ନୂଆଦିଲ୍ଲୀ: ରାତି ପାହିଲେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଦେବ ଜାତୀୟ ରଜଧାନୀ ଦିଲ୍ଲୀ । ଗତକାଲିଠାରୁ ପ୍ରଚାର ଶେଷ ହୋଇସାରିଥିବା ବେଳେ ଆଜି ସାଇଲେଣ୍ଟ ପିରିୟଡ ଜାରି ରହିଛି । ଆସନ୍ତାକାଲି (ବୁଧବାର) ସକାଳୁ ଏକକାଳୀନ ସମସ୍ତ 70 ଆସନରେ ଭୋଟ ଗ୍ରହଣ ହେବ । ଏଥିପାଇଁ ପ୍ରାଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବ୍ୟପକ ବ୍ୟବସ୍ଥା କରିସାରିଛି ଦିଲ୍ଲୀ ପୋଲିସ । ଶାସନରେ ଥିବା ଅରବିନ୍ଦ କେଜ୍ରିଓ୍ବାଲଙ୍କ ‘ଆମ ଆଦମୀ ପାର୍ଟି’ ଓ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ମଧ୍ୟରେ ଲଢେଇ ହେଉଛି । କଂଗ୍ରେସ ମଧ୍ୟ ଏକାକୀ ନିର୍ବାଚନ ଲଢୁଛି ।
- ମୈଦାନର ପ୍ରମୁଖ ପ୍ରତିଦ୍ବନ୍ଦୀ:-
‘ଆପ’ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନୂଆଦିଲ୍ଲୀ ବିଧାନସଭା କ୍ଷେତ୍ରରୁ ପୁଣି ଥରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ତାଙ୍କ ବିପକ୍ଷରେ ‘ଭାରତୀୟ ଜନତା ପାର୍ଟି’ ପରବେଶ ବର୍ମାଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସରୁ ପ୍ରତିଦ୍ବନ୍ଦ୍ବୀ ହୋଇଛନ୍ତି ସନ୍ଦୀପ ଦିକ୍ଷିତ । ସେହିପରି ପ୍ରତିଦ୍ବନ୍ଦ୍ବିତା ଦୃଷ୍ଟିରୁ ଚର୍ଚ୍ଚାରେ ରହିଛି କାଲକାଜୀ ନିର୍ବାଚନ ମଣ୍ଡଳୀ । ଏଠାରୁ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ସରକାରୀ ଦଳର ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ ବିଜେପିରୁ ରମେଶ ବିଧୁରୀ ଓ କଂଗ୍ରେସରୁ ଅଳକା ଲମ୍ବା ପ୍ରାର୍ଥୀ ହୋଇଛନ୍ତି । କେଜ୍ରିଓ୍ବାଙ୍କ ବରିଷ୍ଠ ସହଯୋଗୀ ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜାଙ୍ଗପୁରା ନିର୍ବାଚନ ମଣ୍ଡଳୀରେ ବିଜେପିର ତରବିନ୍ଦର ସିଂ ମରଓ୍ବା ଓ କଂଗ୍ରେସର ଫର୍ସାଦ ସୁରୀଙ୍କୁ ମୁକାବିଲା କରୁଛନ୍ତି । ଜେଲରୁ ବେଲରେ ଫେରିଥିବା ପୂର୍ବତନ ମନ୍ତ୍ରୀ ସତ୍ୟୈନ୍ଦ୍ର ଜୈନ ସକୁର ବସ୍ତି ଆସନରେ ବିଜେପିର କର୍ଣ୍ଣେଲ ସିଂଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି ।
- ଦେଢ କୋଟି ଦିଲ୍ଲୀବାସୀ ବାଛିବେ ସରକାର
ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ମୋଟ 1.56 କୋଟି ଦିଲ୍ଲୀବାସୀ ସେମାନଙ୍କର ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ 83.76 ଲକ୍ଷ ପୁରୁଷ, 72.36 ଲକ୍ଷ ମହିଳା ଓ 1,267 ଜଣ ତୃତୀୟଲିଙ୍ଗୀ ଭୋଟର ରହିଛନ୍ତି । ଦିଲ୍ଲୀରେ ମୋଟ 13,766 ଟି ଭୋଟ ଗ୍ରହଣ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଭିନ୍ନକ୍ଷମ ମତାଦାତଙ୍କ ପାଇଁ ବିଶେଷ ସୁବିଧା ସହ 733ଟି ସ୍ବତନ୍ତ୍ର ବୁଥ୍ ପ୍ରସ୍ତୁତ ରହିଛି । ‘କ୍ବିଇକ୍ ମ୍ୟାନେଜମେଣ୍ଟ ସିଷ୍ଟମ’ (QMS) ଆପ୍ଲିକେସନ୍ ମାଧ୍ୟମରେ ପୂରା ନିର୍ବାଚନ ପରିଚଳନା ଉପରେ ନଜର ରଖିଛି ଦିଲ୍ଲୀ ନିର୍ବାଚନ ଆୟୋଗ ।
- ଆତିଶୀଙ୍କ ବିରୋଧରେ ମାମଲା
ସେପଟେ ଆଜି ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଆତିଶୀ ନିଜ ସମର୍ଥକଙ୍କ ସହ ଫତୈହ ସିଂ ମାର୍ଗରେ ଏକ ଶୋଭାଯାତ୍ରା ବାହାର କରିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ ପୋଲିସ୍ ଏହି ମାମଲା ରୁଜୁ କରିଛି । ଯାହାକୁ ନେଇ ‘ଆମ ଆଦମୀ ପାର୍ଟି’ ପକ୍ଷପାତିତାର ଅଭିଯୋଗ ଆଣିଛି । ନିର୍ବାଚନ ଆୟୋଗ ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା କରୁନାହିଁ ବୋଲି ଶାସକ ଦଳ ଅଭିଯୋଗ କରିଛି ।
8 ରେ ଜନାଦେଶ:-
ଆସନ୍ତାକାଲି ଗୋଟିଏ ପର୍ଯ୍ୟାୟରେ ସମସ୍ତ 70 ଆସନରେ ଭୋଟ ଗ୍ରହଣ ପରେ 8 ତାରିଖରେ ମତଗଣନା ଓ ଫଳାଫଳ ପ୍ରକାଶ ପାଇବ । ଦିଲ୍ଲୀରେ ସରକାର ଗଠନ କରିବା ପାଇଁ ସଂଖ୍ୟା ବହୁମତ 36 ରହିଛି । ‘ଆମ ଆଦମୀ ପାର୍ଟି’ ନିକଟରେ ଏବେ 45 ବିଧାୟକ ଥିବା ବେଳେ ‘ଭାରତୀୟ ଜନତା ପାର୍ଟି’ ନିକଟରେ 7 ଜଣ ବିଧାୟକ ରହିଛନ୍ତି । ସେହିପରି 13 ଟି ଆସନ ଖାଲି ପଡିଛି । ‘ଆମ ଆଦମୀ ପାର୍ଟି’ ପୁଣି ଥରେ ପୂର୍ଣ୍ଣ ବହୁମତରେ କ୍ଷମତା ହାସଲ କରିବାକୁ ଦମ୍ଭୋକ୍ତି ଦେଖାଉଥିବା ବେଳେ ବିଜେପି ସତ୍ତା ପରିବର୍ତ୍ତନର ନାରା ଦେଇଛି । ଆସନ୍ତାକାଲି ଭୋଟିଂ ସରିବା ପର୍ଯ୍ୟନ୍ତ (ସାଢେ 6ଟା ଯାଏଁ) କୌଣସି ଏକଜିଟ୍ ପୋଲ ପ୍ରକାଶ ନକରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ରହିଛି । ତେଣୁ ଭୋଟିଂ ପ୍ରକ୍ରିୟା ଶେଷ ହେବା ପରେ ବିଳମ୍ବିତ ସଂଧ୍ୟାରେ ବିଭିନ୍ନ ଗଣମାଧ୍ୟମ ଓ ପୋଲ-ଓ୍ବାଚ୍ ସଂସ୍ଥା ସେମାନଙ୍କ ‘ବୁଥବାହୁଡା ଜନମତ’ ବା ଏକଜିଟ୍ ପୋଲ ପ୍ରକାଶ କରିବେ ।
ଇଟିଭି ଭାରତ, ବ୍ୟୁରୋ