ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମର ରନିଂ ଟ୍ରାକରେ ଗାଡ଼ି ବୁଲିବାକୁ ନେଇ ତେଜିଛି ରାଜନୀତି । ଘଟଣାକୁ ନେଇ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜ ସୋସିଆଲ ମିଡିଆ ଏକ୍ସ (X)ରେ ଉଦ୍ବେଗ ପ୍ରକାଶ କରିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଦାୟିତ୍ଵ ଅପସାରିତ ଯିବା ପରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅଧିକ ସକ୍ରିୟ ଜଣାପଡୁଥିବା ସେ କହିଛନ୍ତି । ସେପଟେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ପୁଣିଥରେ ରାଜ୍ୟ ସରକରାଙ୍କୁ ଟାର୍ଗେଟ କରିଛନ୍ତି ତୁଷାରକାନ୍ତି ।
'ଏକ୍ସ'ରେ କ'ଣ ଲେଖିଥିଲେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ:
କଳିଙ୍ଗ ଷ୍ଟାଡିୟମର ରନିଂ ଟ୍ରାକରେ ସରକାରୀ ଗାଡ଼ି ବୁଲାଇବାର ଭିଡିଓ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି ପୂର୍ବତନ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । ଏନେଇ ସେ ନିଜ ଏକ୍ସ ହ୍ୟାଣ୍ଡେଲ ପୋଷ୍ଟ କରି ଲେଖିଛନ୍ତି, "ନବୀନ ପଟ୍ଟନାୟକଙ୍କ ସମୟରେ ଏହା ଅନ୍ତର୍ଜାତୀୟ ଖେଳାଳିଙ୍କ ଦୌଡ଼ିବା ଟ୍ରାକ୍ ଥିଲା । ହେଲେ ଏବେ ଏହା ଶାସକ ଦଳର ନେତାଙ୍କ ଗାଡ଼ି ବୁଲାଇବା ଟ୍ରାକରେ ପରିଣତ ହୋଇଛି । ଏହା ସମସ୍ତ କ୍ରୀଡ଼ାବିତମାନଙ୍କ ପାଇଁ ଅତ୍ୟନ୍ତ ନିରାଶାଜନକ ଓ ଓଡ଼ିଶା ପାଇଁ ଲଜ୍ଜାଜନକ ।"
ପ୍ରତିକ୍ରିୟା ରଖିଲେ କ୍ରୀଡ଼ାମନ୍ତ୍ରୀ:
ସେପଟେ ତୁଷାରକାନ୍ତି ବେହେରାଙ୍କ ପୋଷ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି, "ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଜାଣିନାହାନ୍ତି ଯେ, ସେତେବେଳେ ସାଧାରଣ ସ୍ଥିତି ନଥିଲା । ମେଡିକାଲ ଇମର୍ଜେନ୍ସି କିମ୍ବା ଅସ୍ୱାଭାବିକ ସ୍ଥିତି ନ ଆସିଲେ ଏମିତି ହୁଏନାହିଁ । ଶୀର୍ଷ ନେତୃତ୍ଵମାନେ ଆଗରୁ ସେ ଜାଗାକୁ ଗାଡ଼ିରେ ଆସିଛନ୍ତି । ଆମର ସେତିକି ଅସୁବିଧା ନ ଥିଲେ ଆମେ ଗାଡ଼ି ନେଇନଥାନ୍ତୁ । ମୁଁ ଧନ୍ୟବାଦ ଦେବି ପୂର୍ବତନ କ୍ରୀଡାମନ୍ତ୍ରୀଙ୍କୁ ଯେ, ତାଙ୍କ ଦାୟିତ୍ଵ ଅପସରି ଯିବା ପରେ ସେ ଅଧିକ ସକ୍ରିୟ ଜଣାପଡୁଛନ୍ତି । କ'ଣ ଜରୁରୀ ପରିସ୍ଥିତି ଥିଲା, ତାହା ଖେଳାଳି ଓ କର୍ମଚାରୀଙ୍କ ଗୋପନୀୟତା ଦୃଷ୍ଟିରୁ ଏହାକୁ କୁହାଯିବ ନାହିଁ ।"
Athletic track in Kalinga Stadium:
— Tusharkanti Behera (@btushar02) December 28, 2024
During @Naveen_Odisha's Era, it was a running track of international athletes.
Now, it is running track of vehicles belonging to the ruling party leaders.
It is outrageously disappointing for all sportspersons and shameful for Odisha.… pic.twitter.com/PPWmC7Ljzc
ପୁଣି ଟାର୍ଗେଟ କଲେ ତୁଷାରକାନ୍ତି :
ସେପଟେ କ୍ରୀଡ଼ାମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ପୁଣି ଜବାବ ରଖିଛନ୍ତି ତୁଷାରକାନ୍ତି ବେହେରା । ସେ କହିଛନ୍ତି, "ମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଦାୟିତ୍ବରୁ ଅପସରି ଯିବା ପରେ ସକ୍ରିୟ ଜଣାପଡୁଛନ୍ତି । ପ୍ରଥମ କଥା ମୁଁ ଏତିକି କହିବାକୁ ଚାହୁଁଛି, ବିଗତ ସରକାରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ମୁଁ ୫ ବର୍ଷ ପାଇଁ କ୍ରୀଡ଼ା ଓ ଆଇଟି ବିଭାଗ ଦାୟିତ୍ବରେ ଥିଲି । ମୋର କାର୍ଯ୍ୟଦକ୍ଷତା ସାଢେ ୪ କୋଟି ଲୋକ ଜାଣିଛନ୍ତି । ସେ ସମୟରେ ଆଇଟି ଓ ସ୍ପୋର୍ଟସ୍ରେ କ'ଣ ବିକାଶ ହୋଇଛି ତାହା ସମସ୍ତେ ଜାଣିଛନ୍ତି ।"
ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବପ୍ରସିଦ୍ଧ ଧନୁଯାତ୍ରାକୁ 1 କୋଟିର ଅନୁଦାନ: ପ୍ରତ୍ୟେକ କଳାକାରଙ୍କୁ ମିଳିବ ୧୦ ହଜାର ଏହା ମଧ୍ୟ ପଢ଼ନ୍ତୁ...OCAରୁ ବବି ଦାସ ଆଉଟ୍, ସଭାପତି ପଦରୁ ଦେଲେ ଇସ୍ତଫା |
ତୁଷାରକାନ୍ତି ବେହେରା ଆହୁରି କହିଛନ୍ତି, "ଯଦି କୌଣସି ମେଡ଼ିକାଲ ଏମରଜେନ୍ସି ଥିଲା ତାହେଲେ ମନ୍ତ୍ରୀ ତାହାର ତଥ୍ୟ ଦିଅନ୍ତୁ । ନିଜ ବୟାନରେ ମନ୍ତ୍ରୀ ମଧ୍ୟ ଜଣାଇ ଦେଇଛନ୍ତି ଯେ, ରାଜ୍ୟରେ ମେଡ଼ିକାଲ ବ୍ୟବସ୍ଥା, ଆମ୍ବୁଲାନ୍ସ ସେବା ଭୁଶୁଡ଼ି ପଡ଼ିଲାଣି । ସେଥିପାଇଁ ମନ୍ତ୍ରୀଙ୍କ ଗାଡ଼ି ବ୍ୟବହାର କରିବାକୁ ପଡୁଛି । ମନ୍ତ୍ରୀ ଏଥିପାଇଁ ନିଜେ ଦାୟୀ । ସେ ନିଜ ଉପରୁ ଦୋଷ ଖସେଇବା ପାଇଁ ଏଇଭଳି ମନ୍ତବ୍ୟ ଦେଇଛନ୍ତି । ଏହିଭଳି ଆଚରଣ ସ୍ପଷ୍ଟ କରୁଛି ସରକାର କ୍ରୀଡାକୁ ନେଇ ସେ କେତେ ଗୁରୁତ୍ବ ଦେଉଛନ୍ତି । ଏହା ଲଜ୍ଜାଜନକ ପରିସ୍ଥିତି ।"
ଇଟିଭି ଭାରତ, ଭୁବନେଶ୍ବର