ନୂଆଦିଲ୍ଲୀ:ଜିମ୍ବାଓ୍ବେ ବିପକ୍ଷ ଟି 20 ସିରିଜ ପରେ ଆସନ୍ତା ଜୁଲାଇ ଶେଷ ସପ୍ତାହରେ ଶ୍ରୀଲଙ୍କା ଗସ୍ତ କରିବ ଟିମ୍ ଇଣ୍ଡିଆ । ଏହା ପୂର୍ବରୁ ଭାରତ-ଶ୍ରୀଲଙ୍କା ଟି20 ଓ ଦିନିକିଆ ସିରିଜ ପାଇଁ କାର୍ଯ୍ୟସୂଚୀ ବିସିସିଆଇ ଘୋଷଣା କରିଛି । ଏହି ଗସ୍ତ ସମୟରେ ଘରୋଇ ଟିମ୍ ସହ ତିନି ଟିକିଆ ଟି 20 ସିରିଜ ଓ ତିନି ଟିକିଆ ଦିନିକିଆ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ । ପାଲେକେଲେରେ ଟି20 ଓ କଲମ୍ବୋରେ ଏକଦିବସୀୟ ମ୍ୟାଚ ଖେଳାଯିବ ।
ଉଭୟ ଫର୍ମାଟର ଖେଳସୂଚୀ:ଜୁଲାଇ 26 ତାରିଖରେ ପ୍ରଥମ ଟି20 ମ୍ୟାଚ ଖେଳାଯିବ । ଏହାପରେ ଜୁଲାଇ 27 ଓ 29ରେ ଦ୍ବିତୀୟ ଓ ଶେଷ ମ୍ୟାଚ ଖେଳାଯିବ । ଏହି ସିରିଜ ସରିବା ପରେ ଏକ ଦିବସୀୟ ସିରିଜ ଆରମ୍ଭ ହେବ । ଅଗଷ୍ଟ ପହିଲାରେ ପ୍ରଥମ ମ୍ୟାଚ ଓ ଅଗଷ୍ଟ 4ରେ ଦ୍ବିତୀୟ, ଅଗଷ୍ଟ 7 ତାରିଖରେ ତୃତୀୟ ମ୍ୟାଚ ଖେଳାଯିବ ।
ଟି 20ରେ ପାଣ୍ଡ୍ୟା ଓ ଦିନିକିଆରେ ରାହୁଲ ଅଧିନାୟକ !:ଭାରତ ଦ୍ବିତୀୟ ଥର ଟି 20 ବିଶ୍ବକପ ଜିତାଇବା ପରେ ରୋହିତ ଶର୍ମା, କୋହଲି ଓ ଜାଡେଜା ଏହି ଫର୍ମାଟରୁ ଅବସର ନେଇଛନ୍ତି । ତେଣୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଟି20 ସିରିଜରେ ପାଣ୍ଡ୍ୟା ଅଧିନାୟକ ଭାର ତୁଲାଇ ପାରନ୍ତି । ସେହିପରି ରୋହିତ ବିଶ୍ରାମ ନେଇଥିବାରୁ ଦିନିକିଆ ସିରିଜରେ କେଏଲ ରାହୁଲ ଅଧିନାୟକ ହୋଇପାରନ୍ତି ବୋଲି କୁହାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବିସିସିଆଇ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ ।