ଭୁବନେଶ୍ୱର: ଅହେତୁକ ଦରବୃଦ୍ଧିକୁ ନେଇ ଗର୍ଜିବ ବିଜେଡି । ଜାନୁଆରୀ ୬ତାରିଖରେ ଗାନ୍ଧୀମାର୍ଗରେ ବିଜେପି ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବ ବିରୋଧି ଦଳ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ଦରଦାମ ହୁହୁ ହୋଇ ବଢୁଥିବା ବେଳେ ଏହାକୁ ବିରୋଧ କରିବ ବିଜୁ ଜନତା ଦଳ ।
ଦରଦାମ ନିୟନ୍ତ୍ରଣରେ ଡବଲ ଇଞ୍ଜିନ ସରକାର ବିଫଳ
'ଡବଲ ଇଞ୍ଜିନ ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ' । ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରଦାମ ହୁ ହୁ ହୋଇ ବଢୁଥିବା ବେଳେ ଡବଲ ଇଞ୍ଜିନ ସରକାର ଏହାକୁ ନିୟନ୍ତ୍ରଣ କରିପାରେ ବିଫଳ କହି ବିଜେପିକୁ କଟାକ୍ଷ କରିଛି ବିଜେଡି । ଏହି ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଜାନୁଆରୀ ୬ ତାରିଖ ଦିନ ଲୋକସେବା ଭବନ ସମ୍ମୁଖରେ ଏକ ଗଣବିକ୍ଷୋଭ କରିବ ବିଜେଡି ।
ମୁଦ୍ରାସ୍ପୀତି ବୃଦ୍ଧିରେ ଦେଶରେ ଓଡ଼ିଶାର ସ୍ଥାନ ତୃତୀୟ
ଏନେଇ ବିଜେଡି ସମନ୍ୱୟ କମିଟିର ଅଧକ୍ଷ ଦେବୀ ମିଶ୍ର କହିଛନ୍ତି," ରାଜ୍ୟରେ ଦରଦାମ ସମସ୍ତଙ୍କୁ ଅତିଷ୍ଠ କଲାଣି । ଏହି ଦରଦାମ ଗାଆଁ ଗହଳିର ଲୋକଙ୍କୁ ଅଧିକ ବାଧୁଛି । ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ମାର୍କେଟରେ ଖସିଥିଲେ ସୁଦ୍ଧା ଦରଦାମ କିନ୍ତୁ କମୁନି । ମୁଦ୍ରାସ୍ପୀତି ବୃଦ୍ଧିରେ ଦେଶରେ ଓଡ଼ିଶାର ସ୍ଥାନ ତୃତୀୟ । ପ୍ରଥମ ୮ଟି ରାଜ୍ୟ ମଧ୍ୟରୁ ୭ଟି ବିଜେପି ଶାସିତ ରାଜ୍ୟ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ମୁଦ୍ରାସ୍ପିତି ଉତ୍କଟ । ଡବଲ ଇଞ୍ଜିନ ଡବଲ ବିକାଶର ନାରା ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ଆସିଥିବା ବିଜେପି ସରକାର ଦରଦାମ ନିୟନ୍ତ୍ରଣ ଓ ଅର୍ଥନୀତିର ସୁପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ମୁଦ୍ରାସ୍ପୀତି ବୃଦ୍ଧିରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ନିୟମିତ ଭାବେ କମି ଚାଲିଥିବା ବେଳେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିବା ପରିବର୍ତ୍ତେ ବଢ଼ି ଚାଲିଛି ।
ମୁଦ୍ରାସ୍ପୀତି ବୃଦ୍ଧିର ତଥ୍ୟ ଦେଇ ଦେବୀ ମିଶ୍ର କହିଛନ୍ତି, "ଖୁଚୁରା ମୁଦ୍ରାସ୍ପୀତି ନଭେମ୍ୱର ମାସରେ ୫.୪୮ ପ୍ରତିଶତକୁ ଛୁଇଁଛି, ଯାହା ଗତ ୯ ମାସରେ ସବୁଠାରୁ ଅଧିକ । ସେହିପରି, ଖାଦ୍ୟ ସାମଗ୍ରୀ ଗୁଡିକର ମୁଦ୍ରାସ୍ପୀତି ନଭେମ୍ୱର ମାସରେ ୯.୪ ପ୍ରତିଶତ ରହିଛି, ଯାହା ମଧ୍ୟ ସର୍ବାଧିକ । ପନିପରିବା ଦର ଗତ ଅଗଷ୍ଟ ମାସରେ ୩୫.୯୯ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି ଗ୍ରାମାଞ୍ଚଳରେ ମୁଦ୍ରାସ୍ପୀତି ମଧ୍ୟ ୬.୬୮ ପ୍ରତିଶତକୁ ଛୁଇଁଛି । ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ସରକାର ଓ ଓଡିଶା ସମେତ ବିଜେପି ଶାସିତ ରାଜ୍ୟ ସରକାର ମାନେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।
ଜାନୁଆରୀ ୬ରେ ସଚିବାଳୟ ସମ୍ମୁଖରେ ଗଣବିକ୍ଷୋଭ
ସେ ଆଉ ମଧ୍ୟ କହିଛନ୍ତି," ଦରଦାମ ବୃଦ୍ଧି ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ତରଫରୁ ଏହାକୁ ରୋକିବା ପାଇଁ କୌଣସି ଆନ୍ତରିକତା ଦେଖିବାକୁ ମିଳୁନାହିଁ । ଏଣୁ ଏହି ଅହେତୁକ ଦରବୃଦ୍ଧିକୁ ବିରୋଧ କରି ଆସନ୍ତା ଜାନୁଆରୀ ୬ ତାରିଖ ଦିନ ସଚିବାଳୟ ସମ୍ମୁଖରେ ଏକ ଗଣବିକ୍ଷୋଭ ଅନୁଷ୍ଠିତ ହେବ । ଓଡିଶାର ମୁଦ୍ରାସ୍ପୀତି ୬.୭୮ ପ୍ରତିଶତ ରହିଥିବା ବେଳେ, ଏହା ଦେଶର ସମସ୍ତ ରାଜ୍ୟମାନଙ୍କ ତୁଳନାରେ ତୃତୀୟ ସ୍ଥାନରେ ରହିଛି । ଦେଶର ରାଜ୍ୟମାନଙ୍କ ଭିତରେ ମୁଦ୍ରାସ୍ପୀତି ବୃଦ୍ଧି ତାଲିକାରେ ପ୍ରଥମ ୮ଟି ରାଜ୍ୟ ମଧ୍ୟରେ ୭ଟି ବିଜେପି ଶାସିତ ରାଜ୍ୟ ରହିଛନ୍ତି ।
ସେହିପରି ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି," ଗ୍ୟାସ୍, ପେଟ୍ରୋଲ, ଡିଜେଲ, ଡାଲି, ତେଲ, ଅଣ୍ଡା ଓ ପନିପରିବା ଦର ଅହେତୁକ ଭାବେ ବଢିଛି । ଦରଦାମ ନିୟନ୍ତ୍ରଣ ଦାବିରେ ଆସନ୍ତା 6 ତାରିଖରେ ସକାଳ ସାଢ଼େ 10 ରୁ 11 ଭିତରେ ଲୋୟର ପିଏମଜିରେ ବିକ୍ଷୋଭ କରାଯିବ ।"
ଦରଦାମ ନିୟନ୍ତ୍ରଣ ନହେଲେ ଆନ୍ଦୋଳନ ହେବ ତୀବ୍ରତର
ସେହିପରି ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି," ଯେତେବେଳେ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଆସିଲା ସେତେବେଳେ ଦରଦାମ ହୁ ହୁ ହୋଇ ବଢି ଚାଲିଛି । ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍ ବଢିଛି । ପ୍ରତିଦିନ ଲୋକେ ହନ୍ତସନ୍ତ ହେଉଛନ୍ତି । ଆଳୁ, ପିଆଜ, ରସୁଣ, ଡାଲି ଜାତୀୟ ସମାଗ୍ରୀ ଦର ଆକାଶ ଛୁଆଁ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଦରଦାମ ନିୟନ୍ତ୍ରଣ କରନ୍ତୁ ନଚେତ୍ ୬ ତାରିଖ ପରେ ଓଡ଼ିଶାର ୩୦ ଜିଲ୍ଲାରେ ଆନ୍ଦୋଳନ ତୀବ୍ରତର ହେବ ।"
ଦରଦାମ ବୃଦ୍ଧି ବିରୋଧରେ ଗର୍ଜିବ ବିଜେଡି, ରାଜ୍ୟବ୍ୟାପୀ ଗଣବିକ୍ଷୋଭ ନେଇ ଚୂଡାନ୍ତ ହେଲା ରୂପରେଖ ସରକାର ନିଦରେ ଶୋଇଗଲେ ଜାଗ୍ରତ କରିବ ବିଜେଡି: ଅରୁଣ ସାହୁ ଚାଷ କ୍ଷୟକ୍ଷତି ସମୀକ୍ଷା: BJP-BJD ମୁହାଁମୁହିଁ, ଏଭଳି କହିଲା କଂଗ୍ରେସ |
ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି,"ରୋଷେଇ ଘରେ ମହଙ୍ଗା ମାଡ଼ ଦେଖିବାକୁ ମିଳିଲାଣି । ଡବଲ ଇଞ୍ଜିନ୍ ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ । ଡବଲ ଇଞ୍ଜିନ୍ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହାନ୍ତି । ଯେଉଁଥିଲାଗି ଲୋକସେବା ଭବନ ଆଗରେ ବିକ୍ଷୋଭ କରାଯିବ ।
ଇଟିଭି ଭାରତ, ଭୁବନେଶ୍ୱର