ବ୍ରହ୍ମପୁର: ଉଦଯାପିତ ହେଲା ‘ଖେଲୋ ଇଣ୍ଡିଆ’ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତା । ଓଡ଼ିଶାକୁ ବିଭିନ୍ନ ବର୍ଗରେ ୭ଟି ସ୍ବର୍ଣ୍ଣ ପଦକ,୮ ରୌପ୍ୟ ପଦକ ଓ ୩ଟି ବ୍ରୋଞ୍ଜ ପଦକ ମିଳିଛି । ବ୍ରହ୍ମପୁରର ମହାତ୍ମା ଗାନ୍ଧୀ ଷ୍ଟାଡ଼ିୟମରେ ଚାଲିଥିବା ‘ଅସ୍ମିତା ଖେଲୋ ଇଣ୍ଡିଆ’ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତା ଶେଷ ହୋଇଛି । ଏଥରେ ୨୬ଟି ରାଜ୍ୟରୁ ପ୍ରାୟ ୪୦୦ରୁ ଅଧିକ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ଯୁବ,କନିଷ୍ଠ ଓ ବରିଷ୍ଠ ବିଭାଗର ମୋଟ ୧୦ଟି ଓଜନ ବର୍ଗରେ ପ୍ରତିଯୋଗିତା ହୋଇଥିବା ବେଳେ ଓଡ଼ିଶାର ପ୍ରତିଯୋଗୀମାନେ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।
- ମୀନା ଏବଂ ସ୍ନେହା ବେଷ୍ଟ ଲିଫ୍ଟର:
ଓଡ଼ିଶାର ପ୍ରତିଯୋଗୀମାନେ ବିଭିନ୍ନ ବର୍ଗରେ ୭ଟି ସ୍ବର୍ଣ୍ଣ ପଦକ, ୮ଟି ରୌପ୍ୟ ପଦକ ଓ ୩ଟି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏଥିରେ ଓଡ଼ିଶାର ମୀନା ସାନ୍ତା ଯୁବ ବିଭାଗରେ ବେଷ୍ଟ ଲିଫ୍ଟର ଓ ସ୍ନେହା ସୋରେନ ବରିଷ୍ଠ ବିଭାଗରେ ବେଷ୍ଟ ଲିଫ୍ଟର ଭାବରେ ପୁରସ୍କୃତ ହୋଇଛନ୍ତି । ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭାରତୀୟ ଭାରୋତ୍ତୋଳନ ସଂଘର ସଭାପତି ସହଦେବ ଯାଦବ ଯୋଗ ଦେଇଥିଲେ । ପୂର୍ବରୁ ଖେଳାଳିମେନେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ବିଭିନ୍ନ ରାଜ୍ୟକୁ ଯାଉଥିଲେ ।ହେଲେ ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଶା ନିଜେ ଆୟୋଜନ କରିଥିଲା । ତେବେ କୃତି ଖେଳାଳୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।
- 'ଉନ୍ନତମାନର ପ୍ରଶିକ୍ଷଣ ଦ୍ବାରା ହିଁ ଏହା ସମ୍ଭବ':
ଏନେଇ ଅର୍ଜୁନ ପୁରସ୍କାର ପ୍ରାପ୍ତ ଆନ୍ତର୍ଜାତିକ ଭାରୋତ୍ତୋଳକ କେ.ରବି କୁମାର କହିଛନ୍ତି," ପ୍ରଥମ ଥର ପାଇଁ ଓଡ଼ିଶା ଭାରୋତ୍ତଳନ ସଂଘ ପକ୍ଷରୁ ବ୍ରହ୍ମପୁର ଷ୍ଟାଡ଼ିୟମଠାରେ ଆୟୋଜିତ ହୋଇଥିଲା । ୨୬ଟି ରାଜ୍ୟ ଭାଗ ନେଇଥିବାବେଳେ ସବୁଠାରୁ ଅଧିକ ପଦକ ପାଇଛି ଓଡ଼ିଶା । ମୁଖ୍ୟତଃ ଓଡ଼ିଶାର କ୍ରୀଡାବିତଙ୍କ ସଫଳତା ପାଇଁ ସ୍ଥାନୀୟ ଷ୍ଟାଡ଼ିୟମରେ ଉପଲବ୍ଧ ଥିବା ଅତ୍ୟାଧୁନିକ ବ୍ୟବସ୍ଥାଠାରୁ ଆରମ୍ଭ କରି ପ୍ରତିଯୋଗୀମାନଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ଦ୍ବାରା ଏହା ସମ୍ଭବ ହୋଇପାରିଛି ।"
ଇଟିଭି ଭାରତ, ବ୍ରହ୍ମପୁର