କିଙ୍ଗଷ୍ଟନ: ଶେଷ ସୁଯୋଗର ଉପଯୋଗ କଲା ଆଫଗାନିସ୍ତାନ । ଟି-20 ବିଶ୍ବକପରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ଆଫଗାନିସ୍ତାନ ମାରିଲା ଏଣ୍ଟ୍ରି । ବାଂଲାଦେଶକୁ 8 ରନରେ ପରାସ୍ତ କରି ଗ୍ରୁପ-1ର ଦ୍ବିତୀୟ ଦଳ ଭାବେ ସେମିରେ ପ୍ରବେଶ କରିଛି ରସିଦ ବାହିନୀ । ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ ଡିଏଲ୍ଏସ ମେଥଡରେ ଜିତିଲା ଦଳ । ଆଫଗାନିସ୍ତାନର ବିଜୟ ପରେ ବିଶ୍ବକପରୁ ବାଦ୍ ପଡ଼ିଲା ଅଷ୍ଟ୍ରେଲିଆ । ରସିଦ ଖାନ ଓ ନବୀନ ଉଲ ହକଙ୍କ ଘାତକ ବୋଲିଂ ଯୋଗୁଁ ଦଳ ପ୍ରଥମ ଥର ପାଇଁ ଦଳ ଏହି ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛି । 4 ଓ୍ବିକେଟ ନେଇ ନବୀନ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ଆସନ୍ତା 27 ତାରିଖରେ ପ୍ରଥମ ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଆଫଗାନ ।
ବିଶ୍ବକପରେ ଅଷ୍ଟ୍ରେଲିଆ ଖେଳ ଖତମ: ଗତକାଲି ଭାରତ ଠାରୁ ଅଷ୍ଟ୍ରେଲିଆ ପରାଜିତ ହୋଇଥିଲେ ମଧ୍ୟ ସେମିକୁ ଯିବାକୁ ପାଇଁ ସୁଯୋଗ ମଧ୍ୟ ରହିଥିଲା । ଆଜିର ମ୍ୟାଚରେ ଯଦି ବାଂଲାଦେଶ ପରାଜିତ ହୋଇଥାନ୍ତା ତେବେ କଙ୍ଗାରୁ ଦଳ ସେମିରେ ପ୍ରବେଶ କରିବାର ସାମାନ୍ୟ ସୁଯୋଗ ଥିବା କୁହାଯାଉଥିଲା । କିନ୍ତୁ ଆଫଗାନର ବିଜୟ ପରେ ସେ ଟିକକ ଆଶା କ୍ଷୀଣ ହୋଇଛି । ଟି 20 ବିଶ୍ବକପ ଚଳିତ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି କଙ୍ଗାରୁ ଦଳ ।
ପ୍ରଥମ ଥର ସେମିରେ ଆଫଗାନର ଏଣ୍ଟ୍ରି: 2010ରୁ ଟି-20 ବିଶ୍ବକପ ଖେଳୁଛି ଆଫଗାନିସ୍ତାନ । କିନ୍ତୁ କୌଣସି ଟୁର୍ଣ୍ଣାମେଣ୍ଟରେ ଦଳ ସେମିକୁ ପ୍ରବେଶ କରିପାରିନଥିଲା । ଚଳିତ ବର୍ଷ କିନ୍ତୁ ଦମଦାର ପ୍ରଦର୍ଶନ କରି ପ୍ରଥମ ଥର ସେମିରେ ପହଞ୍ଚିଛି । ସୁପର 8ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ଦଳ । ଯାହା ସବୁଠାରୁ ବିଶ୍ବକପରେ ବଡ ବିପର୍ଯ୍ୟୟ ଥିଲା । ଏହାପରେ ଦଳର ସେମି ଆଶା ଉଜ୍ଜୀବିତ ହୋଇଥିଲା । ଆଜି ବାଂଲାଦେଶକୁ ହରାଇ ସୁପର 8 ମୁକାବିଲାରେ ଆଫଗାନର ବିଜୟ ହୋଇଛି ।