ରାୟପୁର: ଛତିଶଗଡ଼ର ନାରାୟଣପୁର ଓ ଦନ୍ତେୱାଡ଼ା ସୀମା ନିକଟବର୍ତ୍ତୀ ଦକ୍ଷିଣ ଅବୁଝମାଡରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ଗୁଳିମାଡରେ ୪ ନକ୍ସଲ ନିପାତ ହୋଇଛନ୍ତି । ଏହାସହ ଗୁଳି ବିନିମୟରେ ଦନ୍ତେୱାଡ଼ା ଡିଆରଜିର ଜଣେ ଯବାନ ଶହୀଦ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଦନ୍ତେୱାଡ଼ା ପୋଲିସ ଅଧୀକ୍ଷକ ଗୌରବ ରାୟ ।
୪ ନକ୍ସଲ ନିପାତ:
ଗତକାଲି (ଶନିବାର) ସନ୍ଧ୍ୟାରେ ଛତିଶଗଡ଼ର ନାରାୟଣପୁର, ଦନ୍ତେୱାଡ଼ା, ଜଗଦଲପୁର, କୋଣ୍ଡାଗାଁ ଜିଲ୍ଲାର ଡିଆଇଜି ଓ ଏସଟିଏଫ ଟିମ୍ ମିଳିତ ଭାବରେ ନକ୍ସଲ ବିରୋଧୀ ସର୍ଚ୍ଚ ଅପରେସନ ପାଇଁ ଦକ୍ଷିଣ ଅବୁଝମାଡରେ ପହଞ୍ଚିଥିଲେ । ସର୍ଚ୍ଚ ଅପରେସନବେଳେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଗୁଳି ବିନମୟ ଚାଲିଥିଲା । ଗୁଳି ବିନିମୟ ପରେ ସର୍ଚ୍ଚ ଅପରେସନ ସମୟରେ ଯବାନମାନେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଏହାସହ AK47, SLR ଭଳି ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ।
ଯବାନ ଶହୀଦ:
ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଭିତରେ ନକ୍ସଲଙ୍କ ଗୁଳିମାଡ଼ରେ ଦନ୍ତେୱାଡା DRG ମୁଖ୍ୟ କନେଷ୍ଟବଳ ସାନ୍ନୁ କୁମାର ଶହୀଦ ହୋଇଛନ୍ତି । ଏନେଇ ଦନ୍ତେୱାଡ଼ା ପୋଲିସ ଅଧିକ୍ଷକ ଗୌରବ ରାୟ ସୂଚନା ଦେଇଛନ୍ତି । ସେପଟେ ବର୍ତ୍ତମାନ ସୁଦ୍ଧା ଯବାନମାନେ ଘଟଣାସ୍ଥଳରେ ସର୍ଚ୍ଚ ଅପେରେସନ ଜାରି ରଖିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ନୂଆପଡା ସୀମାନ୍ତରେ ଏନକାଉଣ୍ଟର, 3 ନକ୍ସଲ ସଫା ଏହା ମଧ୍ୟ ପଢ଼ନ୍ତୁ...ଦନ୍ତେୱାଡାରେ ଗୁଳିବିନିମୟ, ଟଳିଲେ ୭ ନକ୍ସଲ |
ବର୍ଷର ୨ୟ ଗୁଳି ବିନିମୟ:
ଛତିଶଗଡ଼ରେ ଚଳିତ ବର୍ଷ ଆରମ୍ଭରୁ ଦୁଇ ଦୁଇ ଥର ଗୁଳି ବିନିମୟ ହୋଇସାରିଲାଣି । ୨୦୨୫ର ଏହା ଦ୍ବିତୀୟ ଗୁଳି ବିନିମୟ । ଗତ ୩ ତାରିଖରେ ମଧ୍ୟ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ନୂଆପଡା CRPF, ଏସଓଜି, ଡିଏଏଫ ଯବାନ ସମେତ ଛତିଶଗଡର ଯବାନ ମିଳିତ ଭାବେ କମ୍ବିଂ ଅପରେସନ କରୁଥିଲେ । ଛତିଶଗଡର ଗରିଆବନ୍ଧ ଜିଲ୍ଲାର କଣ୍ଡାସର ଗାଁ ନିକଟସ୍ଥ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ରହିଥିବା ଯବାନଙ୍କୁ ଗୁଇନ୍ଦା ଖବର ମିଳିଥିଲା । ପରେ ଗରିଆବନ୍ଧ ଆରକ୍ଷୀ ଅଧିକ୍ଷକ, ନୂଆପଡା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ରାଜ୍ୟ ଯବାନଙ୍କ ମିଳିତ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା । ଯବାନଙ୍କ ସର୍ଚ୍ଚ ଅପରେସନ ଖବର ପାଇ ଯବାନଙ୍କୁ ନକ୍ସଲମାନେ ଆକ୍ରମଣ କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ଯବାନ । ଏହି ଗୁଳି ବିନିମୟରେ ୩ ନକ୍ସଲ ନିପାତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ