ଭୁବନେଶ୍ବର: ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ । ସକ୍ରିୟ ରାଜନୀତିକୁ ନିଜକୁ ଦୂରେଇ ନେବାକୁ ଘୋଷଣା କରିଛନ୍ତି ପୂର୍ବତନ ବିଜେଡି ନେତା ତଥା 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ନିର୍ବାଚନ ବେଳେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନହେଲେ ସେ ରାଜନୀତି ଛାଡ଼ିଦେବେ ବୋଲି ଘୋଷଣା କରିଥିଲେ । ତେବେ ଓଡ଼ିଶାରେ ୨୪ ବର୍ଷ ଶାସନ କରିଥିବା ବିଜେଡିର ଅପ୍ରତ୍ୟାଶିତ ପରାଜୟ ପାଇଁ ଏବେ ବିଭିନ୍ନ ମହଲରେ ପାଣ୍ଡିଆନଙ୍କୁ ହିଁ ଦାୟୀ କରାଯାଉଛି । ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜାରି କରି ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ପାଣ୍ଡିଆନ । ଏହା ସହିତ ବିଜେଡିର ପରାଜୟ ପାଇଁ ସେ ବିଜେଡି କର୍ମୀଙ୍କୁ ହାତ ଯୋଡ଼ି କ୍ଷମା ମଧ୍ୟ ମାଗିଛନ୍ତି ।
କଥା ରଖିଲେ ପାଣ୍ଡିଆନ: 'ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଶାସନ କ୍ଷମତାକୁ ନଆସିଲେ ମୁଁ ରାଜନିତୀରୁ ସନ୍ନ୍ୟାସ ନେବି' ବୋଲି ପୂର୍ବରୁ କହିଥିଲେ ପାଣ୍ଡିଆନ । ଏହି ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି ପାଣ୍ଡିଆନ । ଚଳିତ ସାଧାରଣ ନିର୍ବାଚନରେ ବିଜେଡିକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି । ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଧରି ଶାସନ କରୁଥିବା ବିଜେଡିକୁ ଶାସନ କ୍ଷମତାରୁ ହଟାଇଛନ୍ତି ଓଡ଼ିଶାବାସୀ । ୧୧୭ରୁ ବିଜେଡିର ଆସନ ଖସି ୫୧ରେ ପହଞ୍ଚିଛି । ସେହିଭଳି ଗତ ନିର୍ବାଚନରେ ପ୍ରମୁଖ ବିରୋଧୀ ଆସନରେ ବସିଥିବା ବିଜେପି ଏଥର ୭୮ ଆସନ ସହ ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି । ବିଜେଡିର ଏପରି ବିପର୍ଯ୍ୟୟ ପାଇଁ ଭିକେ ପାଣ୍ଡିଆନଙ୍କୁ ବିଭିନ୍ନ ମହଲରେ ଦାୟୀ କରାଯାଉଛି । ଏଥର ନିର୍ବାଚନ ପ୍ରଚାରର ମଙ୍ଗ ଏକାକୀ ସମ୍ଭାଳିଥିଲେ ପାଣ୍ଡିଆନ । ବିଭିନ୍ନ ସ୍ଥାନରେ ସଭା ସମିତି, ରୋଡ ସୋ' କରି ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ଯାହା ଦଳ ପାଇଁ ବୁମେରାଂ ହୋଇଥିବା କୁହାଯାଉଛି ।
ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇଥିଲେ ନବୀନ: ପାଣ୍ଡିଆନଙ୍କ ନେତୃତ୍ବକୁ ନେଇ ବିଜେଡିରେ ଏବେ ଚାପା ବିରୋଧ ମଧ୍ୟ ଉଠିଲାଣି । ନିର୍ବାଚନରେ ବିଜେଡି ହାରିବା ପରେ ଗତକାଲି ନବୀନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ପ୍ରଥମ କରି ମୁଁହ ଖୋଲିଥିଲେ । ତେବେ ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିବା ଦୁର୍ଭାଗ୍ୟଜନକ ବୋଲି କହି ପୂର୍ବତନ ବ୍ୟକ୍ତିଗତ ସଚିବଙ୍କୁ କ୍ଲିନ୍ ଚିଟ୍ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଆଜି ପାଣ୍ଡିଆନ ଏକ ଭିଡିଓ ବାର୍ତ୍ତାରେ ରାଜନିତୀରୁ ସନ୍ନ୍ୟାସ ନେବା କଥା ଘୋଷଣା କରିଛନ୍ତି ।