କଟକ:ଅନ୍ତର୍ଜାତୀୟ ସ୍ତରୀୟ ମ୍ୟାଚ ଆୟୋଜନରେ ଓସିଏର ବଡ଼ ବିଫଳତା । ବଦନାମ ମୁଣ୍ଡାଇଲା କଟକ । ଆଉ ବିଶ୍ୱରେ ବଦନାମ ହେଲା ବାରବାଟୀ । ଏହି ଘଟଣାକୁ ନେଇ ଓସିଏ ସମ୍ପାଦକ ଯେଉଁ ସ୍ପଷ୍ଟୀକରଣ ରଖିଛନ୍ତି ତାହାକୁ ପିଲାଳିଆମୀ ଆଉ ବାଚାଳମୀ କହିଛନ୍ତି କ୍ରୀଡ଼ାବିତ । କେବଳ ସେତିକି ନୁହେଁ ଓସିଏ ସମ୍ପାଦକ କେବଳ ପାସ ବାଣ୍ଟି ରାଜନେତାଙ୍କୁ ସନ୍ତୁଷ୍ଟ କରିଥିବା ଅଭିଯୋଗ କରିବା ସହ ଇସ୍ତଫା ଦେଇଦେବା ଉଚିତ ବୋଲି କହିଛନ୍ତି ଓସିଏର ପୂର୍ବତନ କାଉନସିଲ ସଦସ୍ୟ ବ୍ରଜ ନନ୍ଦ । ସେହିପରି ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋଷ ଏବଂ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଏହି ଘଟଣାକୁ ନିନ୍ଦା କରିବା ସହ ସଠିକ ତଦନ୍ତ କରିବାକୁ ଦାବି କରିଛନ୍ତି ।
ମ୍ୟାଚ ଆୟୋଜନକୁ ନେଇ ସାରା ବିଶ୍ୱରେ ଲଜ୍ଜିତ ହୋଇଛି ବାରବାଟୀ । ମ୍ୟାଚ ଅଧାରୁ ଫ୍ଲଡ଼ ଲାଇଟ ବନ୍ଦ ହୋଇଯିବା ଘଟଣାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଛି । ୫ କି ୧୦ ମିନିଟ ନୁହେଁ ବରଂ ୩୦ ମିନିଟ ରୁ ଅଧିକ ସମୟ ଧରି ଲାଇଟ ବନ୍ଦ ହେବା ଘଟଣାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ । ଏହି ଘଟଣାକୁ ନେଇ କ୍ରୀଡା ବିଭାଗ ଓସିଏକୁ କାରଣ ଦର୍ଶଅ ନୋଟିସ ଜାରି କରିଥିବା ବେଳେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛି ଓସିଏ ।
ବଡ଼ କଥା ହେଉଛି ନିଜର ଦୋଷ ଦୃବଳତାକୁ ସ୍ୱୀକାର କରିବା ପରିବର୍ତ୍ତେ ଅନ୍ୟ ଉପରେ ଦୋଷ ଲଦି ଖସି ଯିବାକୁ ବସିଛି ଓସିଏ । ଅର୍ଥାତ ନିଜର ଦୋଷ ମୁଣ୍ଡାଇ ବାକୁ ନାରାଜ ଓସିଏ । ଏହା ଉପରେ ପ୍ରତିକ୍ରିୟା ରଖି ସମ୍ପାଦକ ସଞ୍ଜୟ ବେହେରା ଯାହା କହିଛନ୍ତି ତାହା କୁ ନେଇ ବି ଅନେକ ପ୍ରଶ୍ନବାଚି ସୃଷ୍ଟି କରିଛି । କହିବାକୁ ଗଲେ ବ୍ୟାକଅପ୍ ଜେନେରେଟର ନ ରଖି ଟିମ ବସ ଚାଳକକୁ ଦୋଷ ଦେଇ ନିଜ ମୁଣ୍ଡରୁ ଦୋଷ ଖସେଇବା ଭଳି ଭଲ ଯୋଜନା ହାତକୁ ନେଇଛି ଓସିଏ ।
"ଟିମ ଇଣ୍ଡିଆ ବ୍ୟାଟିଂ ସମୟରେ ଫ୍ଲଡ଼ ଲାଇଟ ଜଳିବା ପାଇଁ ସଂଯୋଗ ହୋଇଥିବା ଜେନେରେଟର ଓଭରଲୋଡ଼ ହେବାରୁ ଫ୍ଲଡ଼ ଲାଇଟ ବନ୍ଦ ହୋଇଥିଲା । ସଙ୍ଗେ ସଙ୍ଗେ ବ୍ୟାକଅପ ଜେନେରେଟର ଆଣିବା ସମୟରେ, ଟିମ ବସ "ରାସ୍ତାରେ ସମସ୍ୟା ସୃଷ୍ଟି କରିଥିଲା । ସେହିପରି ଚାଳକ ଖେଳ ଦେଖିବା ପାଇଁ ଯାଇଥିବା କାରଣରୁ ତାକୁ ଖୋଜି ବସ ସାଇଡ କରିବା ପାଇଁ ସମୟ ନେଇଥିଲା । ଯେଉଁ କାରଣରୁ ମ୍ୟାଚ ଆରମ୍ଭ ବିଳମ୍ବ ହୋଇଥିଲା," ବୋଲି ସମ୍ପାଦକ ସଞ୍ଜୟ ବେହେରା ସ୍ପଷ୍ଟୀକରଣ ରଖିଛନ୍ତି । "ଏହାବ୍ୟତୀତ କେବଳ ବାରବାଟୀ ନୁହେଁ ଅନ୍ୟ ଷ୍ଟାଡିଅମରେ ମଧ୍ୟ ଏଭଳି କୁଆଡେ ଫ୍ଲଡ଼ ଲାଇଟ ବନ୍ଦ ହେବାର ନଜିର ରହିଛି । ଏଭଳି ଘଟଣା ଆଗମୀ ଦିନରେ ହେବନି ଏବଂ ଏନେଇ ଏକ ତଦନ୍ତ ନିଶ୍ଚୟ ହେବ," ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।
ଓସିଏର ସ୍ପଷ୍ଟୀକରଣ ଉପରେ କଡା ଜବାବ ଦେଇଛନ୍ତି ଓସିଏର ପୂର୍ବତନ କାଉନସିଲ ସଦସ୍ୟ ବ୍ରଜ ନନ୍ଦ । ସେ କହିଛନ୍ତି, "ଓସିଏ ଯେଉଁ ସ୍ପଷ୍ଟୀକରଣ ଦେଇଛି ତାହା ପିଲାଳିଆମୀ ଏବଂ ବାଚଳାମୀ । ଅନ୍ତର୍ଜାତୀୟ ମ୍ୟାଚକୁ ସାରା ବିଶ୍ୱ ଦେଖୁଥିଲା । ମ୍ୟାଚ ଅଧାରୁ ଲାଇଟ ବନ୍ଦ ହେବା ଆଉ ତାହା ପୁଣି ଅଧଘଣ୍ଟାରୁ ଅଧିକ ତାହା ଓସିଏର ସମ୍ପୂର୍ଣ୍ଣ ବିଫଳତା । କାରଣ ମ୍ୟାଚର ୫ /୬ ଦିନ ଆଗରୁ ଜେନେରେଟର ପରୀକ୍ଷା ନିରୀକ୍ଷା କରିବା କଥା । ସ୍ୱତନ୍ତ୍ର ଇଞ୍ଜିନିୟର ଏଥିପାଇଁ ନିୟୋଜିତ ହେବା କଥା । କେବଳ ସେତିକି ନୁହେଁ ଏତେ ବଡ଼ ମ୍ୟାଚ ହେଉଛି ମାତ୍ର ଜେନେରଟର ପାଖରେ ସୁରକ୍ଷା ବ୍ୟବସ୍ଥା କେମିତି ନଥିଲା," ବୋଲି ପୂର୍ବତନ ଓସିଏ କାଉନ୍ସିଲ ସଦସ୍ୟ ବ୍ରଜ କିଶୋର ନନ୍ଦ ପ୍ରଶ୍ନ କରିଛନ୍ତି ।
ଯଦି କେହି ଜେନେରେଟର ତାର କାଟି ଦେଇଥାନ୍ତେ ତାହେଲେ ତାକୁ କଣ କରାଯାଇପାରିଥାନ୍ତା ! ଅର୍ଥାତ ଜେନେରେଟର ପାଖରେ ସୁରକ୍ଷା ଵ୍ୟଵସ୍ଥା ନଥିଲା । ଆଉ ଯଦି ଥିଲା ତେବେ ବସ କେମିତି ସେଠାରେ ରହିଲା ବୋଲି ଓସିଏର ସ୍ପଷ୍ଟୀକରଣକୁ ଅତି କଡା ଭାଷାରେ ନିନ୍ଦା କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଓସିଏର ସ୍ପଷ୍ଟୀକରଣ ଗ୍ରହଣୀୟ ନୁହେଁ । ଏଭଳି ଘଟଣା ପୂର୍ବରୁ କେବେ ଘଟି ନଥିଲା । ଓସିଏ ସମ୍ପାଦକ କେବଳ ପାସ ବାଣ୍ଟି ରାଜନେତାଙ୍କୁ ସନ୍ତୁଷ୍ଟ କରିଛନ୍ତି ବୋଲି ସେ ଅଭିଯୋଗ ମଧ୍ୟ କରିଛନ୍ତି । ସେହିପରି ଫ୍ଲଡ଼ ଲାଇଟ କମିଟି ଗଠନ ହୋଇଥିଲା କି ନାହିଁ ବୋଲି ପ୍ରଶ୍ନ କରିବା ସହ ଓସିଏକୁ କାଠଗଡାକୁ ଟାଣିଛନ୍ତି ବ୍ରଜ । ତେବେ ଏହି ବଡ଼ ବିଫଳତା ପାଇଁ ଓସିଏ ସମ୍ପାଦକ ଦାୟୀ ଏବଂ ସେ ଇସ୍ତଫା ଦେଇଦେବା କଥା ବୋଲି ବ୍ରଜ କହିଛନ୍ତି।
ଦୀର୍ଘ ୩ ବର୍ଷ ପରେ ବାରବାଟୀକୁ ଫେରିଥିଲା ମ୍ୟାଚ-
ବିସିସିଆଇ ପକ୍ଷରୁ ଦୀର୍ଘ ୩ ବର୍ଷ ପରେମ୍ୟାଚ ଆଲର୍ଟ ପରେ ଓସିଏରେ ବସିଥିଲା ଘନ ଘନ ବୈଠକ । ଜିଲ୍ଲା ପ୍ରଶାସନ, ମହାନଗର ନିଗମ, କମିଶନରେଟ ପୋଲିସ ପ୍ରତିଦିନ ମାରାଥାନ ଗସ୍ତ କରି ଷ୍ଟାଡିୟମର ମଧ୍ୟ ସମୀକ୍ଷା କରିଥିଲେ । କହିବାକୁ ଗଲେ ରାଜ୍ୟ ସରକାରଙ୍କ ତତ୍ୱାବଧାନରେ ମ୍ୟାଚ ମଧ୍ୟ ପରିଚାଳନା ହେଲା । ମନ୍ତ୍ରୀ ବିଧାୟକ ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନ ତମାମ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଉପସ୍ଥିତ ରହି ମ୍ୟାଚ ଉପଭୋଗ କଲେ । ହେଲେ ଏତେ ଯୋଜନା ବ୍ଲୁ ପ୍ରିଣ୍ଟ ପରେ ମଧ୍ୟ ଘଟିଗଲା ଏହି ଅଘଟଣ ।