ମୋକି (ଚୀନ) :ଏସୀୟ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଚୀନକୁ ହରାଇ 5ମ ଥର ପାଇଁ ଟାଇଟଲ ହାତେଇଛି ଭାରତୀୟ ହକି ଦଳ । ଚୀନ ହାରିଲା ସତ, ହେଲେ ସୋସିଆଲ ମିଡିଆରେ ପାକିସ୍ତାନ ଦଳକୁ ଏହାର ମୂଲ୍ୟ ଦେବାକୁ ପଡ଼ୁଛି । ହୁଲୁନବୁଇରରେ ଭାରତ-ଚୀନ୍ ଫାଇନାଲ୍ ମ୍ୟାଚ୍ ସମୟରେ ଚାଇନାର ପତାକା ଧରିଥିବାରୁ ପାକିସ୍ତାନ ହକି ଦଳର ଖେଳାଳିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ଉଲ୍ଲେଖଯୋଗ୍ୟ, ସେମିଫାଇନାଲରେ ପାକିସ୍ତାନକୁ ହରାଇ ଟୁର୍ଣ୍ଣାମେଣ୍ଟ ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା ଚୀନ୍ ।
ଚୀନକୁ ସମର୍ଥନ କଲେ ପାକିସ୍ତାନ ଖେଳାଳି :-
ବ୍ରଡକାଷ୍ଟର ଫାଇନାଲ ମ୍ୟାଚ୍ ପୂର୍ବରୁ ପାକିସ୍ତାନୀ ଖେଳାଳି ଚାଇନାର ପତାକା ଉଡ଼ାଉଥିବାର ଦୃଶ୍ୟ ଦେଖାଇଥିଲେ । ଏହି ଭିଜୁଆଲ୍ ଦେଖିବା ପରେ ସୋସିଆଲ ମିଡିଆରେ ୟୁଜର୍ସମାନେ ଚୀନ୍ ଦଳକୁ ସମର୍ଥନ କରିଥିବାରୁ ପାକିସ୍ତାନକୁ ସବୁ ଦିଗରୁ ଟ୍ରୋଲ କରିଥିଲେ । ଚୀନ୍ ବିପକ୍ଷ ସେମିଫାଇନାଲରେ ପାକିସ୍ତାନ ଜିତିବାରେ ଅସମର୍ଥ ହୋଇଥିଲା, କାରଣ ବିପକ୍ଷ ଦଳ ପ୍ରତିରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ଥିଲେ । ମ୍ୟାଚ୍ 1-1 ଡ୍ର'ରେ ଶେଷ ହୋଇଥିଲା ଏବଂ ପେନାଲ୍ଟି ସୁଟଆଉଟରେ ଚାଇନା 2-0ରେ ମ୍ୟାଚ୍ ଜିତି ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିଲା ।
ତେବେ ଦକ୍ଷିଣ କୋରିଆ ବିପକ୍ଷ ବ୍ରୋଞ୍ଜ ମେଡାଲ ମ୍ୟାଚ୍ରେ ପାକିସ୍ତାନ 5-2 ଗୋଲରେ ଜିତିଛି । ଏହି ମ୍ୟାଚରେ ପାକିସ୍ତାନର ସୁଫିଆନ ଖାନ (38 ତମ ମିନିଟ ଏବଂ 49 ତମ ମିନିଟ), ହାନ୍ନାନ ଶାହିଦ (39 ମିନିଟ, 54 ମିନିଟ) ଏବଂ ରୁମାନ (45 ମିନିଟ) ଗୋଲ ସ୍କୋର କରି ଦଳକୁ ଜିତିବାରେ ସାହାଯ୍ୟ କରିଥିଲେ । ଏହା ପାକିସ୍ତାନ ପାଇଁ ଏକ ଖରାପ ଆରମ୍ଭ ଥିଲା, କିନ୍ତୁ ପରେ ସେମାନେ ଭଲ କମ୍ବ୍ୟାକ କରି ସହଜରେ ମ୍ୟାଚ୍ ଜିତିଥିଲେ ।