ଭୁବନେଶ୍ବର: ଭୈରବ କାର୍ତ୍ତିକେୟନ ପାଣ୍ଡିଆନ । ଓଡ଼ିଶାର ଏକ ଜଣାଶୁଣା ନାଁ । ପ୍ରଶାସନିକ ଓ ରାଜନୈତିକ ମହଲରେ ଜଣେ ଚର୍ଚ୍ଚିତ ଚେହେରା । ପ୍ରଶାସନିକ ଅଧିକାରୀ ଭାବେ ଭି.କେ ପାଣ୍ଡିଆନଙ୍କ ଦକ୍ଷତା ଯେତିକି ପ୍ରଭାବି ଥିଲା, ରାଜନୀତି କ୍ଷେତ୍ରରେ ତାଙ୍କର ଭୂମିକା ତା'ଠାରୁ ଅଧିକ ବିବାଦୀୟ ହୋଇଛି । ସାଧାରଣ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଏହି ଚର୍ଚ୍ଚିତ ବ୍ୟକ୍ତିଙ୍କ ବିବାଦୀୟ ଭୂମିକା ନେଇ ଆକଳନ ଜାରି ରହିଛି ।
ପାଣ୍ଡିଆନଙ୍କ ରାଜନୀତି ପ୍ରବେଶକୁ ବର୍ଷେ:
୨୦୨୩ ନଭେମ୍ବର ୨୭ ତାରିଖ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ ଭି.କେ ପାଣ୍ଡିଆନ । ପ୍ରାୟ ୨୪ ବର୍ଷର ସର୍ବ ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତି ମୈଦାନକୁ କୁଦ ମାରିଥିଲେ ପାଣ୍ଡିଆନ । ଗତବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ନବୀନ ନିବାସରେ ଶଙ୍ଖ ଫୁଙ୍କିଥିଲେ ତାମିଲ ପୁଅ ତଥା ଓଡିଶା ଜ୍ୱାଇଁ । ପାଣ୍ଡିଆନଙ୍କ ରାଜନୀତିରେ ପ୍ରବେଶକୁ ବର୍ଷେ ପୁରିଛି । ପ୍ରଶାସକରୁ ନେତା ହୋଇଥିବା ପାଣ୍ଡିଆନଙ୍କ ରାଜନୈତିକ କ୍ୟାରିଅର ଟେକ ଅନ ପୂର୍ବରୁ କ୍ରାସ ହୋଇଯାଇଥିବା ଚର୍ଚ୍ଚା ହେଉଛି । କାରଣ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିବା ପାଣ୍ଡିଆନ ନିର୍ବାଚନ ପରେ ରାଜନୀତିରୁ ଅଲବିଦା କହିଛନ୍ତି ।
ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା:
ଦୀର୍ଘ ୨୪ ବର୍ଷର ବିଜେଡିର ଅପରାଜୟ ରେକର୍ଡରେ ବ୍ରେକ ଲାଗିଛି । ବିଜେଡି କ୍ଷମତାରୁ ଯିବାକୁ ପ୍ରାୟ ୬ ମାସ ହୋଇଗଲାଣି । ପାଣ୍ଡିଆନଙ୍କ ଭବିଷ୍ୟତ ଓ ବିଜେଡିରେ ତାଙ୍କ ଭୂମିକାକୁ ନେଇ ପୁଳା ପୁଳା ଅସମାହିତ ପ୍ରଶ୍ନ ଲାଗି ରହିଛି । ଯାହାର ଉତ୍ତର କାହା ପାଖରେ ନାହିଁ । ଦଳ, ଦଳର ସଭାପତି ନବୀନ ପଟ୍ଟନାୟକ କିମ୍ବା ଖୋଦ ପାଣ୍ଡିଆନ ସ୍ପଷ୍ଟ କରିନାହାନ୍ତି । ଦଳୀୟ ନେତାଙ୍କୁ ଏ ସମ୍ପର୍କରେ ପ୍ରଶ୍ନ ହେଲେ ବାଟ କଢେଇ ଚାଲିଯିବାକୁ ସେମାନେ ଶ୍ରେୟସ୍କର ମନେ କରୁଛନ୍ତି । ବିଜେଡି ଶାସକ ଦଳ ଓ ଶାସନ କଳରେ ଥିବାବେଳେ ଅତ୍ୟନ୍ତ କ୍ଷମତାଶାଳୀ ହୋଇପଡ଼ିଥିବା ପାଣ୍ଡିଆନଙ୍କୁ ନେଇ ଦଳ ଓ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି । ନବୀନ କ୍ଷମତାଚ୍ୟୁତ ହେବା ପରେ ତାଙ୍କ ଉପରେ ଏବେ ବି ସମସ୍ତଙ୍କ ନଜର ରହିଛି ।
ବିଜେଡିରେ ବଢିଥିବା ଦବଦବା:
୨୦୧୨ ମସିହାରେ ବିଜେଡିର ତତ୍କାଳୀନ କ୍ଷମତା କେନ୍ଦ୍ର ପ୍ୟାରୀମୋହନ ମହାପାତ୍ର ବିଜେଡିରୁ ବିଦା ହେଲା ପରେ ପାଣ୍ଡିଆନ ଧୀରେ ଧୀରେ ପ୍ରଭାବ ବିସ୍ତାର କରିଥିଲେ । ପାଣ୍ଡିଆନ ପ୍ରଥମେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଟିକେଟ ବଣ୍ଟନରେ ତାଙ୍କର କିଛିଟା ଭୂମିକା ଥିଲା । ୨୦୧୪ ନିର୍ବାଚନ ପରେ ଦଳ ଭିତରେ ଓ ଶାସନ କଳରେ ପାଣ୍ଡିଆନଙ୍କ ଦବଦବା ବଢ଼ିଥିଲା । ୨୦୧୯ରେ ବିଜେଡି ଟିକେଟ ବଣ୍ଟନରେ ପାଣ୍ଡିଆନ ବଡ଼ ଭୂମିକା ନେଇଥିବା କୁହନ୍ତି ବରିଷ୍ଠ ସାମ୍ବାଦିକ । ଚାକିରିରେ ଥାଇ ବିଜେଡିର ଦଳୀୟ ବ୍ୟାପାରରେ ସେ ମୁଣ୍ଡ ଖେଳାଉଥିବା ଅଭିଯୋଗ ଢେର ଲମ୍ବା । ନିକଟ ଅତୀତରେ ବିଜେଡି ଛାଡିଥିବା ସମସ୍ତ ନେତାଙ୍କର ଏହା ହିଁ ଏକମାତ୍ର ସମାନ ଅଭିଯୋଗ । ପ୍ରଚ୍ଛଦପଟ୍ଟରେ ରହି ସେ ନବୀନ ଓ ବିଜେଡି ଲାଗି ରଣନୀତି ପ୍ରସ୍ତୁତ କରୁଥିଲେ ।
ନବୀନଙ୍କ ଛାଇ ହୋଇ ରହୁଥିଲେ!
ବିଜେଡି ସଭାପତି ମଧ୍ୟ ଖୋଲା ମନରେ ତାଙ୍କୁ ସୁଯୋଗ ଦେଇଥିଲେ । ୨୦୧୯ ନିର୍ବାଚନରେ ନବୀନଙ୍କ ନେତୃତ୍ବରେ ବିଜେଡି ଏକପାଖିଆ ବିଜୟ ହାସଲ କରିଥିଲା । ଏହା ପରେ ପାଣ୍ଡିଆନଙ୍କ ଆଧିପତ୍ୟ ଆହୁରି ବଢ଼ିଥିଲା । ବିଜେଡି ଦଳରେ ପୁରୁଖା ନେତାମାନେ ଗୌଣ ହୋଇଯାଇଥିଲା ବେଳେ ପ୍ରଶାସନରେ ବରିଷ୍ଠ ଅଧିକାରୀମାନେ କୋଣଠେସା ହୋଇଯାଇଥିଲେ । କୋଭିଡ ସମୟରେ ନବୀନ ଲୋକସେବା ଭବନ ଆସିବା ବନ୍ଦ କରି ନବୀନ ନିବାସରୁ ଶାସନ କଲେ । ଆଉ ପାଣ୍ଡିଆନ ନବୀନଙ୍କ ପାଖରେ ଛାଇ ହୋଇ ସବୁବେଳେ ରହିଲେ । 5T ବିଭାଗର ସଚିବ ଭାବେ ଅବସ୍ଥାପିତ କରି ପାଣ୍ଡିଆନଙ୍କୁ ଆହୁରି କ୍ଷମତାଶାଳୀ କରାଗଲା ।
୨୦୨୩ ଅକ୍ଟୋବରରେ ଚାକିରି ଛାଡ଼ିଥିଲେ: