ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ବାକି ଥିବା 3 ଟେଷ୍ଟ ମ୍ୟାଚ୍ ପାଇଁ ଶନିବାର ଦଳ ଘୋଷଣା କରିଛି ବିସିସିଆଇ । ଏହାପରେ ସବୁଠାରୁ ଆଲୋଚନାର ବିଷୟ ପାଲଟିଛି କିପରି ରହିବ ଚୂଡ଼ାନ୍ତ ଏକାଦଶ । କାରଣ ବ୍ୟକ୍ତିଗତ କାରଣରୁ ପ୍ରଥମ 2ଟି ଟେଷ୍ଟରୁ ଓହରିଥିବା ବିରାଟ କୋହଲି ସମ୍ପୂର୍ଣ୍ଣ ଟେଷ୍ଟରୁ ଦୂରେଇ ଯାଇଛନ୍ତି । ଆହତ କାରଣରୁ ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟର ମଧ୍ୟ ବଳକା ମ୍ୟାଚ୍ରୁ ବାଦ ପଡ଼ିଛନ୍ତି । ଦ୍ବିତୀୟ ଟେଷ୍ଟରୁ ବାଦ ପଡ଼ିଥିବା ଷ୍ଟାର ବ୍ୟାଟର କେଏଲ୍ ରାହୁଲ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦଳକୁ ଫେରିଥିଲେ ହେଁ ସେମାନେ ଖେଳିବେ କି ନାହିଁ ତାହା ତାଙ୍କ ଫିଟ୍ନେସ୍ ଉପରେ ନିର୍ଭର କରେ ।
ଟିମ୍ ଇଣ୍ଡିଆକୁ ମଧ୍ୟକ୍ରମ ଚିନ୍ତା: ପ୍ରଥମ ମ୍ୟାଚ୍ରୁ ହିଁ ମଧ୍ୟକ୍ରମ ବ୍ୟାଟିଂକୁ ନେଇ ଚିନ୍ତାରେ ରହିଥିଲା ଭାରତୀୟ ଦଳ । କାରଣ ବିରାଟ କୋହଲିଙ୍କ ଭଳି ଜଣେ ଅଭିଜ୍ଞ ବ୍ୟାଟର ଦଳ ଠାରୁ ଦୂରେଇ ଯାଇଥିଲେ । ଯଦିଓ ଶ୍ରେୟସ ଆୟରଙ୍କ ନିକଟରେ କେତେକାଂଶରେ ବିଶ୍ବାସ ରଖିଥିଲେ ଚୟନକର୍ତ୍ତା, ହେଲେ ସେ ପ୍ରଭାବୀ ସାବ୍ୟସ୍ତ ହେଲେନାହିଁ । ତଥାପି ତାଙ୍କୁ ସୁଯୋଗ ମିଳୁଥିଲା । ହେଲେ ଆହତ ହୋଇ ସେ ଏବେ ବାହାର ହୋଇଛନ୍ତି । ତେବେ ଯଦି କେଏଲ୍ ରାହୁଲ ଫିଟ୍ ହୋଇ ଫେରନ୍ତି, ତେବେ ନିଶ୍ଚିତ ଭାବେ ସେ ଏହି ସ୍ଥାନରେ ଖେଳିବେ । ନହେଲେ ସର୍ଫରାଜ ଖାନଙ୍କୁ ଏହି ସ୍ଥାନ ମିଳିପାରେ । ଏହା ପଛକୁ ରଜତ ପଟିଦାର ମଧ୍ୟ ଅଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଶେଷ 3 ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ଖେଳିବେନି କୋହଲି
କାହା ସ୍ଥାନ ନେବେ ଜାଡେଜା ?: ପ୍ରଥମ ଟେଷ୍ଟରେ ଆହତ ହୋଇ ଦ୍ବିତୀୟ ଟେଷ୍ଟରୁ ବାଦ ପଡ଼ିଥିଲେ ଭାରତୀୟ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଏଥର 3ୟ ଟେଷ୍ଟ ପାଇଁ ଯଦିଓ ସେ ଦଳକୁ ଫେରିଛନ୍ତି, ହେଲେ ସେ ଖେଳିବା ତାଙ୍କ ଫିଟ୍ନେସ୍ ଉପରେ ନିର୍ଭର କରେ । ଯଦି ସେ ଖେଳନ୍ତି, ତେବେ ଅକ୍ଷର ପଟେଲ କିମ୍ବା କୁଲଦୀପ ଯାଦବଙ୍କ ସ୍ଥାନ ନେବେ । ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ରେ ଅକ୍ଷର ଯଦିଓ ପ୍ରଭାବୀ ବୋଲିଂ କରିପାରିନାହାନ୍ତି, ହେଲେ ବ୍ୟାଟିଂରେ ଭଲ ଯୋଗଦାନ ଦେଇଛନ୍ତି । ଅନ୍ୟପଟେ ଦ୍ବିତୀୟ ଟେଷ୍ଟରେ ସୁଯୋଗ ପାଇଥିବା କୁଲଦୀପ ଇଂରାଜୀ ବ୍ୟାଟରଙ୍କୁ ଅଡ଼ୁଆରେ ପକାଇବାରେ ସକ୍ଷମ ହୋଇଥିଲେ । ତେଣୁ ତାଙ୍କ ସ୍ଥାନ ସୁରକ୍ଷିତ ରହିପାରେ ।