ଚେନ୍ନାଇ : ଏବେଠାରୁ ଆରମ୍ଭ ହୋଇଗଲାଣି ଆଇପିଏଲ୍ 2025 ପାଇଁ କାଉଣ୍ଟ ଡାଉନ୍ । ଆସନ୍ତା ଡିସେମ୍ବରରେ ସମ୍ଭବତଃ ମେଗା ଅକ୍ସନ ହେବାକୁ ଥିବାବେଳେ କେଉଁ ଦଳ କେଉଁ କ୍ରିକେଟରଙ୍କୁ ରିଟେନ୍ କରିବେ ଓ କାହାକୁ ରିଲିଜ କରିବେ, ସେନେଇ ଜୋର ଧରିଲାଣି ଚର୍ଚ୍ଚା ଓ ଆଲୋଚନା । ଏହାରି ଭିତରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗସ୍ର ଭେଟେରାନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ହେଉଛନ୍ତି ବେଶ ଭାଇରାଲ । ସେ ଏଥର ଆଇପିଏଲ୍ ଖେଳିବେ କି ନାହିଁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ଗୋଟିଏ ପରେ ଗୋଟିଏ ଖବର ତାଙ୍କ ପ୍ରଶଂସକଙ୍କୁ ବିଶ୍ବାସ ଆଣି ଦେଉଛି ଯେ, ଧୋନୀ ଆଇପିଏଲ୍ ଖେଳି ପାରନ୍ତି ।
ଆଇପିଏଲ୍ରେ ସଫଳତମ ଅଧିନାୟକ :-
2008ରୁ ଆରମ୍ଭ ହୋଇଥିବା ଆଇପିଏଲ୍ରେ ଏପର୍ଯ୍ୟନ୍ତ 17 ସିଜିନ ଖେଳ ସରିଲାଣି । ଏହାରି ଭିତରେ ଆଇପିଏଲ୍ କେବଳ ଭାରତ ନୁହେଁ, ବିଶ୍ବର ବିଭିନ୍ନ ଦେଶର କ୍ରିକେଟ ଦଳକୁ ଅନେକ ବଡ଼ ବଡ଼ ତାରକା ଭେଟି ଦେଇଛି । ତେବେ ଆଇପିଏଲ୍ ଇତିହାସ କଥା କହିବାକୁ ଗଲେ ଦୁଇଟି ଦଳକୁ ଆଇପିଏଲ୍ର ସଫଳତମ ଦଳ ଭାବେ ବିବେଚନା କରାଯାଏ । ଗୋଟିଏ ହେଉଛି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ଅନ୍ୟଟି ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍ । ମୁମ୍ବାଇ ରୋହିତଙ୍କ ନେତୃତ୍ବରେ ଓ ଚେନ୍ନାଇ ଧୋନୀଙ୍କ ନେତୃତ୍ବରେ 5 ଥର ଲେଖାଏଁ ଆଇପିଏଲ୍ ଟାଇଟଲ ଜିତିଛନ୍ତି । ତେଣୁ ଧୋନୀ ଓ ରୋହିତଙ୍କୁ ମଧ୍ୟ ଆଇପିଏଲ୍ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ଭାବେ ବିବେଚନା କରାଯାଏ ।
ଅନ୍କ୍ୟାପଡ୍ ପ୍ଲେୟାର ଭାବେ ଖେଳିବେ ଧୋନୀ :-
43 ବର୍ଷୀୟ ଧୋନୀ 2025 ଆଇପିଏଲ୍ ଖେଳିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ହେଲେ ତାଙ୍କୁ ଜଣେ ଅନ୍କ୍ୟାପଡ୍ ପ୍ଲେୟାର ଭାବେ ଚେନ୍ନାଇ ସୁପର କିଙ୍ଗସ୍ ଆଗାମୀ ସଂସ୍କରଣ ପାଇଁ ରିଟେନ କରିବ ବୋଲି ଆଲୋଚନା ହେଉଛି । ସାଧାରଣତଃ ଯେଉଁ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍ରେ ଡେବ୍ୟୁ କରନ୍ତି, ଦଳ ପକ୍ଷରୁ ସେମାନଙ୍କୁ ଟିମ୍ର ବରିଷ୍ଠ ଖେଳାଳିମାନେ ଏକ ଡେବ୍ୟୁ କ୍ୟାପ୍ ପ୍ରଦାନ କରିଥାନ୍ତି । ଏହାପରେ ସେମାନଙ୍କୁ ଜାତୀୟ ଦଳର କ୍ୟାପ୍ଡ୍ ବା ସଂରକ୍ଷିତ ଖେଳାଳି ଭାବେ ବିବେଚନା କରାଯାଏ । ଏହା ପୂର୍ବରୁ ସେମାନଙ୍କୁ ଅନ୍କ୍ୟାପଡ୍ ବା ଅଣସଂରକ୍ଷିତ ଖେଳାଳି ଭାବେ ଅକ୍ସନରେ ସ୍ଥାନ ଦିଆଯାଏ । ହେଲେ 2008ରୁ 2021 ପର୍ଯନ୍ତ ଆଇପିଏଲ୍ରେ ଏକ ନିୟମ ଥିଲା, ଯେଉଁଥିରେ 5 ବର୍ଷରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଖେଳାଳିଙ୍କୁ ଅଣସଂରକ୍ଷିତ ବା ଅନ୍କ୍ୟାପଡ୍ ଖେଳାଳି ଭାବେ ଅକ୍ସନରେ ସାମିଲ କରାଯାଉଥିଲା । ଏହି ନିୟମ ପୁଣିଥରେ ଆଇପିଏଲ୍କୁ ଫେରାଇ ଆଣିବା ପାଇଁ ବିସିସିଆଇକୁ ଚେନ୍ନାଇ ସୁପର କିଙ୍ଗସ୍ ଅନୁରୋଧ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ଯଦି ଏହାକୁ ବିଶ୍ବାସ କରାଯାଏ, ତେବେ ଧୋନୀ ଶେଷ ଥର ପାଇଁ 2019ରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଅର୍ଥାତ ଆଗାମୀ ଆଇପିଏଲ୍ ସଂସ୍କରଣରେ ସିଏସ୍କେ ଧୋନୀଙ୍କୁ ଅନ୍କ୍ୟାପଡ୍ ପ୍ଲେୟର ଭାବରେ ରିଟେନ କରିବାକୁ ଚାହୁଁଛି । ଯାହା ପ୍ରଶଂସକଙ୍କ ମନରେ ଉତ୍ସାହ ଭରି ଦେଇଛି ।