ନୂଆଦିଲ୍ଲୀ :ନିକଟରେ ଦୁଲୀପ ଟ୍ରଫି ପାଇଁ ଟିମ୍ ଘୋଷଣା କରିଛି ବିସିସିଆଇ । ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଚୟନ କମିଟି ଆଗାମୀ ଦୁଲୀପ ଟ୍ରଫି ପାଇଁ 4ଟି ଦଳ ଘୋଷଣା କରିଛନ୍ତି । ଏଥିରେ ଭାରତୀୟ ଜାତୀୟ ଦଳର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଥିବା ଅନେକ ଷ୍ଟାର କ୍ରିକେଟରଙ୍କ ନାଁ ମଧ୍ୟ ସାମିଲ ରହିଛି । ଯଦିଓ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲି ମଧ୍ୟ ଏହି ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବେ ବୋଲି ଆଲୋଚନା ହୋଇଥିଲା, ହେଲେ ଭୟଙ୍କ ନାମ କୌଣସି ଦଳରେ ନାହିଁ । ତେବେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଦୁଲୀପ୍ ଟ୍ରଫିରେ ଅନ୍ତର୍ଭୁକ୍ତ କରାନଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ।
ରିସ୍କ ନେବାକୁ ଚାହୁଁନି BCCI :-
ଦୁଲୀପ ଟ୍ରଫିରେ ବିରାଟ ଓ ରୋହିତଙ୍କ ଅନୁପସ୍ଥିତିକୁ ନେଇ ମହାନ ବ୍ୟାଟର ସୁନୀଲ ଗାଭାସ୍କର ଉଦ୍ବେଗ ପ୍ରକାଶ କରିଛନ୍ତି । କାରଣ ଆଗକୁ ଭାରତ ଅନେକ ଟେଷ୍ଟ ସିରିଜ ଖେଳିବ । ବାଂଲାଦେଶ ବିପକ୍ଷ ସିରିଜରୁ ଭାରତର ଏହି ଟେଷ୍ଟ ଅଭିଯାନ ଆରମ୍ଭ ହେବ । ହେଲେ ଭଲରେ ଅଭ୍ୟାସ ନକରି ସିଧାସଳଖ ବାଂଲାଦେଶ ଟେଷ୍ଟ ସିରିଜରେ ଖେଳିବେ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ଦଳର ଅଧିନାୟକ ରୋହିତ ଶର୍ମା । ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ବିସିସିଆଇ ସଚିବ ଜୟ ଶାହ କହିଥିଲେ ଯେ, ଦୁଲୀପ୍ ଟ୍ରଫିରେ ବିରାଟ ଏବଂ ରୋହିତଙ୍କୁ ଖେଳାଇ ସେମାନଙ୍କର କାର୍ଯ୍ୟ ଭାର ବଢ଼ାଇବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ଏଥିରେ ସେମାନେ ଆହତ ହେବାର ସମ୍ଭାବନା ମଧ୍ୟ ରହିଛି । ଆଗକୁ ଭାରତୀୟ ଦଳର ଏକ ଲମ୍ବା ଅଭିଯାନ ଆରମ୍ଭ ହେବାକୁ ଯାଉଥିବାରୁ ବିରାଟ ଓ ରୋହିତଙ୍କ ଭଳି ଖେଳାଳି ଘରୋଇ କ୍ରିକେଟ୍ ଖେଳି ଆହତ ହୋଇଯାଆନ୍ତୁ, ଏହା ବିସିସିଆଇ ଚାହେଁ ନାହିଁ ।