କଟକ:ଚର୍ଚ୍ଚାରେବାରବାଟୀ-କଟକ ନିର୍ବାଚନମଣ୍ଡଳୀ । ନେତାଜୀ ଜୟନ୍ତୀରେ ଦେଖିବାକୁ ମିଳିଛି ଦେବାଶିଷ ସାମନ୍ତରାୟ ଓ ଅରିନ୍ଦମ ରାୟଙ୍କ ବଳ କଷାକଷି । ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଏକ ବିଶାଳ ମଶାଲ ଶୋଭାଯାତ୍ରାର ଆୟୋଜନ କରିଥିଲେ। ସେପଟେ ଅଭିନେତା ତଥା ବିଜେଡି ସକ୍ରିୟ ସଦସ୍ୟ ଅରିନ୍ଦମ ରାୟ ମଧ୍ୟ ସମାନ୍ତରାଳ ଭାବେ ସ୍ୱାଭିମାନ ଶୋଭାଯାତ୍ରା କରିଥିଲେ। ବିଜେଡି କର୍ମୀଙ୍କୁ ନେଇ ଦେବାଶିଷ ଶୋଭାଯାତ୍ରା କରିଥିବାବେଳେ ଅରିନ୍ଦମ କିନ୍ତୁ କଂଗ୍ରେସର କର୍ପୋରେଟର, କଂଗ୍ରେସ କର୍ମୀ ଓ ବିଜେପି କର୍ମୀମାନଙ୍କ ସହ କରିଥିଲେ ମଶାଲ ଶୋଭାଯାତ୍ରା। ଏମିତିକି ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ଗେଟ୍ ସମ୍ମୁଖରେ ଅରିନ୍ଦମ ଛିଡା ହୋଇଥିବାବେଳେ ବିଜେଡିର ଯୁବ କର୍ମୀମାନେ ତାଙ୍କୁ ଅଣଦେଖା କରି ଚାଲିଯାଇଥିଲେ।
ସେପଟେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଧବଳେଶ୍ଵର ଗସ୍ତ ସମୟରେ ସେଠାରେ ଅଶ୍ବିନୀଙ୍କୁ ଭେଟି ଫୁଲତୋଡା ଦେଇ ସ୍ବାଗତ କରିଥିଲେ ଅରିନ୍ଦମ। ଏହା ସହ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କୁ ଅରିନ୍ଦମ ଭେଟିବା ଭଳି ଘଟଣା ରାଜନୀତିକୁ ଉଷ୍ମ କରିଛି । ଏବେ ଅରିନ୍ଦମ ବିଜେପିରେ ଯୋଗ ଦେଇ ବାରବାଟୀ କଟକ ଟିକେଟ୍ ହାତେଇବା ପାଇଁ ପ୍ରୟାସ କରୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ଅନ୍ୟପଟେ ଦେବାଶିଷ, ଅରିନ୍ଦମଙ୍କୁ ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିଛି।