍ୟାପ୍ସନରେ ଲେଖାଯାଇଛି, "ଜାହିର, ତୁମେ ଦୀର୍ଘ ଦିନରୁ ଲକ୍ଷ୍ନୌର ହୃଦୟରେ ରହି ଆସିଛ ।"
ଗମ୍ଭୀରଙ୍କ ସ୍ଥାନ ନେଲେ ଜାହିର ଖାନ :-
ବର୍ତ୍ତମାନ ଭାରତର ଏହି ପୂର୍ବତନ ଷ୍ଟାର ପେସରଙ୍କୁ ଆଇପିଏଲ୍ 2025ରେ ଏଲ୍ଏସ୍ଜି ମେଣ୍ଟର ଭାବରେ ଦେଖିବାକୁ ମିଳିବ । ପ୍ରକାଶ ଥାଉ, ଆଇପିଏଲ୍ 2022ରେ ଲକ୍ଷ୍ନୌ ଦଳ ଆଇପିଏଲ୍ରେ ଡେବ୍ୟୁ କରିବା ଦିନରୁ ବର୍ତ୍ତମାନର ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏଲ୍ଏସ୍ଜିର ମେଣ୍ଟର ଦାୟିତ୍ବ ତୁଲାଉଥିଲେ । 2024 ଆଇପିଏଲ୍ ପୂର୍ବରୁ ସେ ଏଲ୍ଏସ୍ଜି ଛାଡ଼ି ନିଜ ପୂରୁଣା ଦଳ କୋଲକାତା ନାଇଟ ରାଇଡର୍ସକୁ ଫେରିଆସିଥିଲେ । ତାଙ୍କ ଅନୁପସ୍ଥିତି ଯୋଗୁଁ ଏହି ପଦବୀ ଖାଲି ଥିଲା, କିନ୍ତୁ ବର୍ତ୍ତମାନ ସଞ୍ଜୀବ ଗୋଏଙ୍କାଙ୍କ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଜାହିର ଖାନଙ୍କୁ ନିଯୁକ୍ତି ଦେଇ ଏହି ପଦ ପୂରଣ କରିଛି । ଜାହିରଙ୍କୁ ଦଳର ମେଣ୍ଟର ଭାବେ ଘୋଷଣା କରିବାବେଳେ ଦଳର ମାଲିକ ସଞ୍ଜୀବ ଗୋଏଙ୍କା ତାଙ୍କୁ ଦଳର ଜର୍ସି ଉପହାର ଦେଇଥିଲେ ।