ଭୁବନେଶ୍ବର: ରାଜ୍ୟରେ ଅବ୍ୟବସ୍ଥା ଘେରରେ ରହିଛି ଅଙ୍ଗନବାଡି କେନ୍ଦ୍ର । କେଉଁଠି ନିଜସ୍ବ ଗୃହ ନାହିଁତ କେଉଁଠି ବିଦ୍ୟୁତ୍ ସଂଯୋଗ ନାହିଁ ପୁଣି କେଉଁଠି ପାଚେରୀ ନାହିଁ । ରାଜ୍ୟରେ ମୋଟ ୭୪ ହଜାର ୧୯୨ ଅଙ୍ଗନବାଡ଼ି କେନ୍ଦ୍ର ରହିଥିବା ବେଳେ ସେଥି ମଧ୍ୟରୁ ୨୧ ହଜାର ୪୮୬ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ, ୩୧ ହଜାର ୪୫୬ ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ବିଦ୍ୟୁତ ସଂଯୋଗ ଓ ୪୭ ହଜାର ୭୩୭ ଅଙ୍ଗନବାଡ଼ି କେନ୍ଦ୍ରରେ ପାଚେରୀ ନଥିବା ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
କଣ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ର ?
ଅଙ୍ଗନୱାଡି କେନ୍ଦ୍ରର ଭିତ୍ତିଭୂମିର ବିକାଶ ନେଇ ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ର ଉପମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ରାଜ୍ୟରେ କେତେ ଅଙ୍ଗନବାଡି କେନ୍ଦ୍ର, ଉପକେନ୍ଦ୍ର ଅଛି, କେତେ କେନ୍ଦ୍ରରେ ନିଜସ୍ବ ଗୃହ, ପାଚେରୀ, ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଅଛି, କେତେ କେନ୍ଦ୍ର କେଉଁ କେଉଁ ସୁବିଧା ନଥିବା ସହ ଏହାର ଭିତ୍ତିଭୂମି ବିକାଶ ପାଇଁ କଣ ପଦକ୍ଷେପ ନେଉଛନ୍ତି, ତାର ଏକ ବ୍ଲକୱାରୀ ତଥ୍ୟ ସମ୍ବଳିତ ବିବରଣୀ ଦେବେ କି ? ବୋଲି ପ୍ରଶ୍ନ କରିଥିଲେ।
ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ:
ଏହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, ''ରାଜ୍ୟରେ ୭୪୧୯୨ ଟି ଅଙ୍ଗନୱାଡି କେନ୍ଦ୍ର ଅଛି ଓ କୌଣସି ଉପ କେନ୍ଦ୍ର ନାହିଁ । ତନ୍ମଧ୍ଯରୁ ୫୨୮୦୬ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ, ୨୬୪୫୫ ଅଙ୍ଗନୱାଡି କେନ୍ଦ୍ରରେ ପାଚେରୀ, ସମସ୍ତ କେନ୍ଦ୍ରର ୨୦୦ ମିଟର ପରିଧିରେ ଜଳ ଓ ୪୨୭୩୬ ଅଙ୍ଗନୱାଡି କେନ୍ଦ୍ରରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଅଛି । ଉପରୋକ୍ତ ସୁବିଧା ନଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକର ବ୍ଲକ ୱାରୀ ତାଲିକା ପରିଶିଷ୍ଟ ‘କ' ରେ ପ୍ରଦାନ କରାଗଲା । ଅଙ୍ଗନୱାଡି କେନ୍ଦ୍ରରେ ବିଦ୍ୟୁତ୍ ଯୋଗାଣ ନିମନ୍ତେ ସିକ୍ୟୁରିଟି ଡିପୋଜିଟି ସହିତ ଆବଶ୍ୟକୀୟ ସ୍ଥାନରେ ନିକଟସ୍ଥ ପୋଲରୁ ଅଙ୍ଗନୱାଡି କେନ୍ଦ୍ର ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣର ବ୍ୟୟ ବରାଦ ନିମନ୍ତେ ଜିଲ୍ଲା ମାନଙ୍କୁ ପର୍ଯ୍ୟାୟ କ୍ରମେ ପାଣ୍ଠି ପ୍ରଦାନ କରାଯାଉଅଛି । ବର୍ତ୍ତମାନ ପାଚେରି ନିର୍ମାଣ ନିମନ୍ତେ କୌଣସି ପ୍ରସ୍ଥାବ ନାହିଁ ଏବଂ ଅଙ୍ଗନୱାଡି କେନ୍ଦ୍ରର ଭିତ୍ତିଭୂମି ବିକାଶ ପାଇଁ ପର୍ଯ୍ୟାୟ କ୍ରମେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉ ଅଛି । ''
ଇଟିଭି ଭାରତ, ଭୁବନେଶ୍ବର