ଭୁବନେଶ୍ୱର: କମୁଛି ପାରଦ, ବଢୁଛି ଶୀତ । ଶୀତରେ ଥରୁଛି ସାରା ଓଡିଶା । ଅଭ୍ୟନ୍ତରୀଣରୁ ଉପକୂଳ ସବୁଠି ଶୀତର ଅନୁଭବ ହେଉଥିବା ବେଳେ ଆସନ୍ତା ସପ୍ତାହେ ଯାଏ ଅର୍ଥାତ ୯ ତାରିଖ ଯାଏ ଶୁଖିଲା ପାଗ ରହିବ । ବିଶେଷ ଭାବେ ଶୀତର ପ୍ରକୋପ ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ । ଏହାସହ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।
ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣିଂ
ଶୁକ୍ରବାର ଓ ଶନିବାର ପାଇଁ ସୁନ୍ଦରଗଡ, ଝାରସୁଗୁଡା, ମୟୂରଭଞ୍ଜ ଓ କନ୍ଧମାଳରେ ଘନ କୁହୁଡ଼ିକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଗଂଜାମ, ଗଜପତି, ନୟାଗଡ, କେନ୍ଦୁଝର ଓ ମୟୂରଭଞ୍ଜରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବାର ଆକଳନ କରିଛି ପାଣିପାଗ ବିଭାଗ ।
୨ ଦିନ ଯାଏ ପାଗରେ ନାହିଁ ପରିବର୍ତ୍ତନ
ଆସନ୍ତାକାଲି (ଶନିବାର) ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ କୁହୁଡ଼ି ପରିଲକ୍ଷିତ ହେବ । ଆଗାମୀ ୨ ଦିନ ପାଇଁ ଓଡ଼ିଶାର ଜିଲ୍ଲାଗୁଡିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହାପରଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ବିଭାଗ ପୂର୍ବାନୁମାନ କରିଛି । ଯେଉଁଥିପାଇଁ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ତେବେ ଉତ୍ତର -ଉତ୍ତର ଉପକୁଳରୁ ବାୟୁ ପ୍ରବାହିତ ହେଉଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଉଛି ।
୭ ଦିନ ପର୍ଯ୍ୟନ୍ତ ପାଗ ରହିବ ଶୁଖିଲା
ଏନେଇ ପାଣିପାଗ ବିଜ୍ଞାନୀ ସଂଜୀବ ଦ୍ବିବେଦୀ କହିଛନ୍ତି," ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ସିଷ୍ଟମ ନାହିଁ । ୭ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆଗାମୀ ୨ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ନାହିଁ ।"
ସର୍ବନିମ୍ନ ତାପମାତ୍ରା ପୂର୍ବାନୁମାନ#Odisha #weather #OdishaWeather #weatherforecast pic.twitter.com/UfvKL4fD4J
— Meteorological Centre, Bhubaneswar (@mcbbsr) January 3, 2025
ଏହାମଧ୍ୟ ପଢନ୍ତୁ... |
ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇ ଥିବା ବେଳେ ଜି. ଉଦ୍ୟଗିରିରେ ୪.୮ ଡିଗ୍ରୀ ସେଲସିୟସ , ଭୁବନେଶ୍ଵରରେ ୧୪.୦୦ ଡିଗ୍ରୀ ଓ କଟକରେ ୧୨.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ତେବେ ଆଗାମୀ ୭ ଦିନ ଯାଏ ରାଜ୍ୟରେ ପାଣିପାଗ ମୁଖ୍ୟତଃ ଶୁଖିଲା ରହିବ ।
ଇଟିଭି ଭାରତ, ଭୁବନେଶ୍ୱର