ପୁରୀ: ଆଗକୁ ଆସୁଛି ଗ୍ରୀଷ୍ମ ଋତୁ । ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ମାନେ ଖରାରେ ଲମ୍ବା ଲାଇନରେ ଶ୍ରୀମନ୍ଦିରରେ ଧାଡିରେ ଛିଡା ହୋଇଥାନ୍ତି । ଅତ୍ୟଧିକ ଗରମ ଯୋଗୁଁ ଭକ୍ତ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଗ୍ରୀଷ୍ମଦିନ ଆସିବା ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ ସମୟରେ ପ୍ରଚଣ୍ଡ ଖରାରୁ ଭକ୍ତଙ୍କ ମୁକ୍ତି ପାଇଁ ବ୍ୟାାପକ ପ୍ରସ୍ତୁତି ଆରମ୍ଭ କରିଛି ପୁରୀ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ।
ଖରାଦିନରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ବ୍ୟବସ୍ଥା:
ପ୍ରବଳ ଖରାରେ ଭକ୍ତଙ୍କ ଗୋଡ଼ ଯେଭଳି ତାତି ନଯାଏ ସେନେଇ ବଡ଼ଦାଣ୍ଡ ରୁ ଶ୍ରୀମନ୍ଦିର ଯାଏଁ କାର୍ପେଟର ବ୍ୟବସ୍ଥା ହେବ । ଭକ୍ତଙ୍କୁ ଛାଇ ପ୍ରଦାନ କରିବା ପାଇଁ ସେଡ୍ ବ୍ୟବସ୍ଥା ସହିତ, ପାନୀୟ ଜଳ ଏବଂ ପଙ୍ଖାର ବ୍ୟବସ୍ଥା ମଧ୍ୟ ହେବ । ଏଥିସହିତ ଭକ୍ତମାନଙ୍କ ଉପରେ ଜଳ ଛିଞ୍ଚନ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ଚାରି ଦ୍ଵାରରେ ଭକ୍ତମାନଙ୍କ ସୁବିଧା ପାଇଁ ସୂଚନା କେନ୍ଦ୍ର ନିର୍ମାଣ କରାଯିବ। ଶ୍ରୀମନ୍ଦିର ସିଂହଦ୍ଵାରରେ ଗୋଟିଏ ସୂଚନା କେନ୍ଦ୍ର ଥିବା ଯୋଗୁ ଭକ୍ତମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଭକ୍ତମାନଙ୍କୁ ସୂଚନା ପ୍ରଦାନ ନିମନ୍ତେ ଅନ୍ୟ ତିନି ଦ୍ବାରରେ ତିନୋଟି ସୂଚନା କେନ୍ଦ୍ର କରାଯିବ।
ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ''ଗ୍ରୀଷ୍ମ ଦିନରେ ଭକ୍ତ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ସେଥି ପାଇଁ ଚଳିତ ବର୍ଷ ଅନେକ ବ୍ୟବସ୍ଥା କରାଯିବ । କାର୍ପେଟ ପକାଇବାର ବ୍ୟବସ୍ଥା, ଜଳ ଝିଞ୍ଚନ, ସେଡ, ଫ୍ୟାନ, ପାନୀୟ ଜଳର ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି । ସାଉଣ୍ଡ ସିଷ୍ଟମକୁ ସୁଦୃଢ କରାଯିବ । 4 ଦ୍ବାରରେ ସୂଚନା ବୋର୍ଡର ବ୍ୟବସ୍ଥା ମଧ୍ୟ କରାଯିବ ।''
ଶ୍ରୀମନ୍ଦିର ଭିତରେ ଭିଡିଓ ଭାଇରାଲ୍ ଘଟଣା:
ଶ୍ରୀମନ୍ଦିର ଭିତରେ ଭିଡିଓ ଭାଇରାଲ୍ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ । ସେ କହିଛନ୍ତି, ''ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେବା ସମ୍ପୂର୍ଣ୍ଣ ନିଷେଧ । ଯେଉଁ ବ୍ୟକ୍ତି ନିୟମ ଉଲ୍ଲଘଂନ କରିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ଯିଏ ବି ଏଥିରେ ସମ୍ପୃକ୍ତ ଥିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିରକୁ ମୋବାଇଲ୍ ନ ନେବା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇ ଭକ୍ତଙ୍କୁ ସଚେତନ କରାଯାଉଛି।''
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଗତକାଲି(ମଙ୍ଗଳବାର) ଅନୁଷ୍ଠିତ ହୋଇଥିଲା । ପୁରୀ ଏସପିଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଇଟିଭି ଭାରତ, ପୁରୀ