ନୂଆଦିଲ୍ଲୀ:ଆସନ୍ତା ବର୍ଷ ଖେଳାଯିବ ଆଇସିସି ଚାମ୍ପିଅନ୍ସ ଟ୍ରଫି । ଟି 20 ବିଶ୍ବକପ ଶେଷ ହେବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟର ନବମ ସଂସ୍କରଣ ପାକିସ୍ତାନରେ ଆୟୋଜନ ହେବ । ଫେବୃଆରୀ 19ରୁ ମାର୍ଚ୍ଚ 9 ମଧ୍ୟରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି 2025 । ଏନେଇ ଏକ ଅସ୍ଥାୟୀ କ୍ରୀଡାସୂଚୀ ଜାରି କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । କ୍ରୀଡାସୂଚୀରେ ଆଇସିସିର ମୋହର ଲାଗିବା ବାକି ଅଛି । ମାର୍ଚ୍ଚ 1 ତାରିଖରେ ଭାରତ-ପାକିସ୍ତାନ ହାଇପ୍ରୋଫାଇଲ ମ୍ୟାଚ ଖେଳାଯିବା ନେଇ ଆଇସିସି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କିନ୍ତୁ ପ୍ରସ୍ତାବିତ କାର୍ଯ୍ୟସୂଚୀକୁ ବିସିସିଆଇ ଏପର୍ଯ୍ୟନ୍ତ ଅନୁମୋଦନ ପ୍ରଦାନ କରିନାହିଁ ବୋଲି ସେ କହିଛନ୍ତି।
ମାର୍ଚ୍ଚ1ରେ ଭାରତ-ପାକିସ୍ତାନ ମ୍ୟାଚ: ଚାମ୍ପିଅନ୍ସ ଟ୍ରଫି 2025ର ବହୁପ୍ରତିକ୍ଷିତ ଭାରତ ଓ ପାକିସ୍ତାନ ମଧ୍ୟରେ ମହାଲଢ଼େଇ ମାର୍ଚ୍ଚ 1 ତାରିଖରେ ଖେଳାଯିବ । ଲାହୋର ଠାରେ ଏହି ମ୍ୟାଚ ଆୟୋଜନ କରାଯିବା ନେଇ ପିସିବି ନିଷ୍ପତ୍ତି ନେଇଛି ।
ଚାମ୍ପିଅନ୍ସ ଟ୍ରଫିରେ 15 ଟି ମ୍ୟାଚ:ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମୋଟ 15ଟି ମ୍ୟାଚ ଖେଳାଯିବ । ଟିମ୍ ଇଣ୍ଡିଆର ସମସ୍ତ ମ୍ୟାଚ ଲାହୋର ଠାରେ ଖେଳାଯିବ । କରାଚୀରେ 3ଟି, ଲାହୋର ଠାରେ 7ଟି ଓ ରାଓ୍ବାଲପିଣ୍ଡିରେ 5ଟି ମ୍ୟାଚ ଖେଳାଯିବା ନେଇ ଆଇସିସିକୁ ଦିଆୟାଇଥିବା କ୍ରୀଡାସୂଚୀରେ ଉଲ୍ଲେଖ ରହିଛି । ସେହିପରି କରାଟୀରେ ଉଦଘାଟନୀ ମୁକାବିଲା ଓ 2ଟି ସେମିଫାଇନାଲ ଖେଳାଯିବ । ଯଦି ଟିମ୍ ଇଣ୍ଡିଆ ସେମିକୁ ଯାଏ ତେବେ ଏହା ଲାହୋରକୁ ସ୍ଥାନାନ୍ତରିତ ହେବ । ଫାଇନାଲ ମ୍ୟାଚ ଲାହୋରରେ ଖେଳାଯିବ ।