ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଜମି ବିକ୍ରି ଟଙ୍କାକୁ କେନ୍ଦ୍ର କରି ଅପହରଣ ଓ ହତ୍ୟାକାଣ୍ଡ ଘଟଣାରେ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଇଛି । ଘଟଣାରେ ଏବେସୁଦ୍ଧା ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେପଟେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ସିନ ରିକ୍ରିଏସନ କଲା ପୋଲିସ ।
ଭଞ୍ଜପୁର ଥାନା ଅତିରିକ୍ତ ଏସପି ଦୀପକ ଗୋଚ୍ଛାୟତ ହତ୍ୟାକାଣ୍ଡ ନେଇ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳର ଦର୍ଶନ କୁମାର ଭୂୟାଁ (୪୫), ଚାନ୍ଦୁଆର ପୂର୍ବତନ ସରପଞ୍ଚ ବିରେନ ସୋରେନ (୬୫) ଓ ଝାଡଖଣ୍ଡ ରାଜ୍ୟର ବହଡାଗୋଡା ଥାନା ଅନ୍ତର୍ଗତ ବେନଦା ଅଞ୍ଚଳର ଅମରନାଥ ପଣ୍ଡା (୩୬) । ବହଡାଗୋଡା ଥାନା ଅଞ୍ଚଳର ଅନ୍ୟ ଜଣେ ଅଭିଯୁକ୍ତ ଅଭିଜିତ ମଣ୍ଡଳକୁ ଗିରଫ କରିବା ସମୟରେ ସେ ଫେରାର ହୋଇଯାଇଥିଲା । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବା ନେଇ ଭଞ୍ଜପୁର ଥାନା ପୁଲିସ ପକ୍ଷରୁ କୁହାଯାଇଛି ।
![business man Salkhu Marndi](https://etvbharatimages.akamaized.net/etvbharat/prod-images/04-02-2025/od-rrp-01-murder-case-avb-10010_03022025210035_0302f_1738596635_339.jpg)
କାହିଁକି ହୋଇଥିଲା ହତ୍ୟା:
ଭଞ୍ଜପୁର ଥାନା ଅତିରିକ୍ତ ଏସପି ଦୀପକ ଗୋଚ୍ଛାୟତଙ୍କ କହିବାନୁଯାୟୀ, କିଛି ଟଙ୍କା ଲେଣଦେଣ ମାମଲାକୁ ନେଇ ଏହି ହତ୍ୟାକାଣ୍ଡ କରାଯାଇଥିବା ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ ଜଣାପଡିଛି । ତେବେ ଦାମୋଦରପୁର ଅଞ୍ଚଳର ସାଲଖୁ ମାର୍ଣ୍ଡି ବାରିପଦାର ୱାର୍ଡ ନମ୍ବର ୧୯ ବଢ଼େଇସାହି ଅଞ୍ଚଳରେ ଭଡାରେ ରହୁଥିଲେ । ସେ ଦାମୋଦରପୁର ଅଞ୍ଚଳର ଦର୍ଶନ କୁମାର ଭୂୟାଁ ଓ ଅନ୍ୟମାନଙ୍କ ସହିତ ମିଶି ଜମି କିଣା ବିକା ବ୍ୟବସାୟ କରୁଥିଲେ । ସେମାନଙ୍କ ଜମି ବ୍ୟବସାୟୀରେ ସାଲଖୁ ଟଙ୍କା ବିନିଯୋଗ କରୁଥିଲେ। ଏକ ଜମି ବ୍ୟବସାୟୀ ପାଇଁ ସାଲଖୁ ଘରୋଇ ସୁଧରେ ପାଖାପାଖି ଅଢେଇ କୋଟି ଟଙ୍କା ଦର୍ଶନଙ୍କୁ ଦେଇଥିଲେ । ଏନେଇ ଦର୍ଶନଙ୍କ ଦସ୍ତଖତ ଥିବା ଏକ ବ୍ୟାଙ୍କ ଚେକ ସାଲଖୁ ରଖିଥିଲେ । ସୁଧ ବାବଦରେ ମାସକୁ ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଉଥିଲେ । ବହୁ ଦିନ ହେବ ଦର୍ଶନ ସୁଧ ଟଙ୍କା ଦେଇ ନଥିବା ବେଳେ ମୂଳ ଓ ସୁଧ ଟଙ୍କା ଫେରସ୍ତ କରିବାକୁ ସାଲଖୁ କହିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।
ସାଥି ବ୍ୟବସାୟୀ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ୍:
ଗତ ଜାନୁଆରୀ ୨୯ ତାରିଖ ଦିନ ବକେୟା ଟଙ୍କା ଦେବା କହି ଦର୍ଶନ କୁମାର ଭୂୟାଁ, ସାଲଖୁଙ୍କୁ ଡାକିଥିଲା । ଯୋଜନାବଦ୍ଧ ଭାବେ ସାଲଖୁଙ୍କୁ ଘରୁ ଡାକି ଏକ କାରରେ ନେଇଥିଲେ । ଜାତୀୟ ରାଜପଥ ନମ୍ବର ୧୮ରେ ବେତନଟୀ ପଟକୁ ଯାଉଥିବା ବେଳେ ଦର୍ଶନ ତାଙ୍କ ସହଯୋଗୀଙ୍କ ସହିତ ମିଶି କାର ଭିତରେ ସାଲଖୁଙ୍କୁ ହତ୍ୟା କରିଥିଲେ । ହତ୍ୟା ପ୍ରମାଣ ନଷ୍ଟ କରିବା ପାଇଁ ବେତନଟୀ ଥାନା ଅନ୍ତର୍ଗତ ଜାମଶୋଳ ଜଙ୍ଗଲରେ ବର୍ଷା ଜଳ ସଂରକ୍ଷଣ ପାଇଁ ବନ ବିଭାଗର ନିର୍ମିତ ଗାତରେ ପକାଇ ଶୁଖିଲା ପତ୍ର ସବୁ ଢାଙ୍କି ଦେଇଥିଲେ । ତେବେ ୫ଦିନ ମଧ୍ୟରେ ମୃତଦେହ ଆଂଶିକ ପଚି ଯାଇଥିବାରୁ ସାଲଖୁଙ୍କ ମୃତଦେହରେ ଏସିଡ ପକାଯାଇଥିବାର ସନ୍ଦେହ କରାଯାଉଛି । ପଚା ଗନ୍ଧକୁ ଏଡାଇବା ପାଇଁ କିଛି ଦୂରରେ ୩ଟି କୁକୁଡା ମାରି ପକାଯାଇଥିଲା ।
ଘଟଣାର ରିକ୍ରିଏସନ କଲା ପୋଲିସ:
ଏପଟେ ସ୍ବାମୀଙ୍କୁ ଅପହରଣ କରାଯାଇଛି ବୋଲି ସାଲଖୁଙ୍କ ପତ୍ନୀ ଝାନସୀ ରାଣୀ ମାର୍ଣ୍ଡି ଭଞ୍ଜପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଟଙ୍କା ପାଇଁ ସାଥି ବ୍ୟବସାୟୀମାନେ ହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରିଥିଲା । ବାରିପଦା ସଦର ଏସଡିପିଓ ସୁଜିତ କୁମାର ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ଦର୍ଶନ ଓ ତାଙ୍କ ସହଯୋଗୀମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । ଭଞ୍ଜପୁର ଥାନା ଓ ବେତନଟୀ ଥାନା ପୋଲିସ ବିଭିନ୍ନ ସ୍ଥାନରେ ତଲାସି କରିବା ପରେ ରବିବାର ସନ୍ଧ୍ୟାରେ ମୃତଦେହ ଠାବ କରିଥିଲା । ତେବେ ପୋଲିସ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ସିନ ରିକ୍ରିଏସନ କରି ଅଧିକ ତଥ୍ୟ ହାସଲ କରିଛି ।
ଏବେସୁଦ୍ଧା ୩ ଅଭିଯୁକ୍ତ ଗିରଫ:
ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ସାଲଖୁଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡ ନେଇ ଅଧିକ ତଥ୍ୟ ମିଳିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଗିରଫ ୩ ଅଭିଯୁକ୍ତକୁ ଭଞ୍ଜପୁର ଥାନା ପୋଲିସ କୋର୍ଟ ଚାଲାଣ କରିଛି । ଏହି ମାମଲାରେ ଏକାଧିକ ଅଭିଯୁକ୍ତ ସମ୍ପୃକ୍ତ ଥିବା ବେଳେ ଆଜି(ମଙ୍ଗଳବାର) ପୁଲିସ ଦୁଇ ମୁଖ୍ୟ ଅଭିଯୁକ୍ତକୁ ରିମାଣ୍ଡ ଆଣି ତଦନ୍ତ କରିବ ବୋଲି କହିଛି ।
ଭଞ୍ଜପୁର ଥାନା ଅତିରିକ୍ତ ଏସପି ଦୀପକ ଗୋଚ୍ଛାୟତ କହିଛନ୍ତି, " ଝାନସୀ ରାଣୀ ମାର୍ଣ୍ଡିଙ୍କ ଅଭିଯୋଗରେ ମାମଲା ଦାୟର ହୋଇଥିଲା । ଟେକ୍ନିକାଲ ପ୍ରମାଣ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ପଚରାଉଚରା କରିଥିଲୁ । ସେମାନଙ୍କ କଥାରେ ତାଳମେଳ ରହୁନଥିଲା । ଲୋକେସନ ଟ୍ରାକ କରି ମୃତଦେହ ଠାବ କରିଥିଲୁ । ମୃତଦେହ ମିଳିବା ପରେ ଅଧିକ ପଚରାଉଚରା ପରେ ଅଭିଯୁକ୍ତମାନେ ସତ ମାନିଥିଲେ । ଏବେ ତଦନ୍ତ ଜାରି ରହିଛି । ସିନ ରିକ୍ରେସନ କରାଯାଇଛି । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଟଙ୍କା ଲେଣଦେଣକୁ ନେଇ ଗଣ୍ଡଗୋଳ ଓ ଏହାପରେ ହତ୍ୟାକାଣ୍ଡ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।"
ଇଟିଭି ଭାରତ, ମୟୂରଭଞ୍ଜ