ଭୁବନେଶ୍ବର: ଓଡି଼ଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ । କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର । ରଘୁବରଙ୍କ ଇସ୍ତଫାକୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଓଡ଼ିଶାରେ କୌଣସି ରାଜ୍ୟପାଳ ରଘୁବରଙ୍କ ଭଳି ବିବାଦୀୟ ହୋଇନଥିବା ବିଜେଡି କହିଛି । ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଦ୍ବନ୍ଦ୍ବରୁ ଏଭଳି ହୋଇଥିବା କଂଗ୍ରେସ ନେତା କହିଛନ୍ତି । ଏହାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ରାଜ୍ୟପାଳଙ୍କ ଇସ୍ତଫା ପସଙ୍ଗରେ ବିଜେଡିର ପ୍ରତିକ୍ରିୟା:
ରଘୁବର ଦାସଙ୍କୁ ଟାର୍ଗେଟ କରି ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ କହିଛନ୍ତି, "ରାଜନୈତିକ ଫାଇଦା ଦୃଷ୍ଟିରେ ରଖି ରାଜ୍ୟପାଳଙ୍କ ନିଯୁକ୍ତି ହେଉଛି । ରାଜନୈତିକ ପଦପଦବୀରୁ ଅନେକ ରାଜ୍ୟପାଳ ହୋଇଛନ୍ତି । ଓଡିଶାର ରାଜ୍ୟପାଳ ଥିବା ରଘୁବର ସମ୍ପୂର୍ଣ୍ଣ ବିଜେପି ଦଳ ଥିଲେ । ଓଡିଶାରେ ସେ ଦଳ ପାଇଁ ବହୁତ କାମ କଲେ । ଓଡ଼ିଶାରେ ବିଜେପି ସରକାର ଆସିବା ପାଇଁ ସେ ସବୁଆଡ଼େ ଗସ୍ତ କରି କାର୍ଯ୍ୟ କରିଛନ୍ତି । ଝାଡଖଣ୍ଡରେ ଯେହେତୁ ବିଜେପି ଦୁର୍ବଳ ଅଛି, ତେଣୁ ଦଳ ତାଙ୍କୁ ନେଇ କିଛି ନୂଆ ଯୋଜନା କରୁଛି ।" ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟପାଳଙ୍କ ପୁଅ ବିରୋଧରେ ସଂଗୀନ ଅଭିଯୋଗ ଥିଲା । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । କୌଣସି ରାଜ୍ୟପାଳ ଏଭଳି ବିବାଦରେ ଛନ୍ଦି ହେବା, ମୋ 50 ବର୍ଷ ରାଜନୈତିକ ଜୀବନରେ କାଳରେ କେବେ ଦେଖିନାହିଁ ।"
ରାଜ୍ୟପାଳଙ୍କ ଇସ୍ତଫା ପସଙ୍ଗରେ କଂଗ୍ରେସର ପ୍ରତିକ୍ରିୟା:
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି, "ରଘୁବର ଇସ୍ତଫା ଦେବା ବିଜେପିର ଆଭ୍ୟନ୍ତରୀଣ ବ୍ୟାପାର । ଏହା ଉପରେ କହିବା ଠିକ ହେବନାହିଁ । କିନ୍ତୁ ଜଣେ ସାଧାରଣ ଲୋକ ଭାବେ ଗୁଡ଼ାଏ ପ୍ରଶ୍ନ ମନ ଭିତରେ ଆସୁଛି । ଦେଢ଼ ବର୍ଷ ଭିତରେ ରାଜ୍ୟପାଳଙ୍କୁ କାହିଁକି ବିଦା କଲେ ବା ସେ କାହିଁକି ଇସ୍ତଫା ଦେଲେ ? ରାଜ୍ୟପାଳଙ୍କୁ ବଦଳେଇ ପାରିଥାନ୍ତେ । ଏହା ଭିତରେ ନିଶ୍ଚୟ କିଛି ରହସ୍ୟ ରହିଛି ।"ସେ ଆହୁରି ମଧ୍ୟ କହିଛନ୍ତି, "ଆପ୍ରାଣେ ଉଦ୍ୟମ କରି ବିଜେପି ଝାଡ଼ଖଣ୍ଡରେ ହାରିଲା । ଝାଡ଼ଖଣ୍ଡରେ ବିଜେପି ସଂଗଠନ ସୁଦୃଢ କରିବା ପାଇଁ ତାଙ୍କୁ ନେଲେ କି ? ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେବା ଦୁଃଖଦାୟକ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାର ଥିଲା ।"
ବିରୋଧୀଙ୍କୁ ବିଜେପିର ଜବାବ:
ରଘୁବରଙ୍କ ଇସ୍ତଫା ଓ ନୂଆ ରାଜ୍ୟପାଳଙ୍କ ନିଯୁକ୍ତି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, "ରଘୁବରଙ୍କ ସହ କେନ୍ଦ୍ରୀୟ ସ୍ତରରେ ଆଲୋଚନା ହୋଇଥିବ । ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରଘୁବରଙ୍କୁ ଦାୟିତ୍ୱ ଦିଆଯିବାକୁ ଚିନ୍ତା କରାଯାଇଥିବ । ତେଣୁ ସେ ଇସ୍ତଫା ଦେଇଛନ୍ତି ଓ ନୂଆ ରାଜ୍ୟପାଳ ଆସି ଦାୟିତ୍ୱ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ୱ ଚିନ୍ତା କରି ନିଷ୍ପତ୍ତି ନେଇଥିବେ, ତେଣୁ ଏହା ଉପରେ ଟିପ୍ପଣୀ କରିବା ଉଚିତ ହେବନାହିଁ । ବିଜେଡି ଅଭିଯୋଗ ମନଗଢା ଓ କପୋଳକଳ୍ପିତ ।"
ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି:ରଘୁବର
ବିଦାୟୀ ରାଜ୍ୟପାଳ ରଘୁବର ଦାସ କହିଛନ୍ତି, "ବ୍ୟକ୍ତିଗତ କାରଣରୁ ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛି । ରାଷ୍ଟ୍ରପତି ମୋ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି । ମୋ ପ୍ରତି ଭରସା ପ୍ରକଟ କରିବା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ସେବାର ସୁଅବସର ପ୍ରଦାନ କରିଥିବାରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ଏହି ରାଜ୍ୟ ପ୍ରାକୃତିକ ସମ୍ବଳ, ଅଦ୍ୱିତୀୟ ପ୍ରାକୃତିକ ସୁନ୍ଦରତା, ସୁବିସ୍ତୀର୍ଣ୍ଣ ସମୁଦ୍ର ତଟ, ସବୁଜ ବନାନୀ ଓ ଭବ୍ୟ ମନ୍ଦିର ପାଇଁ ସୁପ୍ରସିଦ୍ଧ । ନିଜର ସମୃଦ୍ଧ ସଂସ୍କୃତି, ଗୌରବଶାଳୀ ପରମ୍ପରା ପାଇଁ ଓଡ଼ିଶା ନିଜର ପରିଚୟ ସୃଷ୍ଟି କରିଛି । ଓଡ଼ିଶାବାସୀ ଅପାର ସ୍ନେହ, ଶ୍ରଦ୍ଧା ଓ ଖୁସି ପ୍ରଦାନ କରିଛନ୍ତି । ରାଜ୍ୟବାସୀଙ୍କୁ ସେଥିପାଇଁ ଗଭୀର କୃତଜ୍ଞତା ଜଣାଉଛି । ଓଡ଼ିଶା ମୋ ହୃଦୟରେ ସବୁବେଳ ପାଇଁ ରହିବ। ଏହା କହିଛନ୍ତି ଓଡ଼ିଶାର ବିଦାୟୀ ରାଜ୍ୟପାଳ ରଘୁବର ଦାସ ।"
ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ରଘୁବର:
ରଘୁବର ଆହୁରି ମଧ୍ୟ କହିଛନ୍ତି, "ଓଡ଼ିଶାର ଲୋକମାନଙ୍କ ଉତ୍ସାହ, ଅତୁଳନୀୟ ଆତିଥ୍ୟ ହୃଦୟରେ ଗଭୀର ଛାପ ଛାଡ଼ିଛି । ପରମ୍ପରାକୁ ପାଥେୟ କରି ପ୍ରଗତି ଆଡ଼କୁ ଅଗ୍ରସର ହେବାରେ ଓଡ଼ିଶାର ପ୍ରଚେଷ୍ଟା ଓ ସଫଳତା ବାସ୍ତବିକ ପ୍ରେରଣାଦାୟୀ । ମୁଁ ଓଡ଼ିଶାବାସୀଙ୍କର ଅଦମ୍ୟ ଭାବନାକୁ ଅତି ନିକଟରୁ ଦେଖିଛି । ଆହ୍ୱାନକୁ ସମ୍ମୁଖୀନ କରିବା, ପର୍ବପର୍ବାଣୀରେ ଉଲ୍ଲସିତ ହେବା ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମିଳିମିଶି କାମ କରିବା ଓଡ଼ିଶାବାସୀଙ୍କର ବିଶେଷ ପରିଚୟ । ଓଡ଼ିଶାବାସୀଙ୍କର ସେବା କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ । ଓଡ଼ିଶା ଓ ଏଠାକାର ଲୋକମାନଙ୍କ ସହ ତାଙ୍କର ସୁଖଦ ସ୍ମୃତି ଓ ଅନୁଭୁତି ଏବଂ ସେମାନଙ୍କ ପ୍ରତି ଗଭୀର ସମ୍ମାନ ରହିଥିବ ।" ଏପରି କହିବା ସହ ବିଦାୟୀ ରାଜ୍ୟପାଳ ଓଡ଼ିଶାର ନିରନ୍ତର ବିକାଶ ଓ ସମୃଦ୍ଧି କାମନା କରିଛନ୍ତି ।"
ଇଟିଭି ଭାରତ,ଭୁବନେଶ୍ବର