ସମ୍ବଲପୁର: ଭତ୍ତା ଟଙ୍କା ବୃଦ୍ଧି କଲେ ମୋହନ ସରକାର । 80 ବର୍ଷରୁ ଅଧିକ ବୟସର ନାଗରିକ ଏବଂ 80 ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀଙ୍କ ଭତ୍ତା ଟଙ୍କା ବୃଦ୍ଧି କରାଯାଇଛି । ସାମାଜିକ ସୁରକ୍ଷା ଭତ୍ତା 3,500 ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ଓଡ଼ିଶାର 4 ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଉପକୃତ ହେବେ । ସମ୍ବଲପୁରରେ ସାମାଜିକ ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।
- ସାମାଜିକ ସୁରକ୍ଷା ବର୍ଦ୍ଧିତ ଭତ୍ତା ବିତରଣ କାର୍ଯ୍ୟକ୍ରମ:
ଆଜି ସମ୍ବଲପୁର ସହରର ତପସ୍ୱିନୀ ଜିଲ୍ଲା ପ୍ରେକ୍ଷାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ 80 ବର୍ଷ ବୟସରୁ ଊର୍ଦ୍ଧ୍ବ ଏବଂ 80 ପ୍ରତିଶତ ବା ତଦୂର୍ଦ୍ଧ୍ବ ଭିନ୍ନକ୍ଷମଙ୍କ ପାଇଁ ସାମାଜିକ ସୁରକ୍ଷା ବର୍ଦ୍ଧିତ ଭତ୍ତା ବିତରଣ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଯୋଗଦେଇ ହିତାଧୀକାରୀଙ୍କୁ 35 ସହ ଲେଖାଏଁ ଟଙ୍କା ବାଣ୍ଟିଛନ୍ତି । ଏହି ଅବସରରେ ମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ରାଜ୍ୟରେ ବିଜେପି ସରକାରକୁ ମାତ୍ର 6 ମାସ ହୋଇଛି l ଏହି 6 ମାସ ଭିତରେ ମାଆ ଭଉଣୀଙ୍କ ପାଇଁ ସୁଭଦ୍ରା ଯୋଜନାରେ ଟଙ୍କା ଦିଆଯାଉଛି । ବିଜେପି ପୂର୍ବରୁ ଚାଷୀମାନଙ୍କ ପାଇଁ ଅନେକ ସଂଘର୍ଷ କରିଛୁ । କିନ୍ତୁ ଧାନର ମୂଲ୍ୟ କେହି ବୃଦ୍ଧି କରିନଥିଲେ । ନୂଆ ସରକାର ଆସୁ ଆସୁ 8 ଟଙ୍କା ଇନପୁଟ ସବସିଡି ଦେଲେ ।
- ସମ୍ବଲପୁରରେ 8,662 ଜଣଙ୍କୁ ବର୍ଦ୍ଧିତ ଭତ୍ତା :
ପୂର୍ବରୁ 100, 200, 300, 500 ଟଙ୍କା ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଇଥିଲା । ଗତ ସରକାର ନିର୍ବାଚନ ସମୟରେ 1000ରୁ 1200 ଟଙ୍କା ପର୍ଯ୍ୟନ୍ତ ଭତ୍ତା ବୃଦ୍ଧି କରିଥିଲେ । କିନ୍ତୁ ବର୍ତ୍ତମାନର ସରକାର ଭତ୍ତାକୁ 3 ଗୁଣ ବୃଦ୍ଧି କରି 3500 ଟଙ୍କା କରିଛନ୍ତି । ଏହା ଡବଲ ଇଞ୍ଜିନ ବିଜେପି ସରକାର ଆସିବା ଯୋଗୁଁ ହୋଇଛି । ସମ୍ବଲପୁର ଜିଲ୍ଲାରେ ମୋଟ 8662 ଜଣଙ୍କୁ 3500 ଲେଖାଏଁ ଭତ୍ତା ଦିଆ ଯିବ । ବର୍ତ୍ତମାନ ଗାଁ ଗୁଡିକରେ ଭାଇଚାରା ନଷ୍ଟ ହେବାରେ ଲାଗିଛି । ପରିବାର ଭାଙ୍ଗିବାରେ ଲାଗିଛି ଏହାକୁ ସଂଗଠିତ କରିବାକୁ ପଡିବ । ଭତ୍ତା ବୃଦ୍ଧି ହେବା ଦ୍ୱାରା ବିଭିନ୍ନ ସମୟରେ ନିଜ ପରିବାରରେ ହତାଦରର ଶିକାର ହେଉଥିବା ବରିଷ୍ଠମାନେ ସମ୍ମାନ ପାଇବେ ବୋଲି ଅଭିଭାଷଣରେ କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।
- ପୂର୍ବ ସରକାରଙ୍କଠୁ 3 ଗୁଣ ଅଧିକ ଦେଲେ ମୋହନ ସରକାର:
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି, "ଯେଉଁମାନେ 80 ପ୍ରତିଶତ ଭିନ୍ନକ୍ଷମ ଅଛନ୍ତି, ଯେଉଁମାନଙ୍କୁ 80 ବର୍ଷ ବୟସ ହୋଇଯାଇଛି, ସେମାନ ପାଉଥିବା ଭତ୍ତାକୁ 3 ଗୁଣ କରାଯାଇଛି । ସେମାନଙ୍କୁ 35 ଶହ ଲେଖାଏଁ ଟଙ୍କା ଦିଆଯାଇଛି । ଯେଉଁ ସରକାର 24 ବର୍ଷ ଧରି ଶାସନ କରିଥିଲେ ସେମାନେ ଏହି ଭତ୍ତାକୁ ଟାଣିଟାଣି 5 ଶହ ଟଙ୍କା ପର୍ଯ୍ୟନ୍ତ ନେଇଥିଲେ । ନିର୍ବାଚନ ସମୟରେ 12 ଶହ ଟଙ୍କା ଦେଇଥିଲେ । ହେଲେ ଆଜିର ମୋହମ ମାଝୀ ସରକାର ଏହାର 3 ଗୁଣା ଟଙ୍କା ଦେଇଛନ୍ତି । ସମ୍ବଲପୁର ଜିଲ୍ଲାର 8 ହଜାର 6 ଶହ 62 ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବ ।"
ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୂଷଣ ଉପସ୍ଥିତ ରହିଥିଲେ l
ଇଟିଭି ଭାରତ, ସମ୍ବଲପୁର