ଭୁବନେଶ୍ବର: ଆସନ୍ତା 28ରେ ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗ ଦେବାକୁ ଓଡ଼ିଶା ଆସୁଛନ୍ତି ମୋଦି । ଚଳିତ ମାସ ମୋଦିଙ୍କ ଏହା ଦ୍ବିତୀୟ ଗସ୍ତ ଅଟେ । ପ୍ରବାସୀ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗତ ଜାନୁଆରୀ 8ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ।
28ରୁ ଉତ୍କର୍ଷ ଓଡ଼ିଶା ସମ୍ମେଳନ:
ଆସନ୍ତା 28ରେ ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ହେବାକୁ ଉତ୍କର୍ଷ ଓଡ଼ିଶା ସମ୍ମେଳନ(Make in Odisha Conclave 2025) । ଯାହାକି 2 ଦିନ ଅର୍ଥାତ 28 ଓ 29 ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ଏହାର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ:
ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ଯୋଗ ଦେବାକୁ ଆସନ୍ତା 28ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମ ସୂଚୀ ଅନୁସାରେ, 28ରେ ଦିଲ୍ଲୀରୁ ସ୍ବତନ୍ତ୍ର ବିମାନ ଯୋଗେ ବାହାରି ସକାଳ 10ଟା 35ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ଏହାପରେ ସକାଳ 10.40 ମିନିଟରେ ବିମାନ ବନ୍ଦରରୁ ବାହାରି ସିଧାସଳଖ ଜନତା ମଇଦାନ ଯିବେ । ଏହାପରେ ପୂର୍ବାହ୍ନ 11ଟା ଉତ୍କର୍ଷ ଓଡ଼ିଶା ସମ୍ମେଳନକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ 11ଟାରୁ ମଧ୍ୟାହ୍ନ 12.30 ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏହାପରେ ସମୟ 12.35ରେ ବାହାରି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ 12.55 ମିନିଟରେ ସ୍ବତନ୍ତ୍ର ବିମାନ ଯୋଗେ ଉତ୍ତରାଖଣ୍ଡର ଡେରାଡୁନ ଗସ୍ତରେ ଯିବେ ।
ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ:
- ଜାନୁଆରୀ 28ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ
- ସକାଳ 10.35 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ
- 11ଟା ଜନତା ମଇଦାନରେ ଆୟୋଜିତ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦଘାଟନ କରିବେ
- ପ୍ରାୟ ଦେଢଘଣ୍ଟା କାର୍ଯ୍ୟକ୍ରମରେ ରହିବେ
- ସମୟ 12.35ରେ ନୂଆଦିଲ୍ଲୀ ଫେରିଯିବେ
ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ:
ଚଳିତ ମାସ ଜାନୁଆରୀ 8ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବରରେ ଚାଲିଥିବା 18ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବା ସହ ଓଡ଼ିଶାକୁ ଭୂରି ଭୂରି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ତା ପୂର୍ବରୁ ଡିଜିପି ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ।
ଉତ୍କର୍ଷ ଓଡ଼ିଶା ସମ୍ମେଳନ ସମ୍ପର୍କରେ...
ଆସନ୍ତା 28ରୁ ଦୁଇ ଦିନ ଧରି ଭୁବନେଶ୍ବରର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା ସମ୍ମେଳନ ଆୟୋଜିତ ହେବ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମେଳନରେ 4ଟି ପ୍ଲେନାରୀ ସେସନ, 16ଟି ସେକ୍ଟରାଲ ସେସନ ଓ 4ଟି ରାଉଣ୍ଡ ଟେବୁଲ କନଫରେନ୍ସ ଅନୁଷ୍ଠିତ ହେବ । ଏଥିରେ ପ୍ରାୟ 3000 ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପପତି, ପୁଞ୍ଜିନିବେଶକାରୀ, ଷ୍ଟାଟଅପ, ଉଦ୍ୟୋଗୀ ଓ ଶିଳ୍ପସଂସ୍ଥା ସହିତ ଜଡିତ ଥିବା ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।