ହାଇଦ୍ରାବାଦ: ବିଶ୍ବ ବିଜେତା ସାଜିଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡୋମାରାଜୁ ଗୁକେଶ । ସବୁ ଆଲୋଚନାର ଅନ୍ତ ଘଟାଇ ଶେଷରେ ଓ୍ବାର୍ଲ୍ଡ ଚେସ ଚାମ୍ପିୟନସିପରେ ଡିଙ୍ଗ୍ ଲିରେନଙ୍କୁ ହରାଇ ବିଶ୍ୱର ସର୍ବକନିଷ୍ଠ ଚେସ୍ ଚାମ୍ପିୟନ ହେବାର ଗୌରବ ହାସଲ କରିଛନ୍ତି । ସିଙ୍ଗାପୁରରେ ଆୟୋଜିତ ଓ୍ବାର୍ଲ୍ଡ ଚେସ୍ ଚାମ୍ପିୟନସିପରେ ଗୁରୁବାର ଦିନ ୧୮ ବର୍ଷୀୟ ଗୁକେଶ ୧୪ତମ ତଥା ଶେଷ ସମୟରେ ୭.୫ ପଏଣ୍ଟ ହାସଲ କରିଥିବା ବେଳେ ତାଙ୍କ ଚୀନି ପ୍ରତିନ୍ଦ୍ୱନ୍ଦ୍ବୀ ଲିରେନ ୬.୫ ପଏଣ୍ଟରେ ସୀମିତ ରହିଯାଇଥିଲେ ।
ଇତିହାସ ରଚିଲେ ଗୁକେଶ:
ଗୁକେଶ ୧୪ତମ ଗେମରେ ୫୮ତମ ଗୋଟି ଚାଳନା ପରେ ବିଜୟ ହାସଲ କରିଛନ୍ତି । ୪ ଘଣ୍ଟାର ସଂର୍ଘଷ ପରେ ବିଜୟ ହାସଲ କରିଥିଲେ ଗୁକେଶ । ୫୫ ତମ ଗୋଟି ଚାଳନାରେ ଡିଙ୍ଗ୍ ଲିରେନ ତ୍ରୁଟିପୂର୍ଣ୍ଣ ଗୋଟି ଚଳାଇଥିବା ହୃଦୟଙ୍ଗମ କରିଥିଲେ ଗୁକେଶ । ସେ ତାଙ୍କ ରୁକକୁ ଏଫ-୨ ସ୍ଥାନକୁ ଚଳାଇବା ପରେ ଗୁକେଶ ଉତ୍ସାହିତ ଦେଖାଯାଇଥିଲେ ଓ ୫୮ ତମ ଗୋଟି ଚାଳନାରେ ଲିରେନଙ୍କୁ ହରାଇଥିଲେ । ଯାହା ପରେ ବାଜିମାତ କରି ନେଇଥିଲେ ଗୁକେଶ । ମାତ୍ର ୧ ପଏଣ୍ଟ ବ୍ୟବଧାନରେ ବିଶ୍ୱ ବିଜେତା ସାଜିଛନ୍ତି ଗୁକେଶ । ଗୁକେଶ ଏହି ଗୌରବ ହାସଲ କରିବାରେ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି ।
ଗୁକେଶ ତୃତୀୟ ଓ ଏକାଦଶ ତମ ଗେମରେ ବିଜୟ ହାସଲ କରିଥିବା ବେଳେ ଲିରେନ ପ୍ରଥମ ଓ ୧୨ତମ ଗେମରେ ଜିତିଥିଲେ । ଅନ୍ୟ ମ୍ୟାଚଗୁଡିକ ଡ୍ର ରହିଥିଲା । ଯଦି ଏହି ଗେମ ଡ୍ର ହୋଇଥାନ୍ତା ତେବେ ବିଜେତା କିଏ ହେବେ ତାହା ଶୁକ୍ରବାର ଟାଇ-ବ୍ରେକରେ ହୋଇଥାନ୍ତା ।
10 ବର୍ଷର ସ୍ୱପ୍ନ ହେଲା ପୂରଣ:
ବିଜୟ ପରେ ଭାବବିହ୍ୱଳ ହୋଇପଡିଥିଲେ ଗୁକେଶ । ଏହି ଅବସରରେ ସେ କହିଛନ୍ତି, "ମୁଁ ଭାବବିହ୍ୱଳ ହୋଇପଡିଲି କାରଣ ମୋତେ ସେହି ସ୍ଥିତିରେ ଜିତିବାର ଆଶା ନଥିଲା । କିନ୍ତୁ ଯେତେବେଳେ ମୁଁ ତ୍ରୁଟି ଦେଖିଲି, ସେତେବେଳେ ମୋତେ ଆଭାସ ହେଲା କି ମୁଁ ନିଜର ସ୍ୱପ୍ନ ପୂରଣ କରିନେଲି । ପ୍ରତ୍ୟେକ ଚେସ୍ ଖେଳାଳି ଏହି ଅନୁଭବ କରିବା ପାଇଁ ଚାହାଁନ୍ତି । ସର୍ବପ୍ରଥମେ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ।ମୁଁ ନିଜ ଟିମର ପ୍ରତ୍ୟେକ ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି । ଏହି ମୂହୁର୍ତ୍ତ ପାଇଁ ମୁଁ ୧୦ ବର୍ଷ ହେଲା ସ୍ୱପ୍ନ ଦେଖିଆସୁଛି ।
ସେ ଆଉ ମଧ୍ୟ କହିଛନ୍ତି, " ଆମେ ସମସ୍ତେ ଜାଣିଛେ ଡିଙ୍ଗ୍ କିଏ । ସେ ଇତିହାସର ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ ।ଆମେ ଦେଖିଛେ ସେ କେତେ ଚାପ ସହିପାରନ୍ତି ଓ ପ୍ରକୃତ ଚାମ୍ପିୟନ କିଏ ଏହି ଗୁଣ ଦର୍ଶାଇଥାଏ । ମୋ ପାଇଁ ସେ ଜଣେ ପ୍ରକୃତ ଚାମ୍ପିୟନ ।"