ବ୍ରହ୍ମପୁର:ନିର୍ବାଚନର ଅବ୍ୟବହିତ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକ ଅଧ୍ୟକ୍ଷ ଇସ୍ତଫା ଦେଇଛନ୍ତି । ଗତକାଲି (ସୋମବାର) ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା ଓ କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ସ୍ବାଇଁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦୁହେଁ ଜିଲ୍ଲାପାଳଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ଗୋଟିଏ ଦିନରେ ଦୁଇ ଦୁଇଟି ବ୍ଳକ ଅଧ୍ୟକ୍ଷଙ୍କ ଏଭଳି ଇସ୍ତଫା ଅସନ୍ତୁଷ୍ଟ କର୍ମୀଙ୍କୁ ମନାଇବା ପାଇଁ ହୋଇଥିବା ନେଇ ଚର୍ଚ୍ଚା ହେଉଛି ।
ଗତ ପଞ୍ଚାୟତ ନିର୍ବାଚନ ପରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଭାବରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସ୍ବାମୀ ଦୈତାରି ବେହେରା ନିର୍ବାଚିତ ହୋଇଥିଲେ । ଏହାକୁ ନେଇ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଥିଲା । ଏବେ ଚଳିତ ନିର୍ବାଚନରେ ପୁଣିଥରେ ସ୍ଥାନୀୟ ବିଧାୟକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ବିଜେଡି ଟିକେଟ ଦେଇଛି । ଯାହାଫଳରେ ଏଥିରେ ଅସନ୍ତୁଷ୍ଟ ଥିବା କର୍ମୀଙ୍କୁ ମନାଇବା ପାଇଁ ଦୈତାରି ବେହେରା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି ।
ସେପଟେ କବିସୂର୍ଯ୍ୟନଗର ବ୍ଲକ ଅଧ୍ଯକ୍ଷା ଜ୍ଯୋତିର୍ମୟୀ ସ୍ବାଇଁ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେଡି ଦଳର ଟିକଟ ଘୋଷଣା ପରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଏବଂ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଶାସକ ଦଳରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଉଭୟ ଏପରି ପଦକ୍ଷେପ ନିଆଯାଇଥିବା ନେଇ ଚର୍ଚ୍ଚା ଜୋର ଧରିିଛି ।