ଓଡିଶା

odisha

ETV Bharat / sports

ନା ବସିବାକୁ ଅଛି ଚେୟାର ନା ଅଛି ୱାଶରୁମ; କେମିତି ଆୟୋଜନ ହେବ ଚାମ୍ପିୟନ୍ସ ଟ୍ରଫି ? - Champions Trophy 2025 - CHAMPIONS TROPHY 2025

Champions Trophy 2025 in Pakistan : ଆଇସିସି ଚାମ୍ପିୟନ୍ସ ଟ୍ରଫି 2025 ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବା ପାକିସ୍ତାନ କ୍ରିକେଟ ବୋର୍ଡର ସ୍ଥିତି ଶୋଚନୀୟ । ପାକିସ୍ତାନ ଷ୍ଟାଡିୟମ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ କରିବାକୁ ଯୋଗ୍ୟ ନୁହେଁ କହିଲେ ନିଜେ ପିସିବି ମୁଖ୍ୟ । କେମିତି ହେବ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ? ଅଧିକ ପଢ଼ନ୍ତୁ

Pakistan Cricket Stadium File Photo
Pakistan Cricket Stadium File Photo (Getty Image)

By ETV Bharat Sports Team

Published : Aug 20, 2024, 2:47 PM IST

ହାଇଦ୍ରାବାଦ : ଆଇସିସି ଚାମ୍ପିୟନ୍ସ ଟ୍ରଫି 2025 ପାଇଁ ପାକିସ୍ତାନରେ ଜୋରଦାର ପ୍ରସ୍ତୁତି ଚାଲିଛି । ଏହି ଆଇସିସି ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଯଥା ସମ୍ଭବ ପ୍ରୟାସ ଚଳାଇଛି । ଫେବୃଆରୀରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବ ପାକିସ୍ତାନ । ହେଲେ ଏହା ପୂର୍ବରୁ ପିସିବି ଓ ଏହାର ଷ୍ଟାଡିୟମ ଗୁଡ଼ିକର ଗୋଟିଏ ପରେ ଗୋଟିଏ ଖରାପ ଅବସ୍ଥା ସାମ୍ନାକୁ ଆସିବାରେ ଲାଗିଛି । ପ୍ରଥମେ ତ ଚାମ୍ପିୟନ୍ସ ଟ୍ରଫି ଖେଳାଯିବାକୁ ଥିବା ଷ୍ଟାଡିୟମ ଗୁଡ଼ିକରେ ଭଡ଼ାରେ ଫ୍ଲଡ ଲାଇଟ୍ସ ଓ ଜେନେରେଟର ଆଣି ଲଗାଇବାକୁ ପିସିବି ଟେଣ୍ଡର ଆହ୍ବାନ କରିଥିଲା । ଆଉ ଏବେ ନିଜେ ପିସିବି ଚେୟାରମ୍ୟାନ୍ ମୋହସିନ୍ ନାକଭି ସୋମବାର ଦେଶର କ୍ରିକେଟ୍ ଷ୍ଟାଡିୟମର ନବୀକରଣର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ପାକିସ୍ତାନରେ ଥିବା ଷ୍ଟାଡିୟମ ଓ ଅନ୍ତର୍ଜାତୀୟ ଷ୍ଟାଡିୟମ ମଧ୍ୟରେ ବହୁତ ଫରକ :-

ପିସିବି ମୁଖ୍ୟ ମୋହସିନ୍ ନାକଭି ନିଜର ଏକ ବୟାନରେ ପାକିସ୍ତାନ କ୍ରିକେଟ୍ ଷ୍ଟାଡିୟମ ଗୁଡ଼ିକର ଖରାପ ସ୍ଥିତିକୁ ପ୍ରକାଶ କରିଛନ୍ତି । ପାକିସ୍ତାନର ଏକ ମିଡିଆ ଚ୍ୟାନେଲ ସହ ଆଲୋଚନା ବେଳେ ସେ ସ୍ବୀକାର କରିଛନ୍ତି ଯେ ପାକିସ୍ତାନରେ ଥିବା ଷ୍ଟାଡିୟମ ଏବଂ ଅନ୍ତର୍ଜାତୀୟ ଷ୍ଟାଡିୟମ ମାନକ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ସେ ମାନିଛନ୍ତି ଯେ ଦେଶର ଷ୍ଟାଡିୟମ୍ ଅନ୍ତର୍ଜାତୀୟ ମାନକ ଅନୁଯାୟୀ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଫିଟ୍ ନୁହେଁ । ଏହା ସହିତ ଆଇସିସି ଇଭେଣ୍ଟକୁ ସଫଳତାର ସହ ଆୟୋଜନ କରିବା ପାଇଁ ଥିବା ତ୍ରୁଟିଗୁଡିକୁ ଦୂର କରିବାକୁ ମଧ୍ୟ ସେ ପ୍ରତିଶୃତି ଦେଇଛନ୍ତି । ନାକଭି କହିଛନ୍ତି ଯେ, ପାକିସ୍ତାନରେ ଥିବା କୌଣସି ଷ୍ଟାଡିୟମ ଅନ୍ତର୍ଜାତୀୟ ଷ୍ଟାଡିୟମ ହେବାକୁ ଯୋଗ୍ୟ ନୁହେଁ । ସେ କହିଛନ୍ତି, "ଆମର ଷ୍ଟାଡିୟମ୍ ଏବଂ ବିଶ୍ବର ଅନ୍ୟ ଷ୍ଟାଡିୟମ୍ ମଧ୍ୟରେ ବହୁତ ପାର୍ଥକ୍ୟ ଥିଲା । କୌଣସି ପ୍ରକାରେ ଆମ ଦେଶର ଷ୍ଟାଡିୟମ ଗୁଡ଼ିକ ଆନ୍ତର୍ଜାତୀୟ ଷ୍ଟାଡିୟମ୍ ନଥିଲା । କେବଳ ଏତିକି ନୁହେଁ, ଆମ ଷ୍ଟାଡିୟମରେ ନା ଥିଲା ସିଟ୍ ନା ବାଥରୁମ୍, ଏବଂ ଦୃଶ୍ୟ ଏପରି ଥିଲା ଯେ ଆପଣଙ୍କୁ ଲାଗିବ ଆପଣ 500 ମିଟର ଦୂରରୁ ଦେଖୁଛନ୍ତି ।" ପିସିବି ମୁଖ୍ୟଙ୍କ ଏହି ବିବୃତ୍ତି ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ସେଠାରେ ଥିବା ଷ୍ଟାଡିୟମ ଗୁଡ଼ିକରେ ମୌଳିକ ସୁବିଧା ମଧ୍ୟ ନାହିଁ ।

ଭଡ଼ାରେ ଫ୍ଲଡଲାଇଟ୍‌ ଓ ଜେନେରେଟର ଲଗାଇବାକୁ ଟେଣ୍ଡର ଆମନ୍ତ୍ରଣ କରିଛି ପିସିବି :-

ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନକୁ ସମସ୍ତ କ୍ରିକେଟ ଫିଲ୍ଡରେ ନୂଆ ଫ୍ଲଡଲାଇଟ ଲଗାଇବାକୁ ପଡିବ, ଯାହା ବୋର୍ଡକୁ ଚିନ୍ତାରେ ପକାଇ ଦେଇଛି । ଖର୍ଚ୍ଚରୁ ବଞ୍ଚିବା ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ନୂଆ ଫ୍ଲଡଲାଇଟ କିଣିବା ପରିବର୍ତ୍ତେ ସେଗୁଡ଼ିକୁ ଏକ ବର୍ଷ ପାଇଁ ଭଡ଼ାରେ ଆଣିବାକୁ ନିଷ୍ପତ୍ତି ନେଇଛି । କରାଚି ଏବଂ ଲାହୋର ପଡିଆରେ ଏକ ବର୍ଷ ପାଇଁ ଫ୍ଲଡ୍‌ଲାଇଟ ଭଡ଼ାରେ ଲଗାଇବାକୁ ପିସିବି ଟେଣ୍ଡର ଆମନ୍ତ୍ରଣ କରିଛି । ଏହା ବ୍ୟତୀତ କରାଚି ଏବଂ ଲାହୋର ପଡିଆରେ ପୂର୍ବରୁ ସ୍ଥାପିତ ହୋଇଥିବା ପୁରୁଣା ଫ୍ଲଡଲାଇଟ ଗୁଡ଼ିକୁ ହଟାଇ କ୍ୱେଟା ଏବଂ ରାୱଲପିଣ୍ଡି ଷ୍ଟାଡିୟମରେ ଲଗାଯାଉଛି ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି । କେବଳ ଏତିକି ନୁହେଁ, ଜେନେରେଟର ମଧ୍ୟ ଭଡାରେ ଆଣିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ ଯୋଜନା କରୁଛି । କରାଚି, ଲାହୋର, ରାୱଲପିଣ୍ଡି, ମୁଲତାନ, ଫୈସଲାବାଦ, ଆବଟ୍ଟାବାଦ, କ୍ୱେଟା, ପେଶୱାର ଭଳି ପ୍ରମୁଖ ଷ୍ଟାଡିୟମ ପାଇଁ ଜେନେରେଟର ଯୋଗାଇବା ପାଇଁ ମଧ୍ୟ ପିସିବି ଟେଣ୍ଡର ଆମନ୍ତ୍ରଣ କରିଛି । ସୂତ୍ରରୁ ପ୍ରକାଶ ଯେ, ସେଠାରେ ଲୋଡ୍ ସେଡିଙ୍ଗ୍ ସମସ୍ୟା ବଢ଼ିଚାଲିଛି । ତେଣୁ ମ୍ୟାଚ୍‌ ସମୟରେ ଯେପରି କୌଣସି ବିଦ୍ୟୁତ ବ୍ୟାଘାତ ନହୁଏ, ତାହା ସୁନିଶ୍ଚିତ କରିବାକୁ ଜେନେରେଟର ବ୍ୟବହାର କରାଯିବ । ଏବେ ଦେଖିବାର କଥା, ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବା ପୂର୍ବରୁ ପାକିସ୍ତାନ ଏହାର ଷ୍ଟାଡିୟମ ଗୁଡ଼ିକରେ ଉନ୍ନତି ଆଣିପାରୁଛି କି ନାହିଁ ।

ହୋଇପାରେ ହାଇବ୍ରିଡ ମଡେଲ :-

ଚାମ୍ପିୟନ୍ସ ଟ୍ରଫି 2025 ଆୟୋଜନ ଅଧିକାର ଜିତିଥିବା ପାକିସ୍ତାନ ପାଇଁ ଆଇସିସି 70 ମିଲିୟନ୍ ଡଲାର ଅନୁମୋଦନ କରିଛି ସତ, ହେଲେ ଦେଖିବାକୁ ବାକି ରହିଲା ଚାମ୍ପିୟନ୍ସ ଟ୍ରଫି ସମ୍ପୂର୍ଣ୍ଣ ପାକିସ୍ତାନରେ ଆୟୋଜିତ ହେବ କି ନାହିଁ । କାରଣ ଭାରତୀୟ ଦଳ ଏହାର ମ୍ୟାଚ୍ ଖେଳିବା ପାଇଁ ପାକିସ୍ତାନ ଭ୍ରମଣ କରିବାର ସମ୍ଭାବନା କ୍ଷୀଣ । 2023 ମସିହାରେ ଏସିଆ କପ୍ ଆୟୋଜନ ଅଧିକାର ଯଦିଓ ପାକିସ୍ତାନ ପାଖରେ ଥିଲା, ହେଲେ ଭାରତ ପାକିସ୍ତାନ ଯାଇ ଖେଳିବାକୁ ଅମଙ୍ଗ ହୋଇଥିଲା । ସେଥିପାଇଁ ଏହି ଟୁର୍ଣ୍ଣାମେଣ୍ଟ ଏକ ହାଇବ୍ରିଡ୍ ମଡେଲରେ ଆୟୋଜିତ ହୋଇଥିଲା । ପାକିସ୍ତାନ ପରିବର୍ତ୍ତେ ଶ୍ରୀଲଙ୍କାରେ ଭାରତର ସମସ୍ତ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ପାକିସ୍ତାନ କ୍ରିକେଟ୍ ବୋର୍ଡର ଅବସ୍ଥା ଖରାପ; ଚାମ୍ପିୟନ୍ସ ଟ୍ରଫି ପାଇଁ ଭଡାରେ ଆଣିବ ଲାଇଟ୍, ଜେନେରେଟର - Champions Trophy 2025

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details