ଅଙ୍କରା: ଉତ୍ତର ପଶ୍ଚିମ ତୁର୍କୀର ସ୍କି ରିସୋର୍ଟର ଏକ ୧୨ ମହଲା ବିଶିଷ୍ଟ ହୋଟେଲର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ଏବେ ସୁଦ୍ଧା ୭୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୧ ଜଣ ଆହତ ହୋଇଛନ୍ତି । ତେବେ ମଧ୍ୟରାତ୍ରିରେ ସମସ୍ତେ ଶୋଇଥିବା ସମୟରେ ଏହି ଅଘଟଣ ଘଟିଛି । ତୁର୍କୀର ଗୃହମନ୍ତ୍ରୀ ଅଲି ୟେରଲିକାୟା ଏନେଇ ସୂଚନା ଦେଇଛନ୍ତି । ଏହି ଅଘଟଣର ଯାଞ୍ଚ ପାଇଁ ଲୋକମାନଙ୍କୁ ପଚରାଉଚରା ଜାରି ରହିଛି ।
ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ:
A fire at a ski resort hotel in Turkey's Bolu mountains killed 76 people and injured dozens on Tuesday, forcing panicked guests to jump out of windows in the middle of the night, reports Reuters
— ANI (@ANI) January 21, 2025
ଇସ୍ତାନବୁଲରୁ ପାଖାପାଖି ୩୦୦ କିଲୋମିଟର ପୂର୍ବ ବୋଲୁ ରାଜ୍ୟର କୋରୋଲ୍ଗୁ ପାହାଡରେ ଅବସ୍ଥିତ ସ୍କି ରିସୋର୍ଟର ଏହି ହୋଟେଲରେ ଶୀତକାଳୀନ ଅବକାଶ ଆରମ୍ଭ ହୋଇଥିବାରୁ ଅଧିକ ପର୍ଯ୍ୟଟକ ରହିଥିଲେ । ଏହି ହୋଟେଲରେ ୨୩୮ ଅତିଥି ରହିଥିଲେ । ମଙ୍ଗଳବାର ଭୋର ୩.୨୭ ପାଖାପାଖି ନିଆଁ ଲାଗିଥିବା ବେଳେ ଏହି ସମୟରେ ସମସ୍ତେ ଶୋଇଥିଲେ । ନିଆଁ କବଳରୁ ବଞ୍ଚିବା ପାଇଁ କିଛି ଲୋକ ହୋଟେଲର ଝରକା ପଟୁ ତଳକୁ ଡେଇଁ ପଡିଥିଲେ । ଝରକାରୁ ତଳକୁ ଡେଇଁ ୨ ଜଣଙ୍କ ମୃତ୍ୟୁ ଘଟିଛି ।

ପ୍ରାଣ ବିକଳରେ ଝରକାରୁ ତଳକୁ ଡେଇଁ ପଡିଲେ ଲୋକେ:
ଗୃହମନ୍ତ୍ରଣାଳୟ ଅଲି ୟେରଲିକାୟା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ସହ କହିଛନ୍ତି, "ଏହି ଘଟଣା ବେଶ ଦୁଃଖଦାୟକ । ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବାନୁଯାୟୀ, ଏହି ଅଗ୍ନିକାଣ୍ଡ କାରଣରୁ ହୋଟେଲରେ ଆତଙ୍କ ଖେଳିଯାଇଥିଲା । ଲୋକମାନେ ନିଆଁ କବଳରୁ ବଞ୍ଚିବା ପାଇଁ ଏଣେତେଣେ ଧାଁ ଦୌଡ କରିଥିଲେ । ଏହି ସମୟରେ ଅନେକ ଲୋକେ କମ୍ବଳ କିମ୍ବା ଚାଦର ଘୋଡାଇ ହୋଇ ତଳକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଅନେକ ଜଳିଯାଇଥିଲେ । ପୁରା ହୋଟେଲ ଧୁଆଁମୟ ହୋଇଯାଇଥିଲା । ଯେଉଁଥିପାଇଁ ଲୋକମାନଙ୍କୁ ରାସ୍ତା ପାଇବାରେ ମଧ୍ୟ ଅସୁବିଧା ହୋଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଛଡା ଯିବ ନାହିଁ ।"

ଅଗ୍ନିକାଣ୍ଡରେ ୭୬ମୃତ:
ଏହି ଅଘଟଣରେ ମୃତ୍ୟୁ ସଂଖ୍ୟା ୭୬ ଛୁଇଁଥିବା ବେଳେ ଆହତଙ୍କ ସଂଖ୍ୟା ୫୧ ରହିଛି । କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରୁ ୪୫ ଜଣଙ୍କ ପରିଚୟ ମିଳିପାରିଥିବା ବେଳେ ଅନ୍ୟମାନଙ୍କ ପରିଚୟ ମିଳିପାରିନାହିଁ । ତୁର୍କୀ ସରକାର ଏକ ଟିମ ଗଠନ କରି ଏହି ଅଘଟଣର ଯାଞ୍ଚ ଜାରି ରଖିଛନ୍ତି । କୁହାଯାଉଛି ଯେ ଏହି ଅଗ୍ନିକାଣ୍ଡ ହୋଟେଲର ରେସ୍ତୋରାଁ ସେକ୍ସନରୁ ଲାଗିଥିଲା । ହୋଟେଲ ମାଲିକ ସମେତ ପାଖାପାଖି ୪ ଜଣଙ୍କୁ ଜେରା କରାଯାଇଛି ।
ଏହାମଧ୍ୟ ପଢନ୍ତୁ... ଲସ୍ ଆଞ୍ଜେଲସରେ ଜଳୁଛି ଜଙ୍ଗଲ; ଘର ଛାଡିଲେ ସେଲିବ୍ରିଟି, ଚିନ୍ତାପ୍ରକଟ କଲେ ପ୍ରିୟଙ୍କା |
ତୁର୍କୀରେ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ:
ଅନ୍ୟପଟେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଯାହା ବୁଧବାର ଦିନ ପାଳନ କରାଯାଇଛି । ଆଜି ସମସ୍ତ ସରକାରା ଦପ୍ତରରେ ଓ ବିଦେଶରେ ତୁର୍କୀର ରାଜନୈତିକ ମିଶନରେ ଉଡୁଥିବା ସମସ୍ତ ପତାକା ଅର୍ଦ୍ଧନମିତ ରହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ