ହାଇଦ୍ରାବାଦ: ରାତି ପାହିଲେ ବିଦାୟ ନେବ 2024 ବର୍ଷ ଏବଂ ସମସ୍ତେ ସ୍ୱାଗତ କରିବେ ନୂଆବର୍ଷ 2025କୁ । ଯାହାକୁ ନେଇ ବର୍ତ୍ତମାନ ସମସ୍ତେ ବେଶ ଉତ୍ସାହିତ । ତେବେ ବିଦାୟୀ ବର୍ଷ ଅନେକଙ୍କ ପାଇଁ ଭଲ ରହିଥିବା ବେଳେ ଅନେକଙ୍କ ପାଇଁ ଖରାପ ସମୟ ମଧ୍ୟ ହୋଇଛି । କିଛି ସେଲିବ୍ରିଟିଙ୍କ ସହ ଏପରି ସମାନ ଘଟଣା ଘଟିଛି । ବିବାଦ ଘେରରେ ରହିଥିଲେ ଓଲିଉଡ଼ରୁ ବଲିଉଡ଼ର ଏହି ସେଲିବ୍ରିଟି । ଆରୋପ ପ୍ରତ୍ୟାରୋପରେ ଛନ୍ଦି ହୋଇଥିଲା ଇଣ୍ଡଷ୍ଟ୍ରି । ଓଲିଉଡର ଅଭିନେତା ମନୋଜ ମିଶ୍ରଙ୍କ ଠାରୁ ଆରମ୍ଭ କରି ବବି ଇସଲାମ କୁହନ୍ତୁ ଅବା ସାଉଥ ଷ୍ଟାର ନୟନତାରା, ଧନୁଷଙ୍କ କଥା କୁହନ୍ତୁ ଆରୋପ ପ୍ରତ୍ୟାରୋପ ସହ ବିବାଦ ପରିସରକୁ ଆସିଥିଲେ ଓଲିଉଡ଼ରୁ ବଲିଉଡ଼ ଏବଂ ସାଉଥ ସେଲିବ୍ରିଟି । ତେବେ 2024ରେ ସମ୍ପୂର୍ଣ୍ଣ ବିବାଦ ଭରା ଇଣ୍ଡଷ୍ଟ୍ରିର ଘଟଣାକ୍ରମ ବିଷୟରେ ଜାଣନ୍ତୁ...
ଓଲିଉଡ଼ ବିବାଦ
2023ରେ ମନୋଜ ମିଶ୍ର ଅନେକ କାରଣରୁ ବିବାଦରେ ଛନ୍ଦି ହୋଇଥିଲେ । ନିଜ ଫିଲ୍ମ 'ମାଇଣ୍ଡଗେମ'ରୁ ଆରମ୍ଭ କରି ଷ୍ଟାର ୱାର୍ ଏବଂ 2ବର୍ଷ ବ୍ୟାନ ହେବା ଯାଏଁ । ସମସ୍ତ ଘଟଣା ପାଇଁ ଚର୍ଚ୍ଚାରେ ରହିଥିଲେ । ଏହା ଓଲିଉଡ଼ ଇଣ୍ଡଷ୍ଟ୍ରିରେ ବାଦ ବିବାଦ ଉଗରୂପ ମଧ୍ୟ ନେଇ ବର୍ଷ ଶେଷ ହୋଇଥିଲା । ହେଲେ ବର୍ଷ ସିନା ଶେଷ ହୋଇଥିଲା ହେଲେ ଆଘାତ କମ ହୋଇନଥିଲା । ପୁଣି 2024ରେ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ମନୋଜ ମିଶ୍ର । 2024ରେ ନିଜର ମତାମତ ପାଇଁ ବିବାଦ ଘେରକୁ ଆସିଲେ ମନୋଜ ।
1. ମନୋଜ ମିଶ୍ର- ଟୁଟୁ ନାୟକ
ସେପ୍ଟେମ୍ୱର 8ରେ ପରଦାକୁ ଆସିଥିଲା ଟୁଟୁ ନାୟକଙ୍କ ଫିଲ୍ମ 'ଆଇ ଲଭ ୟୁ 2' । 20 ବର୍ଷର ବ୍ୟବଧାନ ପରେ ଆଜି ରିଲିଜ ହୋଇଥିଲା ଓଡିଆ ଫିଲ୍ମ 'ଆଇ ଲଭ ୟୁ'ର ସିକ୍ୱେଲ ବା 'ଆଇ ଲଭ ୟୁ-2'। ଏହି ସମୟରେ ଟୁଟୁ ନାୟକଙ୍କୁ ଟାର୍ଗେଟ କରି ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇ ବିବାଦକୁ ଆସିଥିଲେ ମନୋଜ । ଫିଲ୍ମ ଉପରେ ରିଭ୍ୟୁ ସେୟାର କରିବା ସହ ଟୁଟୁଙ୍କ ଉପରେ ଖୁବ ବର୍ଷିଥିଲେ । ଅଭିନେତା କହିଥିଲେ, ''ଗତ ବର୍ଷ ତୁମେ ମୋତେ ଏହି ସମୟରେ ବ୍ୟାନ କରିଥିଲେ ଆଉ ଆଜି ଠିକ ଏହି ସମୟରେ ତୁମ ସିନେମା ରିଲିଜ ହୋଇଛି । ମୁଁ ସିନେମାକୁ ମାଇନ୍ସ ୫ ମାର୍କ ଦେବି । ମୁଁ ସିନେସିନେମା ନୁହେଁ ଜୋଗ୍ରାଫି ଚ୍ୟାନେଲ ଦେଖିବାକୁ ଆସିଛି । ଯିଏ ଷ୍ଟୋରି ଲେଖିଛନ୍ତି ତାଙ୍କୁ କୋଟି କୋଟି ପ୍ରଣାମ କାରଣ ଏଭଳି ଷ୍ଟୋରି ସିନେମା ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିକୁ ପୁରା ବର୍ବାଦ କରିଦେବ ।''
2. ମନୋଜ ମିଶ୍ର- ସବ୍ୟସାଚୀ ମହାପାତ୍ର
ଏହାପରେ ମଧ୍ୟ ମନୋଜ ଅନେକ ଫିଲ୍ମ ଉପରେ ରିଭ୍ୟୁ ଦେବା ସହ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ସିନେ ଜଗତ ସହ ଜଡିତ କଳାକାର ଓ ନିର୍ଦ୍ଦେଶକମାନଙ୍କ ଉପରେ ପ୍ରତିକ୍ରିୟା ଦେଉଥିବା ନେଇ ଅଭିଯୋଗ କରିଥିଲେ ଓଡିଶା ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର ଆସୋସିଏସନ । ଏହି ଅଭିଯୋଗ ନେଇ ନଭେମ୍ୱର 12ରେ ମନୋଜଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେଇଥିଲେ । "ମନୋଜ ମିଶ୍ର ଓଡ଼ିଆ ସିନେ ଜଗତ ସହିତ ଜଡିତ ଥିବା କଳାକାର ଓ ନିର୍ଦ୍ଦେଶକମାନଙ୍କ ଚରିତ୍ର ସଂହାର କରୁଛନ୍ତି" ବୋଲି ଡାଇରେକ୍ଟର ଆସୋସିଏସନ ପକ୍ଷରୁ ଏତଲାରେ ଉଲ୍ଲେଖ କରାଯାଇଥିଲା । ମନୋଜଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲା ଆସୋସିଏସନ । ଏହା ପରେ ନଭେମ୍ୱର 14ରେ ପ୍ରେସମିଟ କରି ଏତଲା ନେଇ ନିଜ ପ୍ରତିକ୍ରିୟା ରଖିଥିଲେ ମନୋଜ ମିଶ୍ର । ଏହି ସମୟରେ ସେ କହିଥିଲେ ''କୌଣସି ନିର୍ଦ୍ଦେଶକ ମୋର ଶତ୍ରୁ ନୁହନ୍ତି କି ଓଡ଼ିଆ ସିନେମା ଶିଳ୍ପ ମୋ ବାପାର ନୁହେଁ, ଯିଏ ବି ଓଡ଼ିଶା ସିନେମାର ଶତ୍ରୁ ସେ ମୋର ଶତ୍ରୁ । ତେଣୁ ମୁ ସିନେମାକୁ ନେଇ କହିବି ।''
ଏଥିସହ ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ଫିଲ୍ମ 'ରାଣ୍ଡି ପୁଅ ଅନନ୍ତା'କୁ ନେଇ ମଧ୍ୟ ଟିପ୍ପଣୀ ଦେଇଥିଲେ ମନୋଜ । ଯାହା ପରେ ମନୋଜ ମିଶ୍ରଙ୍କ କାଉଣ୍ଟର ପରେ ଜବାବ ରଖିଥିଲେ ସବ୍ୟସାଚୀ ମହାପାତ୍ର । ସେ ମନୋଜଙ୍କୁ କହିଥିଲେ, ''ସମସ୍ତଙ୍କ ସିନେମାରେ ସମାଲୋଚନା କରି କହିବାଟା ଏକ ଅଭ୍ୟାସଗତ ହୋଇଗଲାଣି । ସେ ଓଡ଼ିଆ ସିନେମାର କର୍ଣ୍ଣଧାର ନୁହନ୍ତି । ସେ ଜଣେ ଭଲ ଅଭିନେତା ସେ ଉପରକୁ ଉଠାନ୍ତୁ କିନ୍ତୁ ଅନ୍ୟକୁ ଆକ୍ଷେପ ନ କରି ତାଙ୍କ ଭେଟି ସିଧା କଥା ହୁଅନ୍ତୁ। ମନୋଜ ମିଶ୍ର ଶାଳୀନତା ରଖି କୁହନ୍ତୁ । ଆଉ ଓଡ଼ିଆର ଲେଖାର ମୂଳ ତତ୍ଵକୁ ନେଇ ପ୍ରଶ୍ନ ନ ଉଠାନ୍ତୁ କାରଣ ତାହା ଆମର ପରିଚୟ । ''
3. ମନୋଜ ମିଶ୍ର- ବବି ଇସଲାମ
ଏହା ପରେ ମଧ୍ୟ ମନୋଜ ମିଶ୍ରଙ୍କ ବିବାଦ କମିନଥିଲା । ପୁଣି ମନୋଜଙ୍କ ନାଁରେ ନଭେମ୍ୱର 21ରେ କଟକ ସାଇବର ଥାନାରେ ଏତଲା ଦେଇଥିଲେ ନିର୍ଦ୍ଦେଶକ ସଂଘ ଉପସଭାପତି ବବି ଇସଲାମ । ଜୀବନରେ ମାରିଦେବାକୁ ଧମକ ମିଳିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ବବି ଇସଲାମ । ଏକ ଟିଭି ସୋ'ରେ ଏକ ରାଣ୍ଡି ପୁଅ ଅନନ୍ତା ବିତର୍କ କାର୍ଯ୍ୟକ୍ରମରେ ମନୋଜଙ୍କୁ ନେଇ ବର୍ଷିଥିଲେ ବବି । ଯାହାପରେ ବବିଙ୍କୁ ଫୋନ କଲ ଜରିଆରେ ଧମକ ମିଲିଥିବା ଅଭିଯୋଗ କରି ଏତଲା ଦେଇଥିଲେ ବବି । ଏହାପରେ ଚନ୍ଦ୍ର ଶେଖରପୁର ଥାନାରେ ବବି ଇସଲାମ ନାଁରେ ମନୋଜ ମିଶ୍ର ଅଭିଯୋଗ କରିଥିଲେ । ଉଭୟଙେକ ଅଭିଯୋଗ ପରେ ନଭେମ୍ୱର 22ରେ ସମସ୍ୟାର ସମାଧାନ ପାଇଁ ଡିସିପି ଅଫିସକୁ ଉଭୟଙ୍କୁ ଡକାଯାଇଥିବା ବେଳେ ସେଠାରେ ମନୋଜ ମିଶ୍ର ଓ ବବି ଇସଲାମ ମୁହାଁମୁହିଁ ହୋଇଥିଲେ । ହାତାହାତି ହୋଇଥିଲେ ଉଭୟ । ପୋଲିସର ହସ୍ତକ୍ଷେପରେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା । ଡିସିପି ପିନାକ ମିଶ୍ର ଏନେଇ ଉଭୟ ପକ୍ଷକୁ ତାଗିଦ କରିବା ସହ ଦୁଇଟି ମକଦମା ଉପରେ ଆମେ ତଦନ୍ତ କରିବୁ ବୋଲି କହିଥିଲେ ।
ବଲିଉଡ଼ ବିବାଦ
1. କରଣ ଜୋହର- ଦିବ୍ୟା ଖୋସଲା
ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏବଂ ଅଭିନେତା ତଥା ନିର୍ଦ୍ଦେଶକ ଦିବ୍ୟା ଖୋସଲା କୁମାରଙ୍କ ମଧ୍ୟରେ ଝଗଡା 2024 ର ଅନ୍ୟତମ ଚର୍ଚ୍ଚିତ ସେଲିବ୍ରିଟି ସଂଘର୍ଷରେ ପରିଣତ ହୋଇଥିଲା । ଯେତେବେଳେ ଦିବ୍ୟା ଅଭିଯୋଗ କରିଥିଲେ ଯେ ଆଲିଆ ଭଟ୍ଟ ଏହି ଫିଲ୍ମ ପାଇଁ ବକ୍ସ ଅଫିସ୍ ନମ୍ବରକୁ ମନିପୁଲ୍ କରିବା ପାଇଁ ନିଜ ଫିଲ୍ମ ଟିକେଟ କିଣିଛନ୍ତି । କରଣ ଜୋହରଙ୍କ ଦ୍ୱାରା ନିର୍ମିତ 'ଜିଗ୍ରା' ତାଙ୍କ ଚଳଚ୍ଚିତ୍ର ସାଭିର ଏକ ନକଲ ବୋଲି ଦାବି କରିଥିଲେ। ଯାହା ପରେ କରଣ କ୍ରିପ୍ଟିକ ପୋଷ୍ଟ ସେୟାର କରି ଅଭିଯୋଗର ଭିତ୍ତିହୀନ ବୋଲି କହିଥିଲେ । ଯାହା ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଚର୍ଚ୍ଚାର ବିଷୟ ରହିଥିଲା ।
2. ୟୋ ୟୋ ହନିଂ ସିଂ-ବାଦଶାହା
ରାପର୍ସ ହନି ସିଂ ଏବଂ ବାଦଶାହା, ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ଝଗଡା ଜାରି ରହିଛି । ଯାହା 2024 ମସିହାରେ ପୁଣି ଚର୍ଚ୍ଚାର ବିଷୟ ହୋଇଥିଲା । ମାନସିକ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଲାଇମଲାଇଟ୍ ଠାରୁ ଦୂରେଇ ରହିଥିବା ହନି ସିଂ ପ୍ରତିଶୋଧ ନେଇ ଫେରି ଆସିଥିଲେ ଏବଂ ବାଦଶାହା ତାଙ୍କର ଅତୀତର ସଂଘର୍ଷକୁ ପରିହାସ କରିଥିବା ଅଭିଯୋଗ କରିଥିଲେ । ବାଦଶାହାଙ୍କ ଫ୍ଲିପ୍ ଫ୍ଲପ୍ ପ୍ରକୃତି ବିଷୟରେ ସେ କହିଥଲେ ଯେ, ଟସେ ଛେପ ପକାନ୍ତି ଏବଂ ପରେ ଏହାକୁ ପୁଣି ଚାଟନ୍ତି।' ଯାହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଜୋର ଧରିଥିଲା ।
3. ଅନୁପମ ଖେର-ହଂସଲ ମେହେତା
2019 ବାୟୋପିକ୍ ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର ବିଷୟରେ ମନ୍ତବ୍ୟ ପରେ ଭେଟେରାନ୍ ଅଭିନେତା ଅନୁପମ ଖେର ଏବଂ ଖ୍ୟାତନାମା ନିର୍ଦ୍ଦେଶକ ହାନସାଲ ମେହେଟ୍ଟା ଚଳିତ ବର୍ଷ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିଲେ । ଏହି ଚଳଚ୍ଚିତ୍ରକୁ ସବୁଠାରୁ ଖରାପ ହିନ୍ଦୀ ଚଳଚ୍ଚିତ୍ର ବୋଲି ସମାଲୋଚନା କରିଥିବା ସାମ୍ବାଦିକ ବିର ସାଙ୍ଗଭୀଙ୍କ ଏକ ଟ୍ୱିଟକୁ ହଂସଲ ମେହେତା ସମର୍ଥନ କରିଥିଲେ । ଏହାର ଉତ୍ତରରେ, ଅନୁପମ ଖେର ମେହେତାଙ୍କୁ କପଟୀ ବୋଲି କହିଥିଲେ । ଯାହା ପରେ ଉଭୟ ଚର୍ଚ୍ଚାରେ ରହିଥିଲେ ।
ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ସିନେମା ଶିଳ୍ପରେ ସ୍ୱପ୍ନର ଡେଣା ଲଗାଇଲା ‘2024’, ସ୍ୱର୍ଣ୍ଣିମ ଅଧ୍ୟାୟ ଲେଖିବ କି ‘2025’ ?
ସାଉଥ ବିବାଦ
ଧନୁଷ- ନୟନତାରା
ଚଳିତ ବର୍ଷ ସାଉଥ ସିନେମାର ଦୁଇ ସୁପରଷ୍ଟାରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ସୁପରଷ୍ଟାର ଧନୁଷ ଏବଂ ଅଭିନେତ୍ରୀ ନୟନତାରାଙ୍କ ନାମ ଅନ୍ତର୍ଭୁକ୍ତ । ନୟନତାରାଙ୍କ ବିରୋଧରେ ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଧନୁଷ । ସୂଚନା ଅନୁସାରେ, ନିକଟରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ନୟନତାରାଙ୍କ ଡକ୍ୟୁମେଣ୍ଟାରୀ 'ନୟନତାରା- ବିଏଣ୍ଡ ଫେରିଟେଲ' ସିରିଜରେ ଧନୁଷଙ୍କ ଫିଲ୍ମର ଭିଜୁଆଲ ବିନା ଅନୁମତିରେ ବ୍ୟବହାର କରାଯାଇଥିବାରୁ ନୟନତାରାଙ୍କ ନାଁରେ ଅଭିଯୋଗ କରିଥିଲେ ଧନୁଷ । ଧନୁଷଙ୍କ ପ୍ରଡକ୍ସନ୍ ହାଉସ୍ ଅଧୀନରେ ନିର୍ମିତ ଚଳଚ୍ଚିତ୍ର 'ନାନୁମ୍ ରାଉଡି ଧାନ'ର ଏକ-ସେକେଣ୍ଡ୍ କ୍ଲିପ୍ ବ୍ୟବହାର କରାଯାଇଛି, ଯେଉଁଥି ପାଇଁ କପିରାଇଟ୍ ସମ୍ବନ୍ଧରେ ନୟନତାରା ଟିମକୁ ଅଭିନେତା 10 କୋଟିର ନୋଟିସ ପଠାଇଥିଲେ । ଯେଉଁଥିରେ ନୟନତାରା ମଧ୍ୟ ପ୍ରତିଶୋଧ ନେଇ ପ୍ରତିକ୍ରିୟା ଦେଇଥିଲେ । ଯାହା ପରେ ନଭେମ୍ୱର 27ରେ ଧନୁଷ ମାଡ୍ରାସ ହାଇକୋର୍ଟରେ ଅଭିନେତ୍ରୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ