ଝାରସୁଗୁଡ଼ା:କଂଗ୍ରେସ ଟିକେଟ ପାଇବା ପାଇଁ ଆଶାବାଦୀ ପୂର୍ବତନ କିର୍ମିରା ବ୍ଳକ ଅଧ୍ୟକ୍ଷ । ସେପଟେ ସେ ଟିକେଟ୍ ପାଇଁ ମିଛ କହୁଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲାର କିର୍ମିରା ବ୍ଳକର ପୂର୍ବତନ ଅଧ୍ୟକ୍ଷ ତେଜରାଜ ସାହୁ ଗତକାଲି (ଗୁରୁବାର) ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ଆଗରୁ କଂଗ୍ରେସରେ ଥିଲେ ଏବଂ ଏବେବି କଂଗ୍ରେସରେ ଅଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ପୂର୍ବତନ ବିଧାୟକ ତଥା ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ପାଖ ଲୋକ କୁହାଯାଉଥିବା ତେଜରାଜ ସାହୁ ବ୍ଳକ ଅଧ୍ୟକ୍ଷ ହୋଇଥିଲେ । ୨୦୨୨ ପଞ୍ଚାୟତ ନିର୍ବାଚନରେ ତାଙ୍କ ଧର୍ମପତ୍ନୀ ସମିତି ସଭ୍ୟା ହୋଇ କିର୍ମିରା ବ୍ଳକର ଅଧ୍ୟକ୍ଷା ହୋଇଥିଲେ । ନବ ଦାସଙ୍କ ଦେହାନ୍ତ ପରେ ସେ ଗତ ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥିନୀ ଦୀପାଳି ଦାସଙ୍କ ପ୍ରଚାରରେ ସାମିଲ ହୋଇଥିଲେ ।
ସମୟକ୍ରମେ ଦୀପାଳି ଦାସ ଏବଂ ତାଙ୍କ ଭାଇ ବିଶାଲ ଦାସ ତେଜରାଜଙ୍କୁ ଅଣଦେଖା କରୁଥିବା ନେଇ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ତେଜରାଜ ସେମାନଙ୍କୁ ବିରୋଧ କରି କଂଗ୍ରେସ ଟିକେଟ୍ ହାତେଇଛନ୍ତି । ଆଉ ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟରୁ ପ୍ରାର୍ଥୀ ହେବା ପାଇଁ ଇଚ୍ଛା ଜାହିର କରୁଥିବା ପ୍ରକାଶ କରିଛନ୍ତି । ଏହାକୁ ନେଇ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କର୍ମୀମାନେ ମଧ୍ୟ ତାଙ୍କ ସମର୍ଥନରେ ଥିବାବେଳେ ଝାରସୁଗୁଡା ଜିଲ୍ଲା ଓବିସି ମଞ୍ଚ ମଧ୍ୟ ତାଙ୍କ ସପକ୍ଷରେ ରହିଥିବା ଦେଖାଦେଇଛି ।