ଭୁବନେଶ୍ବର: ଆଜିଠୁ କମ୍ପିବ ଖଣ୍ଡଗିରି ମେଳା । ଯାତ୍ରା କଳାକାରଙ୍କ ସଂଳାପରେ ପଡିବ ଉଠିବ ଖଣ୍ଡଗିରି ଯାତ୍ରା ମହୋତ୍ସବ । ଯାତ୍ରାରେ ଅଶ୍ଳୀଳତାକୁ ନା ହୋଇଥିବା ବେଳେ ଏକାମ୍ର ବିଧାୟକ ବାବୁ ସିଂଙ୍କ ଅଶ୍ଳୀଳ ନୃତ୍ୟ ପାଇଁ ଠେଙ୍ଗା ପ୍ରବାଦକୁ ନେଇ ତେଜୁଛି ରାଜନୀତି । ତାତିଲେ ଜଣାଶୁଣା ଆଇଟମ ଡ୍ୟାନ୍ସର । ଏଥର ଖଣ୍ଡଗିରି ଅଶ୍ଲୀଳ ନୃତ୍ୟରେ ରୋକ ପରେ ସେମାନେ ଗଣମାଧ୍ୟମ ସାମନାରେ ଗର୍ଜିଛନ୍ତି । ବିଧାୟକ ସଂସ୍କୃତିର ରକ୍ଷା ନୁହେଁ ଗୁଣ୍ଡାଗିରି କରୁଥିବା ଅଭିଯୋଗ କରିଛନ୍ତି ଆଇଟମ ଡ୍ୟାନ୍ସର । ସେପଟେ ବିଧାୟକ ହୋଇ ଆଇନର ପରିସରରେ ରହି କଥା କୁହନ୍ତୁ ବୋଲି ବିଜେଡି ଏବଂ କଂଗ୍ରେସ କହିଛନ୍ତି ।
- ଆଇନକୁ ହାତକୁ ନ ନିଅନ୍ତୁ ବିଧାୟକ
ଛାତ୍ର କଂଗ୍ରେସ ପୂର୍ବତନ ସଭାପତି ଆସୀର ନୱାଜ କହିଛନ୍ତି ‘‘ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳତା ବନ୍ଦ ହେବାର ଆବଶ୍ୟକତା ରହିଛି । କିନ୍ତୁ ଆଇନକୁ ହାତକୁ ନେଇ ଏଭଳି ଠେଙ୍ଗାରେ ନୁହେଁ । ସାମ୍ବିଧାନିକ ପଦ ପଦବୀରେ ରହି ବିଧାୟକ ଏଭଳି ଆଇନର ଊର୍ଧ୍ୱରେ ମନ୍ତବ୍ୟ ଦେବା ଅର୍ଥ ଆଇନ ଉପରେ ତାଙ୍କର ଭରସା ନାହିଁ। ସରକାରୀ ଦଳର ବିଧାୟକ ହୋଇ ମଧ୍ୟ ସରକାର , ମୁଖ୍ୟମନ୍ତ୍ରୀ,ବିଭାଗୀୟ ମନ୍ତ୍ରୀ ଉପରେ ମଧ୍ୟ ତାଙ୍କର ଭରସା ନାହିଁ । କାରଣ ଅଶ୍ଳୀଳତାକୁ ରୋକିବାକୁ ଯାଇ ଆଇନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀ ଉଭୟ ସ୍ୱତନ୍ତ୍ର ଏସଓପି ଆଣିବାକୁ କହିଥିଲେ। ହେଲେ ମନ୍ତ୍ରୀଙ୍କ କଥାକୁ ବିଧାୟକ ଭରସା ନକରି ଆଇନକୁ ହାତକୁ ନେଇ ଅଯଥା ପ୍ରବାଦ କରୁଛନ୍ତି ଯାହା ଗଣତନ୍ତ୍ରରେ ଠିକ ନୁହେଁ । ସରକାରୀ ଦଳର ବିଧାୟକ ହୋଇ ଆଇନର ପରିସରରେ ନରହି ହିଂସା ଓ ଗୁଣ୍ଡାରାଜରେ ଯଦି ସେସବୁ କିଛି ଠିକ କରିଦେବେ ତେବେ ବିରୋଧୀ କରିବେ କଣ।ଆଗକୁ ବିରୋଧୀ ବି ଠେଙ୍ଗା ଉଠାଇବେ ସରକାରଙ୍କୁ ସାବାଡ କରିବା ପାଇଁ । " ଏଣିକି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୋଲିସ ଯାଏ ଯିଏ ଭୁଲ କରିବେ ସେମାନଙ୍କୁ ସୁଧାରିବ ପାଇଁ ବିରୋଧୀ ଠେଙ୍ଗା ଉଠାଇବେ ତାହାକୁ ସରକାର ଓ ପୋଲିସ ସମର୍ଥନ କରିବେ ତ ବୋଲି ପ୍ରଶ୍ନ କରିଛନ୍ତି ୟାସିର ନୱାଜ।
ୟାସିର ନୱାଜ ଆହୁରି କହିଛନ୍ତି ‘‘ସାମ୍ବିଧାନିକ ପଦବୀରେ ରହି ଆଇନକୁ ହାତକୁ ନେବାଟା କେତେ ଯୁକ୍ତିଯୁକ୍ତ ? ଖାଲି ସେତିକି ନୁହେଁ ଓଡ଼ିଆ ଅସ୍ମିତାର ଥଟ୍ଟା ପରିହାସ କରି ରଖିଛି ବିଜେପି। କାରଣ ଗୋଟେ ପଟେ ଅଶ୍ଳୀଳତା ଦେଖାଉଥିବା ଅଭିନେତ୍ରୀଙ୍କୁ ସଂସଦ ପଠାଉଥିବା ବେଳେ ଅନ୍ୟପଟେ ନୃତ୍ୟଶିଳ୍ପୀଙ୍କୁ ବିଜେପି ବିରୋଧ କରୁଛି। ବିଜେପିର ଏହିଁ ଡବଲ ଷ୍ଟାଣ୍ଡାର୍ଡ ନିତି ହିଁ ଓଡ଼ିଆ ଅସ୍ମିତାକୁ ଖାଇଗଲା । ତେଣୁ ଗୁଣ୍ଡାଗିରି କି ଆଇନକୁ ହାତକୁ ନ ନେଇ ଅଶ୍ଳୀଳତା ବନ୍ଦ ପାଇଁ ସ୍ୱତନ୍ତ୍ର ନିୟମ ଆସୁ । ଏହାସହ ଆଇନର ଊର୍ଦ୍ଧ୍ବରେ କେହି ନାହାନ୍ତି। ସେ ଯିଏ ବି ହେଉ ଆଇନ ସମସ୍ତଙ୍କ ପାଇଁ ସମାନ । ତେଣୁ ବିଧାୟକ ଏଭଳି କାମରୁ ନିବୃତ ରୁହନ୍ତୁ ନଚେତ ଆମେ ବି ଆବଶ୍ୟକ ସ୍ଥଳେ ଠେଙ୍ଗା ଧରିବୁ ଆଉ ସରକାରଙ୍କ ମନାମାନୀକୁ ସୁଧାରିବୁ’’ ବୋଲି ୟାସିର ନୱାଜ କହିଛନ୍ତି।
- ତାତିଲେ ଆଇଟମ ଗାର୍ଲ
ଆଇଟମ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀ କହିଛନ୍ତି "ଖଣ୍ଡଗିରି ଏକ ଦୈବୀପୀଠ ସେଠି ଆଧୁନିକତାର ସ୍ଥାନ ନାହିଁ । ସେଠାରେ ଅଶ୍ଳୀଳତା କୁ ନୁହେଁ କିନ୍ତୁ ନିର୍ଦ୍ଦିଷ୍ଟ କିଛି ଜଣଙ୍କୁ ବିରୋଧ କରାଯାଇଛି । ଖାଲି ଆମେ ତିନି ଜଣ ନାହୁଁ ଆହୁରି ଅନ୍ୟ ଆଇଟମ ଡ୍ୟାନ୍ସର ଅଛନ୍ତି । ତେଣୁ ଯଦି ସେଠି ଅଶ୍ଳୀଳ ନୃତ୍ୟ ହୁଏ ତେବେ ସେ ସନ୍ୟାସୀ ବେଶ ଧରି ତାଣ୍ଡବ କରିବେ ବୋଲି କହିଛନ୍ତି। ମଞ୍ଚରେ ପରିବେଷଣ ହେଉ ଭଜନ ସହ ପୌରାଣିକ ନାଟକ। ନହେଲେ ଶାଢ଼ୀରେ ତାଣ୍ଡବ କରିବ ରାଣୀ ପ୍ରିୟଦର୍ଶିନୀ । " କେହି ଏମିତି ନାହାନ୍ତି ଠେଙ୍ଗା ରେ ପାହାର କରିବ। ଠେଙ୍ଗା ପାହାର ହେଲେ ଇଣ୍ଡଷ୍ଟ୍ରି ଛାଡିବା ସହ ସନ୍ନ୍ୟାସ ନେବାକୁ ସେ କହିଛନ୍ତି ।
- କେମିତି ସଂସଦ ଗଲେ କଙ୍ଗନା ?
ଆଇଟମ ଡ୍ୟାନ୍ସର ନିଶା ମହାରଣା କହିଛନ୍ତି ‘‘କଙ୍ଗନା ରାଣୱାତଙ୍କ ପରି ଅଭିନେତୀ ପାର୍ଲାମେଣ୍ଟ ଗଲେ ସମ୍ବିଧାନ ଖରାପ ହେଉନି, ଆମେ ନାଚି ଦେଲେ ସମ୍ବିଧାନ, ଓଡ଼ିଶାର ସମ୍ମାନ ଓ ଓଡ଼ିଆ ଅସ୍ମିତା ଖରାପ ହେଇଯାଉଛି । ଯାହା ଆଦୌ ଗ୍ରହଣୀୟ ନୁହେଁ । ବିଧାୟକ ଜଘନ୍ୟ ଅପରାଧ କରିଛନ୍ତି । କାରଣ ଆମେ ବି ଝିଅର ସମ୍ମାନ ଜାଣିଚୁ ଲୋକଙ୍କ ଚାହିଦାକୁ ନେଇ ଆମେ ନୃତ୍ୟ କରୁଛୁ ଯେଉଁଠି ଆବଶ୍ୟକ ନାହିଁ ସେଠାରେ କରୁନାହିଁ । ତେଣୁ ଆମ ପାଇଁ କାହିଁକି ଏ ପାତରଅନ୍ତର ବୋଲି ରାଗି କି ପ୍ରଶ୍ନ କରିଛନ୍ତି । ଆପଣ ଠେଙ୍ଗା ଧରି ପଳେଇ ଆସୁଛନ୍ତି ଆମ ପେଟ କେମିତି ପୁରୁଛି କେବେ ଦେଖିଛନ୍ତି ନା ଓଡ଼ିଶାର ଦାଦନକୁ ରୋକିପାରିଛନ୍ତି ବୋଲି ନିଶା ପ୍ରଶ୍ନ କରିଛନ୍ତି । ଯାହାର ଉତ୍ତର ଆପଣଙ୍କ ପାଖରେ ନାହିଁ। ତେଣୁ ଆପଣ ଆମ ପେଟକୁ ଲାତ ମାରନ୍ତୁନି। ଆଜି ମୁଁ ପ୍ରଶ୍ନ ଉଠେଇଛି ଆସନ୍ତାକାଲି ଆଉ ଅନେକ ଝିଅ ପ୍ରଶ୍ନ କରିବେ। ଠେଙ୍ଗା ଧରି ଆପଣ ଅଇନକୁ ହାତ କୁ ନେଇ ସମ୍ବିଧାନକୁ କଳୁଷିତ କରୁଛନ୍ତି ଆପଣ କଣ ସଂସ୍କୃତିକୁ ରକ୍ଷା କରିବେ ଦୟା କରି ଏଭଳି ଦାଦାଗିରି ବନ୍ଦ କରନ୍ତୁ ନହଲେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବ ’’।
ଅନ୍ୟତମ ଯାତ୍ରା କଳାକାର ସାହୁ ଭାଉଜ କହିଛନ୍ତି ‘‘ବିଧାୟକ ତାଙ୍କ ଜନସେବା ନାଁରେ ଗୁଣ୍ଡାଗିରି କରୁଛନ୍ତି । ଯାହା ତାଙ୍କୁ ଶୋଭାପାଉନି । ସ୍ୱୟଂ ଜଗନ୍ନାଥଙ୍କ ରଥ ଗଡ଼ୁନି ଅଶ୍ଳୀଳ ଭାଷା ବିନା ଆମର ଅଶ୍ଳୀଳ ନୃତ୍ୟ ଯାତ୍ରା ଖରାପ କରିଦେଉଛି । ଅଶ୍ଳୀଳତା ବିନା ଯାତ୍ରା କିଛି ନୁହେଁ କାରଣ ଆଇଟମ ଡ୍ୟାନ୍ସ ବା ମେଲୋଡିରୁ ହିଁ ଯାତ୍ରା ଆରମ୍ଭ ହୋଇଥାଏ । ଅଶ୍ଳୀଳତା ବନ୍ଦ ପାଇଁ ପ୍ରଶାସନ ଓ ସରକାର ଅଛନ୍ତି ବିଧୟକଙ୍କ ଗୁଣ୍ଡାଗିରି ନୁହେଁ । ତେଣୁ ସେ ୧୦୦ ଠେଙ୍ଗା ରଖିଲେ ମୁଁ ମୋ ସୁରକ୍ଷା ପାଇଁ ଗୋଟିଏ ଠେଙ୍ଗା ରଖିଛି ଯାହା ମୋ ପାଇଁ ବେଶ ଅଧିକ । ସେ କିଏ ଗୁଣ୍ଡାଗିରି ଦେଖାଇବେ ବୋଲି ପ୍ରଶ୍ନ କରିଥିବା ବେଳେ ମୁଁ ବି ଜବାବ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ନିଜେ ଜଣେ ପ୍ରଯୋଜକ ହୋଇ ଫିଲ୍ମ କରି ଏଭଳି କହିବାଟା ତାଙ୍କୁ ଶୋଭାପାଉନି । " ବିଧାୟକଙ୍କ ବୟସ ହେଇଗଲାଣି ସେଥିପାଇଁ ମୁଣ୍ଡ କାମଦେଉନି କହିଥିବା ବେଳେ ଦିନେ ଖଣ୍ଡଗିରି ଯାଇନଥିବା ଆଇଟମ ଗାର୍ଲ ଙ୍କୁ କାହିଁକି ବଦନାମ କରାଯାଇଛି’’ ବୋଲି ସେ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ ଚେତାଇଲେ ବିଧାୟକ ବାବୁ: ଖଣ୍ଡଗିରି ଯାତ୍ରାରେ ବୁଲିବ ଠେଙ୍ଗା, ଅଶ୍ଲୀଳ ନୃତ୍ୟ କଲେ ବାଜିବ ପାହାର
ଏହା ମଧ୍ୟ ପଢନ୍ତୁ ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟ ମନା, ସେଣ୍ଟ୍ରାଲ କମିଟି ରଖିବ ନଜର
- ଖଣ୍ଡଗିରିରେ ଅଶ୍ଲୀଳତାକୁ ନା
ଏଥର ଖଣ୍ଡଗିରି ଯାତ୍ରା ମଞ୍ଚରେ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ । ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ ଭଳି ବିବାଦୀୟ ଡାନ୍ସର । ଗତ କିଛି ଦିନ ପୂର୍ବେ ପୋଲିସ ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଖଣ୍ଡଗିରି ଥାନା ପରିସରରେ ଏନେଇ ବିଭିନ୍ନ କମିଟି ସହ ପୋଲିସ ପ୍ରଶାସନର ବୈଠକ ପରେ ନିଷ୍ପତ୍ତି ହୋଇଥିଲା ।
- ଠେଙ୍ଗା ପୂଜା କରଥିଲେ ବିଧାୟକ
ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟକୁ ରୋକିବ ଠେଙ୍ଗା । ଏଥିପାଇଁ 100ଟି ଠେଙ୍ଗା ପ୍ରସ୍ତୁତ ଥିବା କହିଥିଲେ ଏକାମ୍ର ବିଧାୟକ ବାବୁ ସିଂ। ଯେଉଁଠି ବିଶୃଙ୍ଖଳା ଦେଖାଯିବ ସେଇଠି ପଡିବ ଠେଙ୍ଗା ପାହାର । ଏଥିପାଇଁ ବାରଭୂଜାଙ୍କ ପାଖରେ ବିଧାୟକ ଏହି ଠେଙ୍ଗା ପୂଜା କରି ଅଶ୍ଲୀଳ ନୃତ୍ୟ ପରିବେଷଣକୁ ନେଇ କଡା ଚେତାବନୀ ଦେଇଥିଲେ ।
- ଆଜିଠୁ ଖଣ୍ଡଗିରି ଯାତ୍ରା
ଫେବୃଆରୀ 6ରୁ ଖଣ୍ଡଗିରିରେ ଯାତ୍ରା ଆରମ୍ଭ ହୋଇଛି । ଯାହାକି 12 ତାରିଖ ପର୍ଯ୍ୟନ୍ତ ଚାଲିବ । ଖଣ୍ଡଗିରି ଓ ଉଦୟଗିରିରେ ମେଳା ସହ ଯାତ୍ରା ମଧ୍ୟ ଚାଲିବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ପ୍ରସ୍ତୁତ ହେଲାଣି ସାଧୁଙ୍କ ସ୍ଥାନ, ସାଧୁସନ୍ଥ ଜମେଇଲେଣି ଆସ୍ଥାନ ।