ନୂଆଦିଲ୍ଲୀ: କଟକ ବିଶ୍ବପ୍ରସିଦ୍ଧ ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ଦେବାକୁ ଦାବି କଲେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ମଙ୍ଗଳବାର ଦିନ ସେ ଗୃହରେ ଏହି ଦାବି ଉଠାଇଛନ୍ତି । ରାଜ୍ୟସଭାରେ ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ଦେବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ସାଂସଦ କହିଛନ୍ତି ଯେ ‘‘ବାଲିଯାତ୍ରା ଏକ ଜାତୀୟ ମହୋତ୍ସବର ମହତ୍ତ୍ୱ ଗ୍ରହଣ କରିଛି। କାରଣ ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଏଥିରେ ଅଂଶଗ୍ରହଣ କରି ଏହାକୁ ଏକ ବଡ ମହୋତ୍ସବରେ ପରିଣତ କରିଛନ୍ତି’’ ।
- ଜାତୀୟ ଉତ୍ସବ ପାଇଁ ଦାବି କରିଥିଲେ ନବୀନ
"କାର୍ତ୍ତିକ ପୂର୍ଣ୍ଣିମାରେ ଓଡିଶାର 2000 ବର୍ଷ ପୁରୁଣା ସାମୁଦ୍ରିକ ଗୌରବକୁ ସମ୍ମାନ ଜଣାଇବା ପାଇଁ ପ୍ରତୀକାତ୍ମକ ଭାବରେ ହଜାର ହଜାର ଡଙ୍ଗା ମହାନଦୀରେ ଭାସୁଥାଏ। ଦୀର୍ଘ ବର୍ଷ ଧରି ଏହି ମେଳାର ଆକାର ଧୀରେ ଧୀରେ ବିସ୍ତୃତ ହେବାରେ ଲାଗିଛି । ଯାହାକୁ ଏସିଆର ସବୁଠୁ ବଡ ମେଳା କୁହାଯାଇ ବୋଲି ଲୋକକଥା ରହିଛି। ସାତ ଦିନର ମେଳା ଏବେ ଏକ ଜାତୀୟ ମହୋତ୍ସବରେ ପରିଣତ ହୋଇଛି ଯେଉଁଠାରେ ଆପଣ ଜାତୀୟ କାରିଗର, ନୃତ୍ୟ ପ୍ରଦର୍ଶନ, ବୁଣାକାର, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଆଦିବାସୀମାନେ ବଜାରରେ ସେମାନଙ୍କର ଉତ୍ପାଦ ବିକ୍ରୟ କରିବାକୁ ଅଂଶଗ୍ରହଣ କରନ୍ତି । ଆମ ନେତା ତଥା ପୂର୍ବତନ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟସ୍ତରୀୟ ଉତ୍ସବ ଘୋଷଣା କରିସାରିଛନ୍ତି ଏବଂ ଏହାକୁ ଜାତୀୟ ଉତ୍ସବର ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି’’।
ଏହି ଦାବି ଉପସ୍ଥାପନ କରିବା ସହ ବିଜେଡି ସାଂସଦ ଇଣ୍ଡୋନେସିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିପରି ଏହି ଲୋକପ୍ରିୟ ଉତ୍ସବ ବିଷୟରେ ଉଲ୍ଲେଖ କରିଥିଲେ ତାହା ଉଲ୍ଲେଖ କରିଛନ୍ତି।
- ଇଣ୍ଡୋନେସିଆରେ ଉଠିଥିଲା ବାଲିଯାତ୍ରା କଥା
ଇଣ୍ଡୋନେସିଆ ଗସ୍ତ ସମୟରେ ପିଏମ ମୋଦୀଙ୍କ ଅଭିଭାଷଣରେ ବାଲିଯାତ୍ରା କଥା ଉଲ୍ଲେଖ କରାଯାଇଛି। ‘‘ସାମୁଦ୍ରିକ ବାଣିଜ୍ୟ ମାଧ୍ୟମରେ ଓଡ଼ିଶା ମହୋତ୍ସବ ହଜାର ହଜାର ବର୍ଷ ଧରି ବାଲି, ସୁମାତ୍ରା, ଜାଭା, ଶ୍ରୀଲଙ୍କା ଏବଂ ମାଲେସିଆ ସହ ଭାରତକୁ କିପରି ସଂଯୋଗ କରିଛି ତାହା ଉପରେ ଆଲୋକପାତ କରିଥିଲେ ମୋଦି। ବାଣିଜ୍ୟ ମେଳାର ସାକ୍ଷୀ ହେବା ପାଇଁ ଭାରତ ସରକାର ସମସ୍ତ ଦୂତାବାସରୁ କୂଟନୀତିଜ୍ଞ ପଠାଇଥିଲେ’’।
ସେ କହିଛନ୍ତି ‘‘ମୁଁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଏହାକୁ ଜାତୀୟ ମହୋତ୍ସବ ଘୋଷଣା କରିବାକୁ ଅନୁରୋଧ କରୁଛି’’।
ଏହା ମଧ୍ୟ ପଢନ୍ତୁ ଇଷ୍ଟକୋଷ୍ଟ ରେଲୱେ ଜିଏମଙ୍କ ରେଳଷ୍ଟେସନ ପରିଦର୍ଶନ, ଉନ୍ନୟନମୂଳକ କାର୍ଯ୍ୟର କଲେ ଅନୁଧ୍ୟାନ
ଏହା ମଧ୍ୟ ପଢନ୍ତୁ ଓଡ଼ିଶାରେ ସରକାରୀ ସ୍କୁଲରେ ପାଠ ପଢୁଛନ୍ତି 88 ପ୍ରତିଶତ ପିଲା, ସର୍ବଭାରତୀୟ ତାଲିକାରେ ଦ୍ବିତୀୟ
- ବାଲିଯାତ୍ରାର ଇତିହାସ:
ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଗାଥା ବଖାଣିଥାଏ ବିଶ୍ବ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ପୂର୍ଣ୍ଣିମା ତିଥିରେ ମହାନଦୀ ପଠାରେ ବାଲିରେ ବସେ ବାଲିଯାତ୍ରା । ମହାନଦୀର ତଟରେ ଝଲସି ଉଠେ ପଡିଆ । କେତେ ପ୍ରକାର, ମିନା ବଜାର, ଚଟପଟି ଖାଇବା, ଘରକରଣା ସାମଗ୍ରୀ ଇତ୍ୟାଦିରେ ପରିପୂର୍ଣ୍ଣ ହୋଇପଡେ ବାଲିଯାତ୍ରା ପଡିଆ । ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ମଧ୍ୟରେ ହସି ଉଠେ ବାଲିଯାତ୍ରା ପଡିଆ ।
"ଇତିହାସ କୁହେ, କଳିଙ୍ଗ ରାଜ୍ୟର ସାଧବ ପୁଅମାନେ ଏହି ସମୟରେ ଅନ୍ୟ ରାଜ୍ୟ ଓ ଦେଶକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ । ସେହି ସମୟରେ ବୋଟର ବ୍ୟବସ୍ଥା ନଥିଲାବେଳେ ପବନ ଚାଳିତ ବୋଇତ ଦ୍ୱାରା ସାଧବ ପୁଅମାନେ ଜାଭା ,ସୁମାତ୍ରା , ବାର୍ଲି କାମ୍ବୋଡିଆ ଆଦି ଦେଶକୁ ବାଣିଜ୍ୟ କାରବାର କରିବା ପାଇଁ ଯାଉଥିଲେ । ସେଠାରେ ବାଣିଜ୍ୟ ସାରି ଫେରିବା ସମୟରେ ମହାନଦୀର ବାଲିରେ ଏକ ମେଳା ଆୟୋଜନ ହେଉଥିଲା । ବାର୍ଲିରେ ବାଣିଜ୍ୟ ଓ ବାଲି ଉପରେ ମେଳା ହେଉଥିବା କାରଣରୁ ଏହାର ନାମ 'ବାଲିଯାତ୍ରା' ହୋଇଛି" ବୋଲି ମତ ଦେଇଛନ୍ତି ଐତିହାସିକ ଓ କଟକ ମହାନଗର ନାଗରିକ ମହାସଭା ସଦସ୍ୟ ରବି ରଞ୍ଜନ ସାହୁ । କିନ୍ତୁ ସମୟ ପରିବର୍ତ୍ତନ ହେବା ସହ ବାଲିଯାତ୍ରାରେ ମଧ୍ୟ ଆସିଛି ଅନେକ ସୁଧାର। ବ୍ୟବସାୟରୁ ଆରମ୍ଭ କରି ପ୍ଲଟ କିଣାବିକା, ବିଦ୍ୟୁତ ଯୋଗାଣ ଓ ଅନ୍ୟାନ୍ୟ ପାରିପାର୍ଶ୍ବିକ ବାତାବରଣ ସବୁ ଦିଗରେ ପରିବର୍ତ୍ତନ କରାଯାଇଛି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି ।
ଗତ 2022ରେ ଗିନିଜ ୱାର୍ଲଡ ରେକର୍ଡ କରିଥିଲା ଐତିହାସିକ ବାଲିଯାତ୍ରା । ମାତ୍ର 35 ମିନିଟରେ 22 ହଜାର କାଗଜ ଡଙ୍ଗା ତିଆରି କରି ରେକର୍ଡ କରିଥିଲା ବାଲିଯାତ୍ରା ।