ସମ୍ବଲପୁର: ରାଜ୍ୟ ରାଜନୀତିରେ ବହୁ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ତଥା ନିଜର ଭିନ୍ନ ଧରଣର କାର୍ଯ୍ୟକଳାପ ଦ୍ଵାରା ଚର୍ଚ୍ଚାରେ ରହିଥାନ୍ତି ବିରୋଧୀ ଦଳର ନେତା ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର । ଏବେ ନିଜର ଅସୁସ୍ଥତା କାରଣରୁ ସେ ବର୍ଷେ ହେଲା ସମ୍ବଲପୁର ଆସୁ ନାହାନ୍ତି । ସ୍ୱାସ୍ଥ୍ୟ ସମସ୍ୟାରୁ ଗତ ଫେବୃଆରୀ 3 ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ ମଧ୍ୟ ସେ ସମ୍ବଲପୁର ଆସିନଥିଲେ । ତେବେ ବର୍ତ୍ତମାନ ସମ୍ବଲପୁର ରାଜନୀତିରେ ଜୟଙ୍କ ଝିଅ ଶୁଭଶ୍ରୀ ମିଶ୍ର ସକ୍ରିୟ ହେଉଥିବା ଦେଖିବାକୁ ମିଳୁଛି । ବିଜେପିର ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ସେ ନିଜକୁ ସାମିଲ କରୁଥିବା ଦେଖିବାକୁ ମିଳୁଛି । ଏଥିପାଇଁ ଏବେ ଆଗାମୀ ବିଧାନସଭା ନିର୍ବାଚନରେ ଜୟଙ୍କ ସ୍ଥାନରେ ତାଙ୍କ ଝିଅ ଶୁଭଶ୍ରୀ ଟିକେଟ ପାଇଯିବେ ବୋଲି ଚର୍ଚ୍ଚା ହେଉଛି ।
ସମ୍ବଲପୁର ରାଜନୈତିକ ମହଲରେ ଏବେ ଗୋଟିଏ ଚର୍ଚ୍ଚା । ରାଜନୀତିକୁ ଆସିବେ କି ଜୟଙ୍କ ଝିଅ ? ଜୟଙ୍କ ଝିଅ ଶୁଭଶ୍ରୀ ମିଶ୍ର ତାଙ୍କ ବାପଙ୍କ ସ୍ଥାନରେ ପାଇବେ କି ସମ୍ବଲପୁର ବିଧାନସଭା ସିଟ ପାଇଁ ଟିକେଟ ? ଜୟ ନାରାୟଣଙ୍କ ଅସୁସ୍ଥତା ଯୋଗୁଁ ଏବେ ସମ୍ବଲପୁର ଜିଲ୍ଲା ବିଜେପିରେ ସମ୍ବଲପୁର ସିଟର ଆଶାୟୀ ତାଲିକାରେ ବହୁତ ଜଣ ଅଛନ୍ତି । ସମ୍ବଲପୁର ରାଜନୀତିରେ ଜୟଙ୍କ ପତିଆରା ଅଦ୍ଵିତୀୟ ହୋଇଥିବା ବେଳେ ତାଙ୍କ ସହମତି ବିନା କାହାକୁ ଟିକେଟ ଦେଲେ ଅସୁବିଧା ହୋଇପାରେ । ଅନ୍ୟପଟେ କୌଣସି ନୂଆ ଆଶାୟୀକୁ ଟିକେଟ ଦେଲେ ଦଳ ଭିତରେ ଅନ୍ତର୍ଦ୍ୱନ୍ଦ୍ୱ ଅଥବା ଅସନ୍ତୋଷ ସୃଷ୍ଟି ହେବା ଆଶଙ୍କା ରହିଛି । ତେଣୁ ଜୟଙ୍କ ସ୍ଥାନରେ ତାଙ୍କ ଝିଅକୁ ଟିକେଟ ଦେଇ ଦଳର ଅନ୍ତଃକନ୍ଦଳକୁ ବନ୍ଦ କରିବା ପାଇଁ ଶୀର୍ଷ ନେତୃତ୍ୱ ଚେଷ୍ଟା କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଜୟ ନାରାୟଣ ମିଶ୍ର ମଧ୍ୟ ଝିଅ ପାଇଁ ଲବି କରି ପାରନ୍ତି ବୋଲି ରାଜନୀତି ବିଶ୍ଳେଷକ କହୁଛନ୍ତି । ତେବେ ବିଜେପି ଦଳର ସିଦ୍ଧାନ୍ତ ଯେପରି ରହିଛି, ସେହି ଦୃଷ୍ଟିରୁ ଶୁଭଶ୍ରୀଙ୍କୁ ଟିକେଟ ମିଳିବା କଷ୍ଟକର ହେବ ବୋଲି ମଧ୍ୟ ରାଜନୀତି ବିଶ୍ଳେଷକ କହୁଛନ୍ତି ।