ହାଇଦ୍ରାବାଦ: ସିଡନୀ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆର ବଡ ବିପର୍ଯ୍ୟୟ । ବର୍ଡର ଗାଭାସ୍କର ଟ୍ରଫିରେ ଭାରତର ଲଜ୍ଜାଜନକ ପରାଜୟ ହୋଇଛି । ଅନ୍ତିମ ମ୍ୟାଚରେ ମେନ ଇନ ବ୍ଲୁ କୁ ୬ ଓ୍ବିକେଟରେ ମାତ ଦେଇ ଟ୍ରଫି ହାତେଇଲା ଅଷ୍ଟ୍ରେଲିଆ । ୩-୧ରେ ସିରିଜ ଜିତିଲା କଙ୍ଗାରୁ ଦଳ । ୧୦ବର୍ଷ ପରେ ଏହି ସିରିଜରେ ଟ୍ରଫି ହାତେଇବାର ସୁଯୋଗ ପାଇଲା ଘରୋଇ ଟିମ୍ । ୨୦୧୪-୧୫ ପରଠାରୁ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି ଜିତି ନଥିଲା। ଏହି ସିରିଜ ହାରିବା ପରେ ଭାରତ ଡବ୍ଲୁଟିସି ଫାଇନାଲରେ ପହଞ୍ଚିବା ଆଶା କ୍ଷୀଣ ହୋଇଛି । ଅଷ୍ଟ୍ରେଲିଆ ସିଧା ଫାଇନାଲରେ ପହଞ୍ଚିଛି । ସ୍କଟ ବୋଲାଣ୍ଡଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ଯଶପ୍ରୀତ ବୁମରାଙ୍କୁ ପ୍ଲେୟାର ଅଫ୍ ଦି ସିରିଜ ଭାବେ ବିବେଚିତ କରାଯାଇଛି । ସିରିଜରେ ବୁମରା ସର୍ବାଧିକ ୩୨ ଓ୍ବିକେଟ ନେଇଛନ୍ତି ।
ଭାରତକୁ ମହଙ୍ଗା ପଡିଲା ବୁମରାଙ୍କ ଅସୁସ୍ଥତା, ଟ୍ରଫି ହାତେଇଲା କଙ୍ଗାରୁ ଟିମ୍:
ଗତକାଲି ଭାରତ ଦ୍ବିତୀୟ ଇନିଂସ ଆରମ୍ଭ କରି ଷ୍ଟମ୍ପ ଅପସାରଣ ସୁଦ୍ଧା ୬ ଓ୍ବିକେଟ ହରାଇ ୧୪୧ ରନ କରିଥିଲା । ଆଜି ତୃତୀୟ ଦିନରେ ଜାଡେଜା ଓ ଓ୍ବାସିଂଟନ ସୁନ୍ଦର ବ୍ୟାଟିଂ ଆରମ୍ଭ କରିଥିଲେ । ୩୯.୫ ଓଭରରେ ଭାରତ ସମସ୍ତ ଓ୍ବିକେଟ ହରାଇ ୧୫୭ ରନରେ ଅଟକିଥିଲା। ଏହାପରେ କଙ୍ଗାରୁ ଦଳ ଦ୍ବିତୀୟ ପାଳି ଆରମ୍ଭ କରିଥିଲା। ଗତକାଲି ପଡିଆ ମଝିରେ ବୁମରା ଅସୁସ୍ଥ ହୋଇଥିବାରୁ ଆଜି ବୋଲିଂ କରିପାରିନଥିଲେ । ଫଳରେ ନୀତିଶ, କ୍ରିଷ୍ଣା, ଓ୍ବାସିଂଟନ ସୁନ୍ଦର, ମହମ୍ମଦ ସିରାଜ ବୋଲିଂ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଦଳକୁ ଲକ୍ଷ ସ୍ଥଳରେ ପହଞ୍ଚିବାରେ ଅଟକାଇ ପାରିନଥିଲେ । ୨୭ ଓଭରରେ ୪ ଓ୍ବିକେଟ ହରାଇ ୧୬୨ ରନ କରି ବିଜୟୀ ହୋଇଥିଲା କଙ୍ଗାରୁ ଟିମ । ଉସମାନ ସର୍ବାଧିକ ୪୧ ରନ କରିଥିଲେ । ଯଦି ବୁମରା ଆଜି ବୋଲିଂ କରିଥାନ୍ତେ ତେବେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଘରୋଇ ଦଳ ପାଇଁ କଠିନ ହୋଇପାରିଥାନ୍ତା । କ୍ରିଷ୍ଣା ୩ଟି ଓ୍ବିକେଟ ନେଇଥିବା ବେଳେ ସିରାଜ ଆଜି ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ ।