ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା 4 ବିଶିଷ୍ଟ କ୍ରୀଡାବିତ୍ ପାଇବେ ଜାତୀୟ କ୍ରୀଡ଼ା ପୁରସ୍କାର ତଥା ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ-୨୦୨୪’ । ବିଶ୍ଵ ଚେସ୍ ଚମ୍ପିଆନ୍ ଡି.ଗୁକେଶ, ଅଲିମ୍ପିକ୍ସ ଶୁଟର ମନୁ ଭାକର, ହକି ଖେଳାଳି ହରମନପ୍ରୀତ ସିଂ ଓ ପାରା-ଆଥଲେଟ୍ ପ୍ରବୀଣ କୁମାରଙ୍କୁ ଏହି ସର୍ବୋଚ୍ଚ କ୍ରୀଡା ସମ୍ମାନ ପାଇଁ ମନୋନୀତ କରିଛନ୍ତି କେନ୍ଦ୍ର ସରକାର । ଆଜି(ଗୁରୁବାର) କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଏହି ଘୋଷଣା କରିଛି । 17 ତାରିଖରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଠାରୁ ଏହି 4 ବିଶିଷ୍ଟ କ୍ରୀଡାବିତ ଏହି ସର୍ବୋଚ୍ଚ କ୍ରୀଡା ସମ୍ମାନ ଗ୍ରହଣ କରିବେ ।
‘ଖେଳରତ୍ନ ସମ୍ମାନ-2024’ ବିଜେତାଙ୍କ ସମ୍ପର୍କରେ...
ନିକଟରେ ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ଭାବେ ବିଶ୍ବ ଚେସ୍ ଚମ୍ପିଆନ ହୋଇ ଦେଶ ପାଇଁ ଗୌରବ ଆଣିଛନ୍ତି ତାମିଲନାଡୁର 18 ବର୍ଷୀୟ ଡି.ଗୁକେଶ । ସେ ଚୀନର ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି । ସେହିପରି ବିଦାୟୀ ବର୍ଷ 2024ରେ ପ୍ୟାରିସରେ ଅନୁଷ୍ଠିତ ହୋଇଥିବା କ୍ରୀଡା ମହାକୁମ୍ଭ ‘ଅଲିମ୍ପିକ୍ସ’ରେ ସୁଟିଂରେ ଭାରତକୁ ପ୍ରତିନିଧିତ୍ବ କରି ସଫଳତା ହାସଲ କରିଥିଲେ 22 ବର୍ଷୀୟା ମହିଳା ଆଥଲେଟ୍ସ ମନୁ ଭାକର । ସେ ଡବଲ ଅଲିମ୍ପିକ୍ସ ମେଡାଲ ହାସଲ କରିଥିଲେ ।
ସେହିପରି ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂଙ୍କୁ ‘ହକି’ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯିବ । ତାଙ୍କ ସହ 4ର୍ଥ ବିଜେତା ଭାବେ ପାରା-ଆଥଲେଟ୍ସ ପ୍ରବୀଣ କୁମାର ମଧ୍ୟ ଖେଳରତ୍ନ ସମ୍ମାନରେ ସମ୍ମାନିତ ହେବେ । ଚଳିତମାସ 17 ତାରିଖରେ ରାଷ୍ଟ୍ରପତି ଭବନରେ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିବେ ।
ଏହା ମଧ୍ୟ ପଢନ୍ତୁ:- ଚେସ୍ରେ ଇତିହାସ, ସର୍ବକନିଷ୍ଠ ଓ୍ୱାର୍ଲ୍ଡ ଚାମ୍ପିୟନ ଗୁକେଶ 2024 କ୍ରୀଡ଼ାରେ ଚମକିଲା ଭାରତ: T20 ବିଶ୍ବକପ ଟାଇଟଲ, ଅଲିମ୍ପିକ୍ସ ହକି ବ୍ରୋଞ୍ଜ, ଗ୍ରାଣ୍ଡମାଷ୍ଟର ଗୁଗେସଙ୍କ ରେକର୍ଡ |
- 32 କ୍ରୀଡାବିତ ‘ଅର୍ଜୁନ ପୁରସ୍କାର’
ସେହିପରି ଏହି ସର୍ବୋଚ୍ଚ ସମ୍ମାନ ସହ ବର୍ଷ-2024 ପାଇଁ ସମ୍ମାନଜନକ ଅର୍ଜୁନ ପୁରସ୍କାର ମଧ୍ୟ ଘୋଷଣା କରିଛି କ୍ରୀଡା ମନ୍ତ୍ରଣାଳୟ । 17 ପାରା-ଆଥଲେଟ୍ସଙ୍କ ସମେତ ବିଭିନ୍ନ ବର୍ଗରୁ ମୋଟ 32 କ୍ରୀଡାବିତ୍ ଏହି ସମ୍ମାନରେ ସମ୍ମାନିତ ହେବାକୁ ମନୋନୀତ ହୋଇଛନ୍ତି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ