ଭୁବନେଶ୍ୱର:ବିଧାନସଭା ନିର୍ବାଚନ ପୂର୍ବରୁ ଜାରି ରହିଛି ଦଳ ବଦଳ ପ୍ରକ୍ରିୟା । ଆପ, ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ କଳାହାଣ୍ଡିର ବହୁ ନେତା ଓ କର୍ମୀ । ଗୁରୁବାର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ କଳାହାଣ୍ଡି ଆମ ଆଦମୀ ପାର୍ଟି ସଭାପତି ଓ ସାଧାରଣ ସମ୍ପାଦକ, ବିଜେପିର ଜୋନ ସଭାପତି ଓ ବହୁ ପଞ୍ଚାୟତ ପ୍ରତିନିଧି ସହ ଶତାଧିକ ବିଜେପି, କଂଗ୍ରେସ ଏବଂ ଆମ ଆଦମୀ କର୍ମୀ ଶଙ୍ଖ ଫୁଙ୍କିଛନ୍ତି । ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ପୂର୍ବତନ ବିଧାୟକ ତଥା କଳାହାଣ୍ଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଓ ଆମ ଓଡିଶା ନବୀନ ଓଡିଶା କଳାହାଣ୍ଡି ଜିଲ୍ଲା ସଂଯୋଜକ ବଦ୍ରୀ ନାରାୟଣ ପଟ୍ଟନାୟକ ଉପସ୍ଥିତ ଥିଲେ । ସମସ୍ତ ନୂଆ ସମସ୍ୟକୁ ଦଳ ପକ୍ଷରୁ ସ୍ବାଗତ କରାଯାଇଥିଲା ।
ବିଜେପି, କଂଗ୍ରେସ, ଆମ ଆଦମୀ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି କଳାହାଣ୍ଡି ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି କହିଛନ୍ତି ବିଜେଡି ନେତା । ବିଜେଡ଼ିରେ ସାମିଲ ହୋଇଥିବା ଆମ ଆଦମୀ ନେତା ବିଗ୍ନରାଜ ପଣ୍ଡା କହିଛନ୍ତି, ''ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲୁ । ଦଳ ଆଗକୁ ଯାହା ଦାୟିତ୍ୱ ଦେବ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।''