ଗଜପତି: ଖୋ ଖୋ ବିଶ୍ବକପ ପ୍ରଥମ ସଂସ୍କରଣରେ ଚାମ୍ପିଅନ ହୋଇ ଇତିହାସ ରଚିଛି ଭାରତୀୟ ପୁରୁଷ ଦଳ । ଫାଇନାଲରେ ନେପାଳକୁ 54-36 ରେ ମାତ ଦେଇ ବିଶ୍ବ ବିଜୟୀ ହୋଇଛି । ଯାହାକୁ ନେଇ ଚାରି ଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସବୁଠାରୁ ବଡ କଥା ହେଉଛି ଏହି ବିଶ୍ବକପ ଖେଳି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଓଡ଼ିଆ ପୁଅ ପାବନୀ ଶବର । ଏକ ମାତ୍ର ଓଡ଼ିଶା ଖେଳାଳି ଭାବେ ଭାରତୀୟ ଦଳରେ ଖେଳୁଥିଲେ ଗଜପତିର ପାବନୀ । ଖୋ ଖୋ ବିଶ୍ବକପରେ ଓଡ଼ିଶା ନାଁକୁ ବିଶ୍ବ ଦରବାରରେ ଦ୍ବିଗୁଣିତ କରିଛନ୍ତି ସେ । ଆସନ୍ତୁ ଜାଣିବା ପାବନୀ ଶବରଙ୍କ ଗଜପତିରୁ ବିଶ୍ବକପ ହାସଲର ପୂରା ଯାତ୍ରା ।
ମାଆ କୁଲି କାମ କଲେ ପରିବାର ଚଳୁଥିଲା :
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଭେଙ୍କେଟାପୁରମ ଗାଁ । ଏହି ଗାଁରେ ପାବନୀ ଶବରଙ୍କ ଘର । ପିଲାଟି ବେଳୁ ବାପାଙ୍କୁ ହରାଇଥିଲେ । ପରିବାର କହିଲେ ମାଆ ସୁମରି ଶବର, ୨ ଭାଇ , ଗୋଟିଏ ଭଉଣୀ । ପିଲାଟି ଦିନକୁ ଅଭାବ ଅନଟନରେ କଟିଛି ଜୀବନ । ବାପାଙ୍କ ମୃତ୍ୟୁ ପରେ ମାଆଙ୍କ ମୁଣ୍ଡରେ ପଡ଼ିଥିଲା ଚଡ଼କ । ମାଆ ମୂଲ ମଜୁରି ଲାଗିଲେ ପରିବାର ଚଳେ । କୁଲି କାମ କରି ପିଲାଙ୍କ ପେଟରେ ଦାନା ଦେବା ଥିଲେ କଷ୍ଟକର । ତାରି ଭିତରେ ପିଲାମାନଙ୍କୁ ପାଠ ପଢାଉଥିଲେ ମାଆ ସୁମରି । ମାଆଙ୍କ କଷ୍ଟ ଦେଖି ପାବନୀ ପାଠ ପଢୁଥିଲେ ସତ, କିନ୍ତୁ ନିଶା ଥିଲା ଖୋ ଖୋ ଖେଳିବା । ପାବାନି ଗାରାବନ୍ଧା ଗ୍ରାମରରେ ଥିବା ଶ୍ରୀ ଭେଙ୍କେଟେଶ୍ୱର ଉଚ୍ଛ ବିଦ୍ୟାଳୟରେ 2016ରେ ପାଠ ପଢିବା ଆରମ୍ଭ କଲେ । ସେତେବେଳେ ଖୋ ଖୋ ଖେଳ ପ୍ରତି ତାଙ୍କର ଆଗ୍ରହ ବଢିଥିଲା । ଆଉ ତାପରେ ପଛକୁ ଫେରି ଚାହିଁନଥିଲେ ପାବନୀ ।
'ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀ ଥିଲି':
ପାବନୀ ଶବର କହିଛନ୍ତି, ''ଶ୍ରୀଭେଙ୍କେଟେଶ୍ବର ବିଦ୍ୟାଳୟରେ ଆଡମିସନ ପରେ ଖେଳ ପ୍ରତି ଆଗ୍ରହ ବଢିଥିଲା । କ୍ରୀଡା ଶିକ୍ଷକ ଅଭିନବ ବାସୁଦେବ ସାର ମୋତେ ଏଥିପାଇଁ ବହୁତ ସହଯୋଗ କରିଥିଲେ । ପରେ ଭୁବନେଶ୍ବର କିସ୍କୁ ଯିବା ପରେ ମୋତେ ଭଲ କୋଚ ମିଳିଥିଲା । ଖୋ ଖୋ ବିଶ୍ବକପରେ ଚମ୍ପିଆନ ହେବା ପରେ ମୋତେ ବହୁତ ଖୁସି ଲାଗୁଛି । ଜୁନିଅର ନ୍ୟାସନାଲ ଖେଳିଥିଲି ପରେ ସିନିୟର ନ୍ୟାସନାଲ ଖେଳିଥିଲି । ଖୋ ଖୋ ବିଶ୍ବକପ ପ୍ରଥମ ସଂସ୍କରଣରେ ଭାରତୀୟ ଦଳରେ ମୋର ନାମ ଆସିବା ପରେ ମୁଁ ବହୁତ ଖୁସିଥିଲି । ମୋର ସ୍ବପ୍ନ ଥିଲା ଭାରତକୁ ପ୍ରତିନିଧିତ୍ବ କରିବି ତାହା ପୂରଣ ହୋଇଛି । ଓଡ଼ିଶାରୁ ଏକ ମାତ୍ର ଖେଳାଳି ଭାବେ ଭାରତୀୟ ଦଳରେ ଥିବାରୁ ମୁଁ ବହୁତ ଗର୍ବିତ । ଏଇଟା ଆରମ୍ଭ ଆଗକୁ ଆହୁରି ପରିଶ୍ରମ କରିବି । ''
ଆଦିବାସୀ ପରିବାରରୁ ବିଶ୍ବକପ ବିଜେତା:
ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଓଡ଼ିଆ ପୁଅ ପାବନୀ ଶବର । ଖୋ ଖୋ ବିଶ୍ବକପରେ ଭାରତର ପ୍ରତିନିଧିତ୍ବ କରି ଓଡ଼ିଶା ମାନକୁ ବିଶ୍ବ ଦରବାରରେ ଦ୍ବିଗୁଣିତ କରିଛନ୍ତି । ଖୋ ଖୋ ବିଶ୍ବକପ ପ୍ରଥମ ସଂସ୍କରଣରେ ଭାରତୀୟ ପୁରୁଷ ଦଳ ଚାମ୍ପିଅନ ହୋଇଥିବା ବେଳେ ଏଥିରେ ସାମିଲ ଥିଲେ ଗଜପତିର ପାବନୀ ଶବର । ଆଦିବାସୀ ପରିବାରରୁ ଯାଇ ବିଶ୍ବକପ ଖେଳିବା ପଛରେ ପାବନୀଙ୍କ ଅନେକ ସଂଘର୍ଷମୟ କାହାଣୀ ରହିଛି । ମାଆ କୁଲି କାମ କରୁଥିବା ବେଳେ ପୁଅ ଏବେ ବିଶ୍ବ ବିଜୟୀ । ଚାମ୍ପିଅନ ହେବା ଖବର ଶୁଣି ପାବନୀଙ୍କ ପରିବାରରେ ଖୁସି କହିଲେ ନସରେ । ଦିନଥିଲା ଯେତେବେଳେ, ପରିବାର ଲୋକେ ଖେଳ ପାଇଁ ପୁଅକୁ ଆକଟ କରୁଥିଲେ । ଏବେ ସଫଳତାକୁ ନେଇ ଗର୍ବ କରୁଛନ୍ତି ।