ପାଟନା: ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିବା ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଆଶା ନୀତିଶ କୁମାରଙ୍କ ଗୋଟି ଚାଳନାରେ ମାତ ଖାଇଛି । ଆଜି ରାଜ୍ୟରେ ପୁଣି ବିଜେପି ସମର୍ଥିତ ଏନଡିଏ ସରକାର ଆରମ୍ଭ ହେବାକୁ ଯାଉଛି । ନୀତିଶଙ୍କ ଏହି ନିଷ୍ପତ୍ତିରେ କ୍ଷମତାଠୁ ଦୂରକୁ ଚାଲିଯାଇଥିବା ଆରଜେଡି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି, ନୀତିଶ ଜଣେ କ୍ଳାନ୍ତ ମୁଖ୍ୟମନ୍ତ୍ରୀ । ଜନତା ଜବାବ ଦେବେ ।
ତେଜସ୍ୱୀ କହିଛନ୍ତି, ନୀତିଶ ନେତୃତ୍ୱରେ ଯେଉଁ ମହାମେଣ୍ଟ ସରକାର 2020 ଅଗଷ୍ଟରେ ଆରମ୍ଭ ହୋଇଥିଲା ସେଥିରେ ରାଜ୍ୟରେ ଅନେକ ଉନ୍ନତିମୂଳକ କାମ ହୋଇଛି । ପୂର୍ବରୁ ଏତେ ନିଯୁକ୍ତି ଦେବା ସମ୍ଭବ କି, ବୋଲି ନିଜେ ନୀତିଶ ପ୍ରଶ୍ନ କରୁଥିଲେ । ହେଲେ ମହାମେଣ୍ଟ ସରକାର ଗଠନ ହେବା ପରେ ସେ ନିଜେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହା କେବଳ ଆରଡେଜି ପାଇଁ ସମ୍ଭବ ହୋଇପାରିଥିଲା । ଆରଜେଡି ରାଜ୍ୟରେ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲା । ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ନୀତିଶ ଆରଜେଡି ପାଇଁ ଏହିସବୁ କାମ କରିବାରେ ସଫଳ ହୋଇଥିଲେ ।
ତେଜସ୍ୱୀ ଆହୁରି ମଧ୍ୟ କହିଛନ୍ତି, ନୀତିଶଙ୍କ ନେତୃତ୍ୱୀଧୀନ ସରକାରରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଆରଜେଡିର ମନ୍ତ୍ରୀ ଥିଲେ । ଶିକ୍ଷା, ନିଯୁକ୍ତି ଓ ପର୍ଯ୍ୟଟନ ପରି ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଆରଜେଡି ନିକଟରେ ଥିଲା । ଯେଉଁଥିରେ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ନୀତିଶ ବିଜେପି ସମର୍ଥନରେ 17 ବର୍ଷ ଶାସନ କଲେ ମଧ୍ୟ ଗତ 17 ମାସରେ ମହାମେଣ୍ଟ ସରକାର କାର୍ଯ୍ୟକାଳରେ ଯାହା ହୋଇଛି, ତାହା କରିବା ସମ୍ଭବପର ନୁହେଁ । ମହାମେଣ୍ଟ ଶାସନର ଉନ୍ନତି ଦେଶର କେଉଁ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିନାହିଁ ।