ୱାସିଂଟନ: ପୁଣି ଅବୈଧ ରୂପେ ରହୁଥିବା ୧୧୯ ଭାରତୀୟ ନାଗରିକଙ୍କୁ ଆମେରିକା ପ୍ରତ୍ୟର୍ପଣ କରିଛି । ଆମେରିକାର ସାମରିକ ପରିବହନ ବିମାନ C-17 ଗ୍ଲୋବାଲମାଷ୍ଟର ଆସନ୍ତାକାଲି (୧୬ ତାରିଖରେ) ନିର୍ବାସିତ ଭାରତୀୟମାନଙ୍କୁ ନେଇ ଅମୃତସରର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବାକୁ ଯାଉଛି । ଗତ ମାସରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ ଏହା ଦ୍ୱିତୀୟ ଥର ପାଇଁ ଭାରତୀୟମାନଙ୍କୁ ନିର୍ବାସିତ କରାଯିବ । ପୂର୍ବରୁ ୧୦୪ ଜଣ ପ୍ରବାସୀ ଭାରତୀୟଙ୍କୁ ଫେରାଇଥିଲା ଆମେରିକା ।
ପୁଣି ଫେରିବେ ୧୧୯ ନିର୍ବାସିତ ଭାରତୀୟ:
ଆମେରିକାର ସରକାରୀ ସୂତ୍ର ଅନୁଯାୟୀ, ସମସ୍ତ 'ଅବୈଧ ପ୍ରବାସୀ'ଙ୍କୁ ସେମାନଙ୍କ ଦେଶକୁ ନ ଫେରାଇବା ପର୍ଯ୍ୟନ୍ତ ନିର୍ବାସନ ପ୍ରକ୍ରିୟା ଜାରି ରହିବ । ସୂଚନା ଅନୁଯାୟୀ, ଦ୍ବିତୀୟ ପର୍ଯ୍ୟୟରେ ଆସୁଥିବା ନିର୍ବାସିତ ଭାରତୀୟଙ୍କ ମଧ୍ୟରେ ସର୍ବାଧିକ ପଞ୍ଜାବରୁ ରହିଛନ୍ତି । ପଞ୍ଜାବର ୬୭ ଜଣ, ହରିୟାଣାରୁ ୩୩ ଜଣ, ଗୁଜୁରାଟରୁ ୮ ଜଣ, ଉତ୍ତର ପ୍ରଦେଶରୁ ୩ ଜଣ, ରାଜସ୍ଥାନ ଏବଂ ମହାରାଷ୍ଟ୍ରରୁ ୨ ଜଣ ଏବଂ ଜମ୍ମୁ ଓ କାଶ୍ମୀର ଏବଂ ହିମାଚଳ ପ୍ରଦେଶରୁ ଜଣେ ଲେଖାଏଁ ବ୍ୟକ୍ତି ଅଛନ୍ତି । ସେମାନଙ୍କୁ ନେଇ ଆସନ୍ତାକାଲି (ରବିବାର) ଆମେରିକା C-17 ବିମାନ ଭାରତରେ ପହଞ୍ଚିବ ।
ଆମେରିକାରର କାର୍ଯ୍ୟାନୁଷ୍ଠାନ:
ଅବୈଧ ଭାବରେ ଦେଶରେ ପ୍ରବେଶ କରିଥିବା କିମ୍ବା ଭିସା ଅବଧି ଅତିକ୍ରମ କରିଥିବା ବ୍ୟକ୍ତିମାନଙ୍କ ଉପରେ ଆମେରିକାର ଇମିଗ୍ରେସନ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଆମେରିକା ସରକାରଙ୍କ ପକ୍ଷରୁ ସେମାନଙ୍କୁ ସ୍ବଦେଶକୁ ପ୍ରତ୍ୟାର୍ପଣ କରାଯାଉଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପରେ ଏହି ନିର୍ବାସନ କରାଯାଇଛି । ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ, ମୋଦି, ଯାଞ୍ଚ ହୋଇଥିବା ଭାରତୀୟ ନାଗରିକମାନଙ୍କୁ ପୁନର୍ବାର ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରିଛନ୍ତି ଏବଂ ପ୍ରବାସୀମାନଙ୍କୁ ଶୋଷଣ କରୁଥିବା ମାନବ ଚାଲାଣ ନେଟୱାର୍କଗୁଡ଼ିକର ମୁକାବିଲା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ପୂର୍ବରୁ ଟ୍ରମ୍ପ ପ୍ରଶାସନ ଭାରତୀୟମାନଙ୍କୁ ଏକ ସାମରିକ ବିମାନରେ ହାତକଡ଼ି ଏବଂ ଶିକୁଳି ପିନ୍ଧାଇ ଦେଶକୁ ଫେରାଇ ଦେଇଥିଲା, ଯାହାକୁ ନେଇ ଭାରତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ