ବଲାଙ୍ଗୀର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହାମଧ୍ୟରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ଏହି ହତ୍ୟା ପଛରେ କୋଇଲା ଖଣି ଲିଙ୍କ ପ୍ରତି ଇସାରା ଦେଇଛନ୍ତି ସାଲୁଜା । ଆଉମଧ୍ୟ ଏଥିରେ ବଡବଡିଆଙ୍କ ସମ୍ପୃକ୍ତି ଥିବା ବେଳେ ସିବିଆଇ ତଦନ୍ତ ହେଲେ ଗୁମର ଫିଟିବ ବୋଲି ସେ କହିଛନ୍ତି ।
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ବିସ୍ପୋରକ ବୟାନ ଦେଇଛନ୍ତି । ହତ୍ୟାର କିଛି ଦିନ ପୂର୍ବରୁ କୋଇଲା ବ୍ଲକ ଛାଡିବା ପାଇଁ ନବ ଦାସଙ୍କ ଉପରେ ଚାପ ପକାଯାଉଥିବା ବେଳେ ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଥାଏ ପାରେ ବୋଲି ସେ କହିଛନ୍ତି । ଏପରିକି କୋଇଲା ବ୍ଲକ ସହ ଟ୍ରାନ୍ସପୋର୍ଟିଂ କାମ ଛାଡିବା ପାଇଁ ତାଙ୍କୁ କୁହାଯାଉଥିଲା ।
'ନବ ଦାସ ହତ୍ୟା ପଛରେ କୋଇଲା ଖଣି !'
ସନ୍ତୋଷ ସିଂ ସାଲୁଜା କହିଛନ୍ତି, " ନବ ଦାସଙ୍କ ହତ୍ୟାର କିଛି ଦିନ ପୂର୍ବରୁ ସେ (ନବ ଦାସ) ମୋତେ କହିଥିଲେ, କୋଇଲା ବ୍ଲକ ଛାଡିବା ପାଇଁ ତତ୍କାଳୀନ ଏସପି, ଜିଲ୍ଲାପାଳ ଚାପ ପକାଉଛନ୍ତି । ହେଲେ ମୁଁ (ନବ ଦାସ) କହିଛି, ହାଇକମାଣ୍ଡଙ୍କ ସହ କଥା ହେଇ ସାରିଛି । ମୋ(ନବ ଦାସ) ଉପରେ ଚାପ ପକାନ୍ତୁ ନାହିଁ ।"
'ସିବିଆଇ ତଦନ୍ତ ଦାବି'
ନବ ଦାସ ହତ୍ୟା ଘଟଣାର ତଦନ୍ତକୁ ନେଇ ସନ୍ତୋଷ ସିଂ ସାଲୁଜା କହିଛନ୍ତି, " ଆମେ ବିଧାନସଭାରେ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରୁଥିଲୁ । ହେଲେ ସରକାର ସବୁକୁ ଏଡାଇ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲେ । ଏହି ମାମଲା କୋର୍ଟରେ ବିଚାରଧୀନ ଅଛି । ଟ୍ରାଏଲ ଚାଲିଛି । ହତ୍ୟା ଅଭିଯୁକ୍ତ ଭାବରେ ଚାର୍ଜସିଟରେ ଗୋପାଳ ଦାସକୁ ଅଭିଯୁକ୍ତ କରାଯାଇଛି । ତେବେ ଏବେ ଅନେକ କଥା ସାମ୍ନାକୁ ଆସିଛି । 6ଟି ଗୁଳିମଧ୍ୟରୁ ଗୋପାଳ ଦାସ ଦୁଇଟି ଗୁଳି ଫୁଟାଇଛି । ହେଲେ ଅନ୍ୟ ଗାଡିଗୁଡିକରେ ମଧ୍ୟ ଗୁଳି ବାଜିଛି । ତେବେ ଏହା ପଛରେ ଏକ ବଡ ଷଡଯନ୍ତ୍ର ଥିଲା । ଆମେ 120 ବି ଆଧାରରେ ତଦନ୍ତ ଦାବି କରିଥିଲୁ । ହେଲେ ସେ ସମୟର ମୁଖ୍ୟମନ୍ତ୍ରୀ ଏହାକୁ ଏଡାଇ ଯାଇଥିଲେ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ କରାଇଥିଲେ। ଘଟଣାର ସିବିଆଇ ତଦନ୍ତ ହେଉ ଓ ସେ ସମୟର ଜିଲ୍ଲାପାଳ ଓ ଏସପିଙ୍କୁ ଏନେଇ ପଚରାଉଚରା କରାଯାଉ ।"
ଇଟିଭି ଭାରତ, ବଲାଙ୍ଗୀର